ସୁନ୍ଦରବନରେ ‘ଅମ୍ଫନ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ, ପ୍ରବେଶ କରୁଛି ବାହ୍ୟ ଅଂଶ: ବିଶ୍ୱାସ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଅପରାହ୍ନ ୨ଟା ୩୦ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ବାତ୍ୟାର ବାହ୍ୟ ଅଂଶ ପଶ୍ଚିମବଙ୍ଗରେ ପ୍ରବେଶ କରୁଛି। ପ୍ରାୟ ୪ ଘଣ୍ଟା ଧରି ଏହା ଚାଲିବ ବୋଲି ଆକଳନ କରାଯାଉଛି। ପୂର୍ବ ଆକଳନ ଅନୁସାରେ ସୁନ୍ଦରବନରେ ହିଁ ବାତ୍ୟା ଲ୍ୟାଣ୍ଡଫଲ୍‌ କରୁଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି, ବାତ୍ୟା ଏବେ ଉତ୍ତର ଓଡ଼ିଶା ଅତିକ୍ରମ କରୁଛି। ଏହାର ପ୍ରଭାବରେ ବାଲେଶ୍ୱରରେ ପବନର ବେଗ ୧୧୦-୧୨୦ କିମି ରହିଛି। ସେହିଭଳି ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ବିିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିବା ସହ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ତେବେ ଆସନ୍ତା ୨୪ ଘଣ୍ଟା ପରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ହୋଇଯିବ ବୋଲି ମଧ୍ୟ ସେ କହିଛନ୍ତି।