Categories: ଖେଳ

ସୂର୍ଯ୍ୟୋପରାଗ: ରଣଜୀ ମ୍ୟାଚ୍‌ ପ୍ରଭାବିତ ହେବା ନେଇ ରେଫରି ନିଷ୍ପତ୍ତି ନେବେ

ନୂଆଦିଲ୍ଲୀ, ୨୬।୧୨- ଗୁରୁବାର ସୂର୍ଯ୍ୟୋପରାଗ ହେବାକୁ ଯାଉଥିବାବେଳେ ଖେଳାଯାଉଥିବା ରଣଜୀ ଟ୍ରଫି ମ୍ୟାଚ୍‌ଗୁଡିକର ଦ୍ୱିତୀୟ ଦିନର ଖେଳ ବାଧାପ୍ରାପ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ନିଷ୍ପତ୍ତି ନେଇପାରିନାହିଁ। ଦକ୍ଷିଣ ଭାରତରେ ସୂର୍ଯ୍ୟୋପରାଗ ଅପେକ୍ଷାକୃତ ଅଧିକ ଦୃଶ୍ୟମାନ ହେବ। ତେଣୁ ପରାଗ ବେଳେ ଖେଳାଳିମାନେ ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖିବାର ସମ୍ଭାବନା ରହିଛି। ଫଳରେ ଆଖିର ରେଟିନା ବା ଦୃଷ୍ଟିପଟଳ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି। ଏପରିସ୍ଥଳେ ଖେଳ ଚାଲୁ ରଖିବା ନେଇ ଆଶଙ୍କା ସୃଷ୍ଟି ହେବା ସ୍ବାଭାବିକ। ତେବେ ଏ ସଂକ୍ରାନ୍ତରେ ମ୍ୟାଚ୍‌ ରେଫରି ଅନ୍ତିମ ନିଷ୍ପତ୍ତି ନେଇପାରିବେ ବୋଲି ବିସିସିଆଇ ଜେନେରାଲ ମ୍ୟାନେଜର (କ୍ରିକେଟ ଅପରେଶନ) ସବା କରିମ୍‌ କହିଛନ୍ତି। ଉଲ୍ଲେଖଥାଉ କି, କର୍ନାଟକ ଓ ମହୀଶୂରରେ ରଣଜୀ ମ୍ୟାଚ୍‌ ଚାଲିଛି। ମୁମ୍ବାଇ- ରେଲଓ୍ବେ ଓ ୟୁପି- ସୌରାଷ୍ଟ୍ର ମ୍ୟାଚ୍‌ ଡେରିରେ ଆରମ୍ଭ ହେବ ବୋଲି ଜଣାଯାଇଛି। ତେବେ ପରିସ୍ଥିତି ଦେଖି ମ୍ୟାଚ୍‌ ରେଫରି ଦ୍ୱିତୀୟ ଦିନର ଖେଳ ଆରମ୍ଭ ନେଇ ନିଷ୍ପତ୍ତି ନେବେ ବୋଲି ବୋର୍ଡ ତରଫରୁ କୁହାଯାଇଛି।

Share