ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ ‘ବୁଲବୁଲ୍‌’: ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା, ବଢ଼ିବ ପବନର ବେଗ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ଭୟଙ୍କର ରୂପ ଧାରଣ କରିସାରିଛି ବାତ୍ୟା ‘ବୁଲବୁଲ୍‌’। ଏହା ଘଣ୍ଟା ପ୍ରତି ୧୨ କିମି ବେଗରେ ଉତ୍ତର ଦିଗରେ ଗତି କରୁଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏହା ପଶ୍ଚିମବଙ୍ଗ-ବାଲାଂଦେଶ ମଧ୍ୟଦେଇ ଯିବ। ଏପରିକି ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ୍‌ କରିବ ଅର୍ଥାତ ସ୍ଥଳଭାଗ ଛୁଇଁବ। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ମଧ୍ୟ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ଉପକୂଳ ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବହିବା ସହ ବର୍ଷା ହେଉଛି। ଶନିବାର ସକାଳେ ଏହା ୫୫ରୁ ୭୫ କିମି ପର୍ଯ୍ୟନ୍ତ ବଢ଼ିବ। ପରେ ମଧ୍ୟାହ୍ନରୁ ସନ୍ଧ୍ୟା ଯାଏ ପବନର ବେଗ ୭୦ରୁ ୯୦ କିମି ଛୁଇଁବ। ବିଶେଷକରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲାରେ ପବନ ହେବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୯ଟି ଜିଲାର ପ୍ରଶାସନ ସଜାଗ ରହିଛି। ଓଡ୍ରାଫ୍‌ ଟିମ୍‌ ଏବଂ ଗୋଟିଏ ଲେଖାଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବିଭିନ୍ନ ଜିଲାରେ ପହଞ୍ଚୁଛନ୍ତି। ଏପରିକି ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଛି।