ସୁସ୍ଥ ଜଙ୍ଗଲ ସୁସ୍ଥ ମଣିଷ

ଡ. ଜୟକୃଷ୍ଣ ପାଣିଗ୍ରାହୀ

ଜଙ୍ଗଲ ହେଉଛି ଅସୀମ ଦୟା ଏବଂ ବଦାନ୍ୟତାର ଏକ ନିଆରା ଜୀବସତ୍ତା, ଯାହା ନିଜର ରକ୍ଷଣାବେକ୍ଷଣ ନିମନ୍ତେ ଅନ୍ୟମାନଙ୍କଠାରେ କୌଣସି ଦାବି ଉପସ୍ଥାପନ କରେ ନାହିଁ ଏବଂ ଉଦାରତାର ସହ ନିଜ ଜୀବନଚର୍ଯ୍ୟାରୁ ସୃଷ୍ଟ ବିବିଧ ଉତ୍ପାଦକୁ ଅନ୍ୟମାନଙ୍କ ବିନିଯୋଗ ପାଇଁ ବିସ୍ତାରିତ କରିଦିଏ। ଏହା ବହୁବିଧ ଜୀବଙ୍କୁ ସୁରକ୍ଷା ଯୋଗାଏ, ଏପରିକି ତାକୁ କୁଠାରାଘାତ ଦ୍ୱାରା ଧ୍ବଂସ କରୁଥିବା ମଣିଷକୁ ମଧ୍ୟ ସୁଶୀତଳ ଛାୟା ପ୍ରଦାନ କରେ। ଗୌତମ ବୁଦ୍ଧଙ୍କର ଏହି ନୀତିବାଣୀ ବନ୍ୟ ପରିସଂସ୍ଥାର ମହାନତା ଏବଂ ମହତ୍ତ୍ୱକୁ ସୁନ୍ଦର ଭାବରେ ପ୍ରତିପାଦିତ କରେ। ପ୍ରକୃତିର ବୈଚିତ୍ର୍ୟମୟ ସୃଷ୍ଟିର ପଟାନ୍ତର ନାହିଁ। ପ୍ରାକୃତିକ ପରିସଂସ୍ଥାଗୁଡ଼ିକରେ ନିୟୁତ ସଂଖ୍ୟାରେ ବିଚିତ୍ରତାରେ ପରିପୂର୍ଣ୍ଣ ବିବିଧ ଜୀବଜାତି ଜୀବନ ନିର୍ବାହ କରନ୍ତି। ସ୍ଥଳଭାଗସ୍ଥ ପରିସଂସ୍ଥାଗୁଡ଼ିକ ମଧ୍ୟରେ ଜଙ୍ଗଲ ସମ୍ପଦ ମାନବ ଜାତି ତଥା ସମଗ୍ର ଜୀବଜଗତ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଆମ ଗ୍ରହର ବାଘ, ସିଂହ, ହାତୀ ଏବଂ ଗରିଲା ପରି କେତେକ ପ୍ରତୀକାତ୍ମକ ବୈଶିଷ୍ଟ୍ୟପୂର୍ଣ୍ଣ ଜୀବଙ୍କ ସହିତ ଜଙ୍ଗଲ ବହୁବିଧ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କୁ ଆଶ୍ରୟ ଦେଇଥାଏ। ଜଙ୍ଗଲ ହେଉଛି ଜୀବସତ୍ତା ବିବିଧତାର ଶ୍ରେଷ୍ଠ ପ୍ରତୀକ, ଯେଉଁଠି ସ୍ଥଳଭାଗର ପ୍ରାୟତଃ ୮୦% ଜୀବ ବସବାସ କରି ଜୈବ ବିବିଧତାର ସମ୍ଭାରକୁ ଋଦ୍ଧିମନ୍ତ କରନ୍ତି। ଆମେ ହୃଦୟଙ୍ଗମ କରିବା ଅପରିହାର୍ଯ୍ୟ ଯେ ଜଙ୍ଗଲ କେବଳ ବିଭିନ୍ନତାରେ ପରିପୂର୍ଣ୍ଣ ବୃକ୍ଷଲତା ଏବଂ ପ୍ରାଣୀମାନଙ୍କର ଏକ ସମାହାର ନୁହେଁ, ଏହାଠାରୁ ଯଥେଷ୍ଟ ଅଧିକ। ଉଭୟ ସଜୀବ ଏବଂ ନିର୍ଜୀବ ସମାହାରରେ ସୃଷ୍ଟ ଏହି ସ୍ଥଳୀୟ ପରିସଂସ୍ଥା ଏକ ଚଳଚଞ୍ଚଳ ଜୀବ ବାସସ୍ଥଳୀର ଭୂମିକା ନିର୍ବାହ କରିବା ସହ ବିବିଧ ପ୍ରକାର ଦ୍ରବ୍ୟ ଏବଂ ସେବା ପ୍ରଦାନର ଏକ ବିଶାଳ ପ୍ରାକୃତିକ ଉତ୍ସ ରୂପେ କାର୍ଯ୍ୟ ସମ୍ପାଦନ କରେ।
ମିଳିତ ଜାତିସଂଘର ସାଧାରଣ ଅଧିବେଶନ ୨୦୧୨ରେ ଅନ୍ତର୍ଜାତୀୟ ବନ ଦିବସ ରୂପେ ମାର୍ଚ୍ଚ ୨୧ ତାରିଖକୁ ଘୋଷଣା କରିଛି। ଏହା ପ୍ରଚ୍ଛଦରେ ଥିବା ଉଦ୍ଦେଶ୍ୟ ହେଉଛି, ପ୍ରତିବର୍ଷ ଏହା ପାଳନ ହେବା ଅବସରରେ ବିଶ୍ୱର ବିବିଧ ଜଙ୍ଗଲ ପରିସଂସ୍ଥାର ମହତ୍ତ୍ୱ ସମ୍ପର୍କରେ ଜନସାଧାରଣରେ ଅଧିକ ସଚେତନତା ଜାଗ୍ରତ କରିବା। ଜଙ୍ଗଲ, ପୁଷ୍ଟିକର ଖାଦ୍ୟ ଏବଂ ଖାଦ୍ୟ ସୁରକ୍ଷା ମଧ୍ୟରେ ଥିବା ସମ୍ପର୍କ ସହିତ ସ୍ବାସ୍ଥ୍ୟକୁ ସଂଯୋଗ କରିବାର ଆବଶ୍ୟକତାକୁ ଅନୁଭବକରି ୨୦୨୩ର ବିଶ୍ୱ ଜଙ୍ଗଲ ଦିବସର ମନୋନୀତ ବିଷୟବସ୍ତୁ ରହିଛି ‘ଜଙ୍ଗଲ ଓ ସ୍ବାସ୍ଥ୍ୟ’। ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଣ ନିମନ୍ତେ ଜଙ୍ଗଲର ଗୁରୁତ୍ୱ ସାମ୍ପ୍ରତିକ ସମୟରେ ଅଧିକ ଉପଲବ୍ଧି ହେଉଛି। ଜନସମାଜର ସୁସ୍ଥ ଜୀବନଯାପନ ନିମନ୍ତେ ଏକ ସୁସ୍ଥ, ଗୁଣାତ୍ମକ ମାନ ବହନକାରୀ ପରିବେଶ ଏବଂ ଜଙ୍ଗଲର ଉପସ୍ଥିତି ଏକାନ୍ତ ଅପରିହାର୍ଯ୍ୟ। ଜଙ୍ଗଲ ଜଳଚକ୍ର ନିୟନ୍ତ୍ରଣ ସହ ଜଳକୁ ସ୍ବଚ୍ଛତା ପ୍ରଦାନକରେ, ଅମ୍ଳଜାନ ସୃଷ୍ଟି ଓ ପ୍ରଦୂଷିତ ବାୟୁକୁ ବିଶୁଦ୍ଧ କରେ, ମୃତ୍ତିକା ସଂରକ୍ଷଣ ଓ ପୋଷକ ପୁନଃଚକ୍ରଣ କରେ, ଉତ୍ତାପ ନିୟନ୍ତ୍ରଣ ସହ ଅଙ୍ଗାରକ ଗଚ୍ଛିତୀକରଣ ଦ୍ୱାରା ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େ, ଖାଦ୍ୟ ପଦାର୍ଥ ଏବଂ ଜୀବନ ରକ୍ଷାକାରୀ ଔଷଧ ଯୋଗାଏ ଏବଂ ଆମର ସୁସ୍ଥତା ରକ୍ଷାରେ ଉନ୍ନତି ସାଧନ କରେ।
ବିଶ୍ୱର ପ୍ରାୟ ୧୬୦ କୋଟି ଅଧିବାସୀଙ୍କର ଜୀବନ, ଜୀବିକା, ସଂସ୍କୃତି ଏବଂ ପରମ୍ପରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଙ୍ଗଲ ପରିସଂସ୍ଥା ସହ ଓତପ୍ରୋତ ଭାବରେ ଜଡ଼ିତ। ତେବେ ଜଙ୍ଗଲର ଅମୂଲ୍ୟ ପରିସଂସ୍ଥୀୟ, ଅର୍ଥନୈତିକ, ସାମାଜିକ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତ୍ୱ ଥିବା ସତ୍ତ୍ୱେ ଏହା ବିଭିନ୍ନ ଭାବରେ ମାନବୀୟ ନକାରାତ୍ମକ କାର୍ଯ୍ୟକଳାପ ଦ୍ୱାରା କ୍ରମଶଃ ଅବକ୍ଷୟିତ ହୋଇଚାଲିଛି। ଏହି ମୂଲ୍ୟବାନ୍‌ ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖି ପରବର୍ତ୍ତୀ ପିଢ଼ିକୁ ଏହାର ସେବାରୁ ବଞ୍ଚିତ ନ କରିବା ସାମ୍ପ୍ରତିକ ସମାଜର ଏକ ନୈତିକ ଦାୟିତ୍ୱ। ଜଙ୍ଗଲ ଦିବସ ପାଳନ ଅବସରରେ ଆମେ ପ୍ରତିବଦ୍ଧତା ପ୍ରକାଶ କରିବା ଆବଶ୍ୟକ ଯେ କେବଳ ଜଙ୍ଗଲଠାରୁ ଗ୍ରହଣ କରିବା ନୁହେଁ, ଏହାର ସୁରକ୍ଷା ଏବଂ ସଂରକ୍ଷଣ ନିମନ୍ତେ ବିଜ୍ଞତାର ପ୍ରଦର୍ଶନ ପୂର୍ବକ କାର୍ଯ୍ୟକ୍ରମ ଗ୍ରହଣ କରିବା ଶ୍ରେଷ୍ଠ ଅବଦାନ ହେବ।
ଜଙ୍ଗଲ ପରିବେଶରେ ଆଦି ମାନବର ଆବିର୍ଭାବଠାରୁ ବର୍ତ୍ତମାନର ଅତ୍ୟାଧୁନିକ ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନର ବିଭିନ୍ନ ଦିଗ ଜଙ୍ଗଲ ପରିସଂସ୍ଥା ସହିତ ନିବିଡ଼ ଭାବରେ ସଂଯୁକ୍ତ ହୋଇଆସିଛି। ଝରଣାର ନିର୍ମଳ ଜଳରେ ତୃଷା ନିବାରଣ କରିବା, ବୃକ୍ଷର ସ୍ବାଦିଷ୍ଟ ଫଳାହାର ଦ୍ୱାରା କ୍ଷୁଧା ମେଣ୍ଟାଇବା, କାଷ୍ଠର ବିନିଯୋଗରେ ଗୃହ ନିର୍ମାଣ କରିବା, ସଂଗୃହୀତ ବିଭିନ୍ନ ଲଘୁଜାତ ଦ୍ରବ୍ୟର ବ୍ୟବହାରରେ ନିଜର ଆବଶ୍ୟକତା ପୂରଣ କରିବା ଅଥବା ମନୋରମ ଦୃଶ୍ୟର ଉପଭୋଗରେ ଆଧ୍ୟାତ୍ମିକତାର ସନ୍ଧାନ ହାସଲ କରିବା ହେଉଛି ଜଙ୍ଗଲରୁ ଉପଲବ୍ଧ ହେଉଥିବା ହିତସାଧନର କେତୋଟି ଦୃଷ୍ଟାନ୍ତ ମାତ୍ର। ଜଙ୍ଗଲ ବିଶ୍ୱର ପ୍ରାୟତଃ ୨୫୦ କୋଟି ଲୋକଙ୍କୁ ବିବିଧ ସାମଗ୍ରୀ ଏବଂ ସେବା ପ୍ରଦାନ କରେ ତଥା ରୋଜଗାର ଏବଂ ଆୟର ଉତ୍ସ ରୂପେ ସୁଯୋଗ ସୃଷ୍ଟି କରେ। ସମ୍ପ୍ରତି ବିବିଧ ଉନ୍ନୟନ କାର୍ଯ୍ୟ ଏବଂ ସହରାଞ୍ଚଳର ପ୍ରସାରଣ ପରିପ୍ରେକ୍ଷୀରେ ଜଙ୍ଗଲ ବିଧ୍ୱଂସିତ ଓ ସଙ୍କୁଚିତ ହୋଇ ବର୍ଷକୁ ପ୍ରାୟ ୧ କୋଟି ହେକ୍ଟର ଆକାରରେ ହ୍ରାସପାଉଛି। ପ୍ରଚଳିତ ଅସହନୀୟ ବିକାଶର ପରିଣାମରେ ବନାଞ୍ଚଳ ସବୁ ଖଣ୍ଡ ବିଖଣ୍ଡିତ, ଆକାର ସଙ୍କୁଚିତ, ଜୈବ ବିବିଧତାରେ ହ୍ରାସ ଏବଂ ଗୁଣାତ୍ମକ ମାନରେ କ୍ରମ ଅବନତି ଘଟିଚାଲିଛି। ବନାଗ୍ନିରେ ବୃଦ୍ଧି, ମରୁଡ଼ିର ପ୍ରଭାବ, କୀଟପତଙ୍ଗ ଆକ୍ରମଣ, ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନର ଅଭୂତପୂର୍ବ ପ୍ରଭାବରେ ଜଙ୍ଗଲ ଅବକ୍ଷୟିତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ସହରାଞ୍ଚଳର କଂକ୍ରିଟ ଭିତ୍ତିଭୂମିରେ ପ୍ରାକୃତିକ ପରିବେଶର ଅନୁପସ୍ଥିତି କାରଣରୁ ବହୁ ପରିବେଶୀୟ ସମସ୍ୟା ସୃଷ୍ଟି ହେଉଥିବାରୁ ଏବେ ‘ନଗର ବନ’ ସ୍ଥାପନ ନିମନ୍ତେ ପ୍ରୟାସ ହେଉଛି, ଯାହା ସହରବାସୀଙ୍କ ପାଇଁ ଶୁଭଙ୍କର। ସହରୀ ଜଙ୍ଗଲ ଏବଂ ପଥପାର୍ଶ୍ୱ ବୃକ୍ଷରାଜି ଯେ କେବଳ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ ତା’ନୁହେଁ, ଏହା ସହ ବିଲୁପ୍ତ ହେଉଥିବା ଜୈବ ବିବିଧତାକୁ ପୁନରୁଜ୍ଜୀବିତ କରିବାରେ ବିଶେଷ ଭୂମିକା ନିର୍ବାହ କରିବେ।
ସମ୍ପ୍ରତି ଜଙ୍ଗଲ ବିଧ୍ୱଂସ, ସହରୀକରଣ, ଶିଳ୍ପ ବିକାଶ, କୃଷି ସମ୍ପ୍ରସାରଣ ଏବଂ ଅସହନୀୟ କୃଷି ପଦ୍ଧତିରୁ ସୃଷ୍ଟ ବର୍ଦ୍ଧିତ ଚାପରେ ପରିବେଶର ଅବନତି ଘଟୁଥିବା ପରିପ୍ରେକ୍ଷୀରେ ଆମକୁ ଜୈବ ବିବିଧତାରେ ସମୃଦ୍ଧ ଜଙ୍ଗଲ ପରିସଂସ୍ଥାକୁ ସୁରକ୍ଷିତ ରଖିବାକୁ ପଡ଼ିବ। ସୁରକ୍ଷିତ ଜଙ୍ଗଲ ଏହା ଉପରେ ନିର୍ଭରଶୀଳ ଗୋଷ୍ଠୀମାନଙ୍କର ସୁସ୍ଥତା ନିମନ୍ତେ ପୁଷ୍ଟିକର ଫଳ, ପୁଷ୍ପ, ପତ୍ର, ଛତୁ ଏବଂ ଅନ୍ୟାନ୍ୟ ପଦାର୍ଥ ତଥା ବହୁ ସଂଖ୍ୟକ ଔଷଧୀୟ ଉଦ୍ଭିଦ ପ୍ରଦାନ କରିବାରେ ସକ୍ଷମ ହେବ। ଏପରି ପୃଷ୍ଠଭୂମିରେ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ପ୍ରସଙ୍ଗରେ ଉତ୍କୃଷ୍ଟ ନୀତି ନିୟମର ପ୍ରଣୟନ ଏବଂ ଉତ୍ତମ ମାନବୀୟ ଅଭ୍ୟାସର ଅବଲମ୍ବନ ହିଁ ବହୁ ପରିବେଶୀୟ ସମସ୍ୟା ସମାଧାନରେ ସହାୟକ ହେବ। କେନିଆର ପୂର୍ବତନ ପରିବେଶ ମନ୍ତ୍ରୀ ଗ୍ରୀନ୍‌ ବେଲ୍ଟ ଆନ୍ଦୋଳନର ପୁରୋଧା ତଥା ନୋବେଲ ପୁରସ୍କାରପ୍ରାପ୍ତ ୱାଙ୍ଗାରି ମାଥାଇଙ୍କର ଉକ୍ତି ଏହି ପରିପ୍ରେକ୍ଷୀରେ ଅତ୍ୟନ୍ତ ଉପଯୋଗୀ । ଆମ ଗ୍ରହର ଭବିଷ୍ୟତ ଆମ ସମସ୍ତଙ୍କୁ ହିଁ ଜଡ଼ିତ କରେ ଏବଂ ଏହାର ସୁରକ୍ଷା ନିମନ୍ତେ ଯାହା ସମ୍ଭବ ତାହା ହିଁ କରିବା ଉଚିତ। ମୁଁ ବନ ସୁରକ୍ଷା ଅଧିକାରୀ ଏବଂ ମହିଳାମାନଙ୍କୁ ବ୍ୟକ୍ତ କରିଥିଲି ଯେ ତୁମେ ଗଛ ଲଗାଇବା ପାଇଁ କୌଣସି ଡିପ୍ଲୋମାର ଆବଶ୍ୟକତା ନାହିଁ। ଜଙ୍ଗଲ ସୁରକ୍ଷା ଦିଗରେ ନିଜ ଅବଦାନ ରଖିବା ନିମନ୍ତେ ମାଥାଇଙ୍କର ଏହି ବାର୍ତ୍ତାର ଅଭିପ୍ରାୟ ଆମ ସମସ୍ତଙ୍କୁ ଉଦ୍‌ବୁଦ୍ଧ କରୁ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ-୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri