ସିଟି ହସ୍‌ପିଟାଲ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ଼ ବିଧାୟକ

ବରଗଡ଼ ଅଫିସ, ୨।୨- ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍‌ପିଟାଲ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଚିଠି ଲେଖିଛନ୍ତି। ବରଗଡ଼ ସହରର ଜନସଂଖ୍ୟା ପ୍ରାୟ ଏକ ଲକ୍ଷ ରହିଛି। ତେବେ ଏଠାରୁ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ହେବାପରେ ସ୍ଥାନୀୟ ଲୋକେ ଏବଂ ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନ ପୁରୁଣା ଡାକ୍ତରଖାନାକୁ ସିଟି ହସ୍‌ପିଟାଲ ଘୋଷଣା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେହିପରି ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍‌ପିଟାଲ ଘୋଷଣା କରାଗଲେ ଏଠାରେ ଅତି ସହଜରେ ସ୍ବାସ୍ଥ୍ୟସେବା ପାଇ ପାରି ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇପାରିବେ। ଫଳରେ ବରଗଡ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ୪୦ ଶଯ୍ୟା ବିଶିଷ୍ଟ ସିଟି ହସ୍‌ପିଟାଲ ଘୋଷଣା ଦିଗରେ ବିହିତ ପଦକ୍ଷେପ ନେବାକୁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।