Categories: ଖେଳ

ସୁବ୍ରତ ଓସିଏର ନୂଆ ସିଇଓ

କଟକ ଅଫିସ,୧୨ା୩-  ରାଜ୍ୟର ପୂର୍ବତନ କ୍ରିକେଟ ଖେଳାଳି ସୁବ୍ରତ କୁମାର ବେହେରା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ପାଇଛନ୍ତି। ବୁଧବାର ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦ୍ୟୁତ କୁମାର ନାୟକ ପୂର୍ବରୁ ଏହି ପଦବୀରେ ରହିଥିଲେ।
ଗତ ନଭେମ୍ବର ୨୭ରେ ସିଇଓ ନିଯୁକ୍ତି ନେଇ ଓସିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାଇସ୍‌ ୱାଟର ହାଉସ୍‌ ଆଣ୍ଡ କୁପର୍ସ ଦ୍ୱାରା ଆୟୋଜିତ ସିଇଓ ନିଯୁକ୍ତି ପ୍ରକ୍ରିୟାରେ ଅନେକ ଆଶାୟୀ ଆବେଦନ କରିଥିଲେ। ଗତ ଫେବୃୟାରୀ ୮ ଓ ୯ ଦୁଇ ଦିନ ଧରି ହୋଇଥିବା ଚୂଡ଼ାନ୍ତ ପର୍ଯ୍ୟାୟ ସାକ୍ଷାତକାରରେ ସୁବ୍ରତ ଉତ୍ତୀର୍ଣ୍ଣ ହୋଇଥିଲେ। ଶିକ୍ଷାଗତ ଯୋଗ୍ୟତା ଏମବିଏ ରଖିଥିବା ସୁବ୍ରତଙ୍କର କ୍ରିକେଟରେ ମଧ୍ୟ ସଫଳ କ୍ୟାରିୟର ରହିଛି। ୨୦୦୧ରେ ସେ ରାଜ୍ୟ ପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟ ଫର୍ମାଟରେ ପଦାର୍ପଣ କରିଥିଲେ। ୧୨ଟି ମ୍ୟାଚ୍‌ରୁ ମୋଟ୍‌ ୪୭୯ରନ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୪ଟି ଅର୍ଦ୍ଧଶତକୀୟ ଇନିଂସ ଥିଲା। ସେ ୪ଟି ଲିଷ୍ଟ-ଏ ମ୍ୟାଚ୍‌ ଖେଳିଥିବା ବେଳେ ମୋଟ୍‌ ୯୮ରନ କରିଥିଲେ। ଲିଷ୍ଟ-ଏ ଫର୍ମାଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୭୧ରନ। ପୂର୍ବାଞ୍ଚଳ ଦଳ ପକ୍ଷରୁ ମଧ୍ୟ ସୁବ୍ରତ ପ୍ରତିନିଧିତ୍ୱ କରିଛନ୍ତି। ୧୦ବର୍ଷ ଧରି ସୁବ୍ରତ ରାଜ୍ୟ ଜୁନିୟର ଦଳର କୋଚ୍‌ ଦାୟିତ୍ୱରେ ଥିଲେ। ୨୦୧୦ରୁ ୨୦୧୮ ପର୍ଯ୍ୟନ୍ତ ସେ ପ୍ରଶିକ୍ଷକ ଦାୟିତ୍ୱ ବହନ କରିବା ପରେ ଗତ ୨ବର୍ଷ ହେବ ଜୁନିୟର ଦଳର ଚୟନକର୍ତ୍ତା କମିଟିରେ ରହିଥିଲେ। ଏବେ ରାଜ୍ୟ କ୍ରିକେଟରେ ଥିବା କେତେକ ସମସ୍ୟା ଦୂର କରିବା ଦିଗରେ କାର୍ଯ୍ୟ କରିବି ବୋଲି ସୁବ୍ରତ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବରୁ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଘରୋଇ କ୍ରିକେଟ ମ୍ୟାଚ୍‌ ହେଉ ନ ଥିଲା। ସମ୍ପାଦକ ସଞ୍ଜୟ ବେହେରାଙ୍କ ଭିଜନ-୨୦୨୪ ଆଧାରରେ ଏବେ ଘରୋଇ ଟୁର୍ନାମେଣ୍ଟ କରାଯାଉଛି। ବହୁଳ ଭାବେ ଘରୋଇ ଟୁର୍ନାମେଣ୍ଟ ହେଲେ ଅନେକ ପ୍ରତିଭା ସାମ୍ନାକୁ ଆସିବେ ବୋଲି କଟକ ଗତିରାଉତ ପାଟଣା ଅଞ୍ଚଳର ସୁବ୍ରତ ପ୍ରକାଶ କରିଛନ୍ତି।

Share