Categories: ଖେଳ

ସୁଲତାନ ଜୋହର କପ୍‌ ହକି :ଭାରତ-ବ୍ରିଟେନ ଫାଇନାଲ ମୁକାବିଲା

ଜୋହର ବାହରୁ(ମାଲେସିଆ), ୧୯।୧୦-
ଏଠାରେ ଚାଲିଥିବା ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଭାରତ-ଗ୍ରେଟ୍‌ ବ୍ରିଟେନ ମ୍ୟାଚ ୩-୩ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ମଧ୍ୟରେ ଶନିବାର ଫାଇନାଲ ମୁକାବିଲା ହେବ। ପୂର୍ବରୁ ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ସଫଳ ପ୍ରତ୍ୟାବର୍ତ୍ତନ ସହ ଏହି ମ୍ୟାଚରେ ଭଲ ଅଭ୍ୟାସ କରିପାରିଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ଶୀଳାନନ୍ଦ ଲାକ୍ରା, ମନଦୀପ ମୋର ଓ ଶାରଦାନନ୍ଦ ତିଓ୍ବାରୀ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ପ୍ରଥମ କ୍ୱାର୍ଟର ଖେଳ ଭାରତ ନିୟନ୍ତ୍ରଣରେ ରହିଥିଲା। ଖେଳାଳିମାନେ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଫିନିଶିଂ ଅଭାବର ଗୋଲ ହୋଇପାରି ନ ଥିଲା। ୧୧ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଦୀନଚନ୍ଦ୍ର ସିଂ ଗୋଲରେ ପରିଣତ କରିପାରି ନ ଥିଲେ। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ମଧ୍ୟ ଭାରତୀୟ ଖେଳାଳିମାନେ ପ୍ରଭାବୀ ରହିଥିଲେ। ଗୁରସାହିବଜିତ ସିଂ, ସୁଦୀପ ଚିରମାକୋ ଗୋଲ ଦେବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ପେନାଲ୍ଟି କର୍ନରରୁ ସଞ୍ଜୟଙ୍କ ଡ୍ରାଗ୍‌ଫ୍ଲିକ୍‌ ଓ୍ବାଇଡ ହୋଇ ଯାଇଥିଲା। ୨୭ତମ ମିନିଟରେ ବ୍ରିଟେନକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ଲୋନ୍‌ ଓ୍ବାଲ୍ସ ଡ୍ରାଗ୍‌ଫ୍ଲିକ୍‌ ଜରିଆରେ ଏହାକୁ ଗୋଲରେ ପରିଣତ କରି ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଦଳକୁ ଅଗ୍ରଣୀ କରାଇଥିଲେ।
ତୃତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୩୩ତମ ମିନିଟରେ ଆଣ୍ଡ୍ର୍ୟୁ ମ୍ୟାକକୋନେଲଙ୍କ ଗୋଲ ବଳରେ ବ୍ରିଟେନ ଏହାର ଗୋଲ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲା। ୪ର୍ଥ କ୍ୱାର୍ଟରରେ ଭାରତ ଭିନ୍ନ ଧରଣର ଖେଳ ଦେଖାଇଥିଲା। ଗୋଲ ପରିଶୋଧ ପାଇଁ ବ୍ୟଗ୍ର ଥିବା ଖେଳାଳିମାନେ ଏଥର କିନ୍ତୁ ସୁଯୋଗକୁ ହାତଛଡ଼ା କରି ନ ଥିଲେ। ୪୮ତମ ମିନିଟରେ ସର୍କଲ ଭିତରେ ପାଇଥିବା ପାସ୍‌କୁ ଶୀଳାଳନ୍ଦ ଗୋଲରେ ପରିଣତ କରି ଗୋଲ ବ୍ୟବଧାନକୁ ହ୍ରାସ କରାଇଥିଲେ। ଏହାର ୩ ମିନିଟ ପରେ ମନଦୀପ ମୋର ଗୋଟିଏ ଗୋଲ ଦେଇ ମ୍ୟାଚକୁ ୨-୨ରେ ପହଞ୍ଚାଇ ଦେଇଥିଲେ। ଫଇନାଲରେ ପ୍ରବେଶ ପାଇଁ ବ୍ରିଟେନ ଅତିକମ୍‌ରେ ମ୍ୟାଚକୁ ଡ୍ର ରଖିବା ଆବଶ୍ୟକ ହେଉଥିଲା। ମାତ୍ର ଭାରତ ସହଜରେ ଛାଡ଼ିବାକୁ ପ୍ରସ୍ତୁନ ନ ଥିଲା। ୫୭ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନରକୁ ଶାରଦାନନ୍ଦ ଗୋଲରେ ପରିଣତ କରି ବ୍ରିଟେନ ଉପରେ ଚାପ ପ୍ରୟୋଗ କରିଥିଲେ। ଭାଗ୍ୟଦେବୀ ବ୍ରିଟେନକୁ ସହାୟକ ହୋଇଥିଲେ। ୫୯ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ମାଥ୍ୟୁ ରେନ୍‌ଶ ଗୋଲରେ ପରିଣତ କରିବାରୁ ମ୍ୟାଚ ଅମୀମାଂସିତଭାବେ ଶେଷ ହୋଇଥିଲା।

Share