Categories: ଖେଳ

ସିଡ୍‌ନୀ ଟେଷ୍ଟ: ସୁଇପସନ୍‌ ଅଷ୍ଟ୍ରେଲିଆ ଦଳରେ ସାମିଲ

ମେଲବୋର୍ନ, ୨୬।୧୨ (ଏଏଫ୍‌ପି)- ନ୍ୟୁଜିଲାଣ୍ଡ ବିପକ୍ଷରେ ସିଡ୍‌ନୀରେ ଖେଳାଯିବାକୁ ଥିବା ଅନ୍ତିମ ତଥା ୩ୟ ଟେଷ୍ଟ ପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳରେ ଲେଗ୍‌-ସ୍ପିନର ମିଚେଲ ସୁଇପ୍‌ସନଙ୍କୁ ସାମିଲ କରାଯାଇଛି। ଜାନୁୟାରୀ ୩ରୁ ଆରମ୍ଭ ହେବାକୁ ଥିବା ୩ୟ ଟେଷ୍ଟର ପିଚ୍‌ ସ୍ଲୋ ବୋଲରଙ୍କୁ ସହାୟତା କରିବ। ଏହି କାରଣରୁ ଦଳରେ ୨ଜଣ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ଖେଳାଇବାକୁ ଅଷ୍ଟ୍ରେଲିଆ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରିଛି। ୨୬ ବର୍ଷୀୟ କୁଇନ୍ସଲାଣ୍ଡ ସ୍ପିନର ସୁଇପ୍‌ସନଙ୍କୁ ସେଥିପାଇଁ ଦଳରେ ସାମିଲ କରାଯାଇଛି। ସୁଇପ୍‌ସନ ମେଲବୋର୍ନରେ ଚାଲିଥିବା ୨ୟ ଟେଷ୍ଟ ପୂର୍ବରୁ ଦଳର ଅଭ୍ୟାସ ସେସନରେ ଯୋଗଦେଇଥିଲେ। ସାମିଲ ହେବାପରେ ଏବେ ସେ ୩ୟ ଟେଷ୍ଟ ପର୍ଯ୍ୟନ୍ତ ଦଳ ସହ ରହିବେ ବୋଲି ଜଣାପଡ଼ିଛି। ପୂର୍ବରୁ ସୁଇପ୍‌ସନ ୨୦୧୭ରେ ଭାରତ ଓ ବାଂଲାଦେଶ ଗସ୍ତ ସମୟରେ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ସ୍ଥାନ ପାଇଥିଲେ। ୨୦୧୮ରେ ସେ ଇଂଲଣ୍ଡ ବିପକ୍ଷ ଟି୨୦ ମ୍ୟାଚ୍‌ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

Share