ସୁଧୁରିପାରେ ଜଳବାୟୁ ପରିବର୍ତ୍ତନ ସଙ୍କଟ

ଓ୍ବାଶିଂଟନ,୧୪ା୬: କରୋନା ମହାମାରୀ ସଂକ୍ରମଣକୁ ହ୍ରାସ କରିବା ଲାଗି ବିଶ୍ୱବ୍ୟାପୀ ଲକ୍‌ଡାଉନ ବେଳେ ଏହାର ସୁଫଳ ପରିବେଶ ଉପରେ ପଡ଼ିଥିଲା। ଆମର କାର୍ଯ୍ୟ ହିଁ ଆଗାମୀ ପିଢ଼ି ପାଇଁ ଭଲ ପରିବେଶ ଦେବାକୁ ସକ୍ଷମ, ତାହାର ସମ୍ଭାବନା ଏଥିରୁ ସ୍ପଷ୍ଟ ହୋଇଥିଲା। କୋଭିଡ୍‌-୧୯ ଏବଂ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ସ୍ପଷ୍ଟ ସମ୍ପର୍କ ରହିଛି। ଜଳବାୟୁ ପରିବର୍ତ୍ତନ କୋଭିଡ୍‌ ଭଳି ମହାମାରୀ ବଢ଼ାଇଥାଏ। ରୋଗ ସଂକ୍ରମଣ କରାଉଥିବା କାରକର ସ୍ଥାନ ପରିବର୍ତ୍ତନ କିମ୍ବା ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁ ଆନ୍ତଃପ୍ରଜାତି ସଂସ୍ପର୍ଶରେ ଅଧିକ ଆସିବା କାରଣରୁ ଏଭଳି ମହାମାରୀ ହେଉଛି। ଫଳରେ ମାନବ ସମାଜକୁ ବଡ଼ ବିପଦର ସାମନା କରିବାକୁ ପଡ଼ୁଛି।
କୋଭିଡ୍‌-୧୯ ଘଟଣାରେ ସ୍ବାସ୍ଥ୍ୟଗତ ପ୍ରଭାବ କେବଳ ସଂକ୍ରମଣରେ ସୀମିତ ହୋଇନାହିଁ। ଏହାର ପ୍ରଭାବ ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ୁଛି। ୟୁରୋପରେ ଦେଖାଦେଇଥିବା ପ୍ରଳୟଙ୍କରୀ ଗ୍ରୀଷ୍ମ ପ୍ରବାହ, ଅଷ୍ଟ୍ରେଲିଆରେ ଅଭୂତପୂର୍ବ ଜଙ୍ଗଲ ନିଆଁ, ଆଫ୍ରିକା ଉପକୂଳରେ ସାମୁଦ୍ରିକ ବାତ୍ୟା ଇଡାଇରେ ହଜାର ହଜାର ଲୋକଙ୍କ ମୃତ୍ୟୁ ସମେତ ଅନ୍ୟ କେତେକ ଜଳବାୟୁ ଜନିତ ବିପର୍ଯ୍ୟୟ ଗତବର୍ଷ ଦେଖିବାକୁ ମିଳିଥିଲା।
ଚଳିତ ବର୍ଷ କରୋନା ମହାମାରୀ ସାରା ବିଶ୍ୱରେ ସ୍ବାସ୍ଥ୍ୟ ସଙ୍କଟ ସାଙ୍ଗକୁ ଅର୍ଥନୀତିରେ ବିପର୍ଯ୍ୟୟ ସୃଷ୍ଟି କରିଥିବାବେଳେ ଆଗକୁ ଏପରି ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼ିପାରେ। କୋଭିଡ୍‌ ବିଶ୍ୱ ଅର୍ଥନୀତିକୁ ଯେଭଳି ପ୍ରଭାବିତ କରିଛି ଏହାର ଗୁରୁତର ପ୍ରଭାବ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ରହିବ। ୪୦ରୁ ୬୦ ନିୟୁତ ଲୋକ ଅତି ଗରିବ ମଧ୍ୟକୁ ଠେଲିହୋଇଯିବେ ବୋଲି ବିଶ୍ୱ ବ୍ୟାଙ୍କ ପୂର୍ବାନୁମାନ କରିଛି। ତେବେ କୋଭିଡ୍‌କୁ ଯଦି ଆମେ ଏକ ସତର୍କ ଘଣ୍ଟି ଭାବେ ଗ୍ରହଣ କରି ପରିବର୍ତ୍ତନ ଆଣିବା ତେବେ ଭବିଷ୍ୟତ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି।

Share