Categories: ଖେଳ

ସେପ୍ଟେମ୍ବରରେ ଆୟୋଜନ ହେବ ଇଟାଲିଆନ୍‌ ଓପନ୍‌

ମିଲାନ,୩୦।୫(ଏଏଫ୍‌ପି): ଆସନ୍ତା ସେପ୍ଟେମ୍ବରରେ ରୋମ୍‌ରେ ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟ ଆୟୋଜନ ହେବ। ଏହି ଏଟିପି ଓ ଡବ୍ଲ୍ୟୁଟିଏ ରୋମ କ୍ଲେ- କୋର୍ଟ ଟୁର୍ନାମେଣ୍ଟ ଆୟୋଜନ ନେଇ ଇଟାଲିଆନ ଟେନିସ ଫେଡେରେଶନ ଅଧ୍ୟକ୍ଷ ଆଞ୍ଜେଲୋ ବିନାଘି ସୂଚନା ଦେଇଛନ୍ତି।

ଚଳିତ ବର୍ଷର ସଂସ୍କରଣ ଫୋରୋ ଇଟାଲିକୋରେ ମେ ୧୧ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ଟୁର୍ନାମେଣ୍ଟକୁ ବାତିଲ କରାଯାଇଥିଲା। ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ ତା’ହେଲେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାରେ କୌଣସି ସମସ୍ୟା ରହିବ ନାହିଁ ବୋଲି ବିନାଘି ‘ସୁପର ଟେନିସ୍‌’କୁ ସାକ୍ଷାତକାର ଦେଇ କହିଛନ୍ତି। ଏଥିରେ ଟେନିସ ପ୍ରଶଂସକ ସାମିଲ ହେବା ନେଇ ଇଟାଲୀ କ୍ରୀଡ଼ାମନ୍ତ୍ରୀ ଭିନ୍‌ସେଞ୍ଜୋ ସ୍ପାଡଫୋରା ଆଲୋଚନା କରିବେ ବୋଲି ବିନାଘି କହିଛନ୍ତି। ଅବଶ୍ୟ ଏହି ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ସହ ଏକା ସମୟରେ ଆୟୋଜନ ହେବ। ରୋଲାଣ୍ଡ ଗ୍ରାରସ୍‌ରେ ଫ୍ରେଞ୍ଚ୍‌ ଓପନ୍‌ ସେପ୍ଟେମ୍ବର ୨୦ ତାରିଖରୁ ଆରମ୍ଭ ହେବ। ଏହାର କ୍ୱାଲିଫାଇଂ ଟୁର୍ନାମେଣ୍ଟ ଗୋଟିଏ ସପ୍ତାହ ପୂର୍ବରୁ ଆରମ୍ଭ ହେବ।

Share