ସିସିଫସ୍‌ ନୁହେଁ, କୃଷ୍ଣଚୂଡ଼ା

ସୁଧିରାଜ ରାଉତ
ଆଜି ରବିବାର ଅଫିସ ଛୁଟି, କାମର ବୋଝ ନାହିଁ, ଅଫିସରଙ୍କ ନାଲିଆଖି ନାହିଁ, ନିଜ ଇଚ୍ଛାରେ ଆଜି ମୁଁ ରଜା…। ଏମିତି ଭାବି ଭାବି ବିଛଣାରୁ ଉଠି ନ ଥାଏ ମା’ ଆଉ ସ୍ତ୍ରୀର କଥା ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଗଲା ଏବଂ ଏହା କିଛି ସମୟ ମଧ୍ୟରେ ଭୟଙ୍କର ଘୂର୍ଣ୍ଣିର ରୂପ ନେଲା। ବର୍ତ୍ତମାନ ମୁଁ ବିଛଣାରୁ ନ ଉଠି, ଶବ୍ଦଟିଏ ନ କହି ମଧ୍ୟ ମା’ ଆଉ ସ୍ତ୍ରୀ ମଧ୍ୟରେ ଝୁଲୁଥିବା ତ୍ରିଶଙ୍କୁ। ରାଜା ହେବାର ସ୍ବପ୍ନ ଭଙ୍ଗ ହେବା ପରେ ମନେ ପଡ଼ୁଥିଲା ଗ୍ରୀକ୍‌ ପୁରାଣର ରାଜା ସିସିଫସ୍‌ଙ୍କ କଥା। ରାଜା ସିସିଫସ୍‌ ଜୀବନତମାମ ଯେତିକି ପୁଣ୍ୟ କରିଥିଲେ ତା’ଠାରୁ ଅଧିକ ପାପ କରିଥିଲେ। ମୃତ୍ୟୁ ପରେ ଯମରାଜା ସିସିଫସ୍‌ଙ୍କୁ ପଚାରିଲେ, ତୁମେ ପ୍ରଥମେ ପୁଣ୍ୟ ଭୋଗ କରିବ ନା ପାପ? ସବୁ ବୁଝିସାରି ସିସିଫସ୍‌ କହିଲେ, ମୁଁ ଆଗ ପୁଣ୍ୟ ଭୋଗ କରିବାକୁ ଚାହେଁ। ଯମରାଜା କହିଲେ, କୁହ ତୁମେ କ’ଣ ଚାହଁ? ରାଜା କହିଲେ, ମୁଁ ଦେଖିବାକୁ ଚାହେଁ ମୋ ମୃତ୍ୟୁ ପରେ ମୋ ରାଜ୍ୟର ଅବସ୍ଥା। ଯମରାଜା କାନ୍ଥଆଡ଼େ କିଛି ସମୟ ଚାହିଁ ରହିଲେ। ପରଦା ଭଳି କାନ୍ଥରେ ଦୃଶ୍ୟମାନ ହେଲା ସିସିଫସ୍‌ଙ୍କ ରାଜ୍ୟର ବିଭିନ୍ନ ଦୃଶ୍ୟ। ପ୍ରଜାମାନେ କହୁଥାନ୍ତି, ଭଲହେଲା ପାପୀ ଦୁରାଚାରୀ ମରିଗଲା। ପୁତ୍ରମାନେ ପିତୃଅର୍ଜିତ ସମ୍ପଦକୁ ନେଇ କଳହ କରୁଥାନ୍ତି, ଆଉ ସ୍ତ୍ରୀ ଜଣେ ଅମାତ୍ୟଙ୍କ ପ୍ରେମରେ ମସ୍‌ଗୁଲ…। ଯମଲୋକରେ ଥାଇ ବି ରାଜାଙ୍କ କ୍ରୋଧର ପାରଦ ଶୀର୍ଷକୁ ଛୁଇଁଲା। ଯମଙ୍କୁ ଅନୁରୋଧ କଲେ, ମୋ ବଳକା ପୁଣ୍ୟବଳରେ ମୋତେ କିଛି ଦିନ ପାଇଁ ମର୍ତ୍ତ୍ୟକୁ ଫେରାଇ ଦିଅନ୍ତୁ, ଏମାନଙ୍କୁ ଉଚିତ ଶିକ୍ଷା ଦେଇଆସିବି। ଯମ ବହୁ କଷ୍ଟରେ ରାଜି ହେଲେ ଏବଂ ନର୍ଦ୍ଦିଷ୍ଟ ସମୟ ପୂର୍ବରୁ ଫେରି ଆସିବାକୁ ତାଗିଦ କଲେ। ଏଥର କଫିନ ଫିଟାଇ ରାଜା ସିସିଫସ୍‌ ପୁନଃ ଜିଇଉଠିଲେ। ରାଜାଙ୍କୁ ଦେଖି ପ୍ରଜାମାନେ ଜୟଗାନରେ ପ୍ରକମ୍ପିତ କଲେ ଚତୁର୍ଦ୍ଦିଗ, ପୁତ୍ରମାନେ ପିତାଙ୍କୁ ପାଇ ଖୁସିରେ ନାଚିବାକୁ ଲାଗିଲେ ଆଉ ସ୍ତ୍ରୀ କାନ୍ଦିଉଠି କହିଲେ- କେମିତି ବଞ୍ଚିଥାନ୍ତି କୁହ ତୁମ ବିନା? ରାଜା ଭୁଲିଗଲେ ଫେରିବାର ଅଭିପ୍ରାୟ ଏବଂ ଭୁଲିଗଲେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଫେରିବାର ତାଗିଦ। ପୁନଶ୍ଚ ଯମ ଆସି ବାନ୍ଧିନେଲେ। ଏହାର ପରିଣାମ ସ୍ବରୂପ ସିସିଫସ୍‌ଙ୍କୁ ଦଣ୍ଡବିଧାନ ହେଲା- ଏକ ବିଶାଳ ପଥରକୁ ଠେଲି ଠେଲି ପାହାଡ଼ର ଶିଖରକୁ ନେବାକୁ ହେବ, ଶିଖରରେ ପହଞ୍ଚିବା ମାତ୍ରେ ପଥର ସ୍ବତଃ ଫେରିଆସିବ ପାଦଦେଶକୁ। ପୁନଶ୍ଚ ପଥରଟିକୁ ଠେଲି ପାହାଡ଼ର ଶିଖରକୁ ନେବାକୁ ହେବ… ଅନନ୍ତ ସମୟ ପର୍ଯ୍ୟନ୍ତ ରାଜା ସିସିଫସ୍‌ ଏହା କରିଚାଲିଛନ୍ତି।
ବିଛଣାରେ ପଡ଼ିରହି ନିଜକୁ ଲାଗୁଥାଏ ମୁଁ ବି ଜଣେ ଅସହାୟ ସିସିଫସ୍‌। ଜୀବନରୂପୀ ପଥରକୁ ଗଡ଼ାଇ ଚାଲିଛି ଦିନରୁ ରାତି, ଜନ୍ମରୁ ମୃତ୍ୟୁ, ମୃତ୍ୟୁରୁ ଜନ୍ମ…। ସ୍ତ୍ରୀ ପାଟିକଲା କ’ଣ ଏଠି ଗାଲୁଆଙ୍କ ଭଳି ପଡ଼ିଛ, କିଛି ଶୁଭୁନାହିଁ ତୁମକୁ? କିଛି ନ କହି ନିତ୍ୟକର୍ମ ଶେଷ କରି ନିକଟ ଚା’ ଦୋକାନ ଖଟିକୁ ଚାଲିଗଲି ଏଇ ଆଶାନେଇ ଯେ, କିଛି ସମୟ ବାହାରେ ରହି ଫେରିବା ପରେ ମା’, ସ୍ତ୍ରୀ ସାଧାରଣ ଅବସ୍ଥାକୁ ଫେରିଆସିବେ। ଦୁଇ ଘଣ୍ଟା ପରେ ଫେରି ଦେଖିଲି- ଝଡ଼ କରାଳ ରୂପ ନେବାରେ ଲାଗିଛି। ସ୍ତ୍ରୀ ଟିଫିନ୍‌ ଥୋଇଦେଇ ଚାଲିଗଲା। ନିଜକୁ ପ୍ରଶ୍ନ କରୁଥିଲି- କିଛି ବି କାରଣ ନ ଥାଇ, ଅଭାବ ନ ଥାଇ, ସମସ୍ୟା ନ ଥାଇ କାହିଁକି ମଣିଷ ଜୀବନର ଶାନ୍ତ ଉପବନକୁ ଅଶାନ୍ତ ଘୂର୍ଣ୍ଣିରେ ବିନଷ୍ଟ କରେ? କାହିଁକିର ଅସହାୟତା ଉପରେ ଠିଆହୋଇ ଶୁଣୁଥାଏ ମା’, ସ୍ତ୍ରୀର ଶବ୍ଦ ସମର। ଏଠି କିଛି କହିବା ଅର୍ଥ ଏପଟେ ବ୍ରହ୍ମହତ୍ୟା ସେପଟେ ଗୋହତ୍ୟା। ତେଣୁ ମୁଁ ଏବେ ନୀରବଦ୍ରଷ୍ଟା। ଭାବିଲି ଏ ଦୁହେଁ ଲାଗିଥାନ୍ତୁ ମୁଁ ଯାଉଛି ଛାତ ଉପରେ ପାଟି କରୁ ନ ଥିବା, ଅଭିଯୋଗ କରୁ ନ ଥିବା, ଅଭିମାନ କରୁ ନ ଥିବା ଫୁଲଗଛଗୁଡ଼ିକ ସହ ସମୟ କାଟିବି। ଅନାବନା ଘାସ କାଢ଼ିଦେଇ ଗଛ ମୂଳକୁ ଖୁସେଇ ଦେଉଥାଏ। ମା’ ଆସି ପାଟିକଲା- ତୋତେ ଦିଶୁନାହିଁ ଏମିତି ନୀରବ ଠାକୁର କାହିଁକି ହୋଇଛୁ, ସେ କ’ଣ କ’ଣ କହୁଛି ତୋତେ ଶୁଭୁନାହିଁ? କହିଲି- ମୋତେ ଶାନ୍ତିରେ ଗୋଟିଏ ଘଣ୍ଟା, ଗୋଟିଏ ଦିନ ବଞ୍ଚିବାକୁ ଦିଅ।
ସକାଳୁ ଖାଇନାହିଁ, ଖରାବେଳେ ନ ଖାଇ ଶୋଇପଡ଼ିଲି। ଚାରିଟା ବେଳକୁ ପ୍ରବଳ ପବନ ବହିବାକୁ ଲାଗିଲା। ଅଧଘଣ୍ଟାର କାଳବୈଶାଖୀ ସବୁକିଛି ଛିନ୍‌ଛତ୍ର କରି ଚାଲିଗଲା। ମୁଁ ମୋ ସବୁଦିନିଆ ସାନ୍ଧ୍ୟଭ୍ରମଣରେ ବାହାରିପଡ଼ିଲି। ମୋ ଛୋଟ ସହରର ରାସ୍ତାଘାଟରେ ଡାଳପତ୍ର ଭାଙ୍ଗି ପଡ଼ିଛି, କାହାର ଘର ଟିଣ ଉଡ଼ିଯାଇଛି, କେଉଁଠି ଇଲେକ୍ଟ୍ରି ପୋଲ ବାଙ୍କିଯାଇଛି…। ସହର ଡେଇଁ କିଲୋମିଟରରୁ ଅଧିକ ହେବ ସେଇ କୃଷ୍ଣଚୂଡ଼ା ଛକ ପାଖେ ପହଞ୍ଚିଲି। କାଳବୈଶାଖୀରେ ଭାଙ୍ଗିପଡ଼ିଛି କୃଷ୍ଣଚୂଡ଼ାର ଅନେକ ଡାଳକେନା, କୁଢ଼କୁଢ଼ ଫୁଲ, କଢ଼ ବିଛେଇ ହୋଇପଡ଼ିଛି ତଳେ, ଚାରିଆଡ଼େ। ଗଛକୁ ଚାହିଁଲି ଲାଗିଲା ଶହଶହ ନାଲିଓଠରେ କୃଷ୍ଣଚୂଡ଼ା ମୋତେ ଚାହିଁ ହସୁଥାଏ…, ସତେଅବା କିଛି ବି ଘଟିନି। ମୁଁ ଗଛକୁ ଚାହିଁଥାଏ। ସୂର୍ଯ୍ୟ ଅସ୍ତଗାମୀ। ହଠାତ୍‌ ଅନୁଭବ କଲି ଏକ ପବିତ୍ର ଛୁଆଁରେ, ଆନନ୍ଦର ବହଳିଆ ସ୍ପର୍ଶରେ ମୋ ଭିତରେ ବହୁଥିବା କାଳବୈଶାଖୀ ବନ୍ଦ ହୋଇଗଲା। ମୋ ହାତ ଦୁଇ ଶାନ୍ତି ପ୍ରଶାନ୍ତିରେ ଯୋଡ଼ିହୋଇଗଲା କୃଷ୍ଣଚୂଡ଼ା ଗଛକୁ ଚାହିଁ। ଅସ୍ତ ସୂର୍ଯ୍ୟ ଯେଭଳି କହୁଥାଏ, କାଳବୈଶାଖୀ ହେଉ, ରୁଦ୍ରର ପ୍ରଚଣ୍ଡ ତାପ ହେଉ, ଢୋ ଢୋ ବର୍ଷା ହେଉ କୃଷ୍ଣଚୂଡ଼ା ପାଇଁ ସବୁ ଋତୁ ହସିବାର ଋତୁ, ଆନନ୍ଦର ଋତୁ। ଅସ୍ତସୂର୍ଯ୍ୟ ପୁଣି କହୁଥାଏ- ଜୀବନ ଏଠି ସିସିଫସ୍‌ ଭଳି ଅସହାୟ ନୁହେଁ ବନ୍ଧୁ! କୃଷ୍ଣଚୂଡ଼ା ଭଳି ଆନନ୍ଦ ଆଉ ହସର ପସରା।
ମୋ- ୯୪୩୭୬୪୧୪୧୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri