Posted inଖେଳ

ସୁନୀଲ ଜୋଷୀ ଜାତୀୟ ଚୟନ କମିଟି ଅଧ୍ୟକ୍ଷ

ମୁମ୍ବାଇ, ୫।୩(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ପକ୍ଷରୁ ପୂର୍ବତନ ସ୍ପିନର ସୁନୀଲ ଜୋଷୀଙ୍କୁ ଜାତୀୟ ଚୟନ କମିଟି ଅଧ୍ୟକ୍ଷ ମନୋନୀତ କରାଯାଇଛି। ପୂର୍ବତନ ଦ୍ରୁତ ବୋଲର ହରବିନ୍ଦର ସିଂ ୫ ସଦସ୍ୟ ବିଶିଷ୍ଟ ପ୍ୟାନେଲରେ ସାମିଲ ହୋଇଛନ୍ତି। ମଦନ ଲାଲ, ଆର.ପି. ସିଂ ଓ ସୁଲକ୍ଷଣା ନାୟକଙ୍କୁ ନେଇ ଗଠିତ ସିଏସି ସାଉଥ୍‌ ଜୋନ୍‌ ପାଇଁ ଏମଏସକେ ପ୍ରସାଦଙ୍କ ସ୍ଥାନରେ ଜୋଷୀଙ୍କୁ ଚୟନ କମିଟିରେ ନେଇଛି। ୪ ବର୍ଷ କାର୍ଯ୍ୟକାଳ ପୂରିବା ପରେ ମଧ୍ୟ ପ୍ରସାଦ ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରି ଆସୁଥିଲେ। ଜୋଷୀ ଜାତୀୟ ପୁରୁଷ ସିନିୟର ଚୟନ କମିଟି ଅଧ୍ୟକ୍ଷ ହେଲେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ଆନୁଷ୍ଠାନିକଭାବେ ଘୋଷଣା କରିଛନ୍ତି।
ହରବିନ୍ଦର ସେଣ୍ଟ୍ରାଲ ଜୋନ୍‌ରୁ ଏହି ପ୍ୟାନେଲରେ ପ୍ରତିନିଧିତ୍ୱ କରିବେ। ସେ ଗଗନ ଖୋଡାଙ୍କ ସ୍ଥାନ ନେଇଛନ୍ତି। ଏହି ଦୁଇଜଣଙ୍କୁ ଛାଡ଼ିଦେଲେ ଚୟନ ପ୍ୟାନେଲରେ ଥିବା ଅନ୍ୟ ୩ ସଦସ୍ୟ ହେଲେ ଯତୀନ ପାରାଞ୍ଜପେ(ଓ୍ବେଷ୍ଟ ଜୋନ୍‌), ଦେବାଙ୍ଗ ଗାନ୍ଧୀ(ଇଷ୍ଟ ଜୋନ୍‌) ଓ ଶରଣଦୀପ ସିଂ (ନର୍ଥ ଜୋନ୍‌)। ଜୋଶୀ ପୂର୍ବରୁ ବାଂଲାଦେଶ ଦଳର ସପୋର୍ଟ ଷ୍ଟାଫ୍‌ ରହି ସାରିଛନ୍ତି। ଏହା ବ୍ୟତୀତ ସ୍ପଷ୍ଟବାଦୀ ସ୍ବଭାବ ପାଇଁ ସେ ପ୍ରଥମ ପସନ୍ଦ ହୋଇଥିଲେ ବୋଲି ମଦନଲାଲ କହିଛନ୍ତି। ଚୟନ କମିଟି ସଦସ୍ୟ ପାଇଁ ମୋଟ ୪୦ ଜଣ ଆବେଦନ କରିଥିବାବେଳେ ସିଏସି ଦ୍ୱାରା ୫ ଜଣଙ୍କୁ ଶର୍ଟଲିଷ୍ଟ କରାଯାଇଥିଲା। ସେମାନେ ହେଲେ ଜୋଷୀ, ହରବିନ୍ଦର, ଭେଙ୍କଟେଶ ପ୍ରସାଦ, ରାଜେଶ ଚୌହାନ ଓ ଏଲ.ଏସ. ଶିବରାମକ୍ରିଷ୍ଣନ। ଅଜିତ ଅଗରକର ଓ ନୟନ ମୋଙ୍ଗିଆ ଆବେଦନ କରିଥିଲେ ହେଁ ଶର୍ଟଲିଷ୍ଟ ମଧ୍ୟକୁ ଆସିପାରି ନ ଥିଲେ। ତେବେ ଆସନ୍ତା ସେପ୍ଟେମ୍ବରରେ ପାରାଞ୍ଜପେଙ୍କ କାର୍ଯ୍ୟକାଳ ସରିଲେ ଏ ଦୁହେଁ ଦୌଡ଼ରେ ସାମିଲ ହୋଇପାରିବେ। ସେ ସମୟରେ ଦେବାଙ୍ଗ ଓ ଶରଣଦୀପଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବ। ସେପ୍ଟେମ୍ବରରେ ୩ ସଦସ୍ୟଙ୍କ କାର୍ଯ୍ୟକାଳ ସରିବା ପରେ ସିଏସି ପ୍ୟାନେଲ ବସି ସେମାନଙ୍କ ସ୍ଥାନରେ ନୂଆ ସଦସ୍ୟ ଚୟନ କରିବେ। ଏହା ବ୍ୟତୀତ ଏହି ବୈଠକରେ ନୂଆ ଚୟନ କମିଟିର କାର୍ଯ୍ୟକଳାପ ମଧ୍ୟ ସମୀକ୍ଷା ହେବ। ସାଉଥ୍‌ରୁ ଜୋଷୀ ଏବଂ ସେଣ୍ଟ୍ରାଲରୁ ହରବିନ୍ଦରଙ୍କୁ ଚୟନ ଦ୍ୱାରା ବୋର୍ଡ ୫ ଜୋନ୍‌ ପଲିସିରେ ଦୃଢ଼ ରହିଥିବା ସ୍ପଷ୍ଟ ହୋଇଯାଇଛି। କମିଟିରୁ ବିଦାୟ ନେଇଥିବା ପ୍ରସାଦ ଓ ଖୋଡା ଗତ ୨୦୧୫ରେ ନିଯୁକ୍ତ ହୋଇଥିଲେ। ଗତ ନଭେମ୍ବରରେ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।
୪୯ ବର୍ଷୀୟ ଜୋଷୀ ୧୯୯୬ରୁ ୨୦୦୧ ମଧ୍ୟରେ ୧୫ ଟେଷ୍ଟ, ୬୯ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୪୧ ଓ ଦିନିକିଆରେ ୬୯ଟି ଉଇକେଟ ନେଇଛନ୍ତି। ସେହିପରି ୪୨ ବର୍ଷରେ ପଦାର୍ପଣ କରିଥିବା ହରବିନ୍ଦର ଭାରତ ପକ୍ଷରୁ ୧୯୯୮ରୁ ୨୦୦୧ ମଧ୍ୟରେ ୩ଟି ଟେଷ୍ଟ ଓ ୧୬ଟି ଏକଦିବସୀୟ ଖେଳି ଯଥାକ୍ରମେ ୪ ଓ ୨୪ଟି ଉଇକେଟ ନେଇଛନ୍ତି। ପ୍ରସାଦଙ୍କ ନେତୃତ୍ୱାଧୀନ ପ୍ୟାନେଲ ସଦସ୍ୟଙ୍କ ଖେଳିବା ଅଭିଜ୍ଞତାକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିଲା। ତେଣୁ ସିଏସି ଅଧିକ ଅଭିଜ୍ଞ ବ୍ୟକ୍ତିଙ୍କୁ ନେବାକୁ ମନସ୍ଥ କରିଥିଲା। ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ସମସ୍ତ ବିସିସିଆଇ କର୍ମକର୍ତ୍ତା ସିଏସିକୁ ଚୟନ ପ୍ୟାନେଲ ସଦସ୍ୟ ବାଛିବାପାଇଁ ସ୍ବାଧୀନ ଅଧିକାର ଦେଇଥିଲେ ବୋଲି ଖବରଦାତା ସମ୍ମିଳନୀରେ ମଦନ ଲାଲ ପ୍ରକାଶ କରିଛନ୍ତି। ଏପରିକି ଗାଙ୍ଗୁଲି ଚୟନ ପ୍ରସଙ୍ଗରେ ଗୋଟିଏ ଶବ୍ଦ ମଧ୍ୟ କହି ନ ଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri