Categories: ଖେଳ

ସିଓଏର ଘୋଷଣା ପରେ ଅଡୁଆରେ ଓସିଏ

କଟକ ଅଫିସ,୭ା୯-
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିୟୋଜିତ କମିଟି ଅଫ ଆଡମିନଷ୍ଟ୍ରେଟର(ସିଓଏ) ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଘୋଷଣା ଏହା ଯେ, ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ସଂଘ କର୍ମକର୍ତ୍ତା ନିର୍ବାଚନ କରିବାକୁ ବାଧ୍ୟ । ପୂର୍ବରୁ ଏହି ଅବଧି ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଥିଲା । ଏବେ ଅଧିକ ୧୪ ଦିନ ଅବଧି ବୃଦ୍ଧି କରାଯାଇ ରାଜ୍ୟ ସଂଘ ଗୁଡ଼ିକ ନିର୍ବାଚନ ଶେଷ କରିବା ସହ ଅକ୍ଟୋବର ୨୨ରେ ହେବାକୁ ଥିବା ବିସିସିଆଇ ନିର୍ବାଚନରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛି ସିଓଏ । ଏହି ଘୋଷଣା ପରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ଅକ୍ଟୋବର ୨୦ ତାରିଖ ମଧ୍ୟରେ ଓସିଏର କର୍ମକର୍ତ୍ତା ନିର୍ବାଚନ ହେବ ବୋଲି ଗତ ଅଗଷ୍ଟ ୨୯ରେ ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର ଘୋଷଣା କରିଥିଲେ। ଫଳସ୍ବରୂପ ସିଓଏର ନିର୍ଦ୍ଦେଶକୁ ମାନି ଆସନ୍ତା ୨୮ ତାରିଖ ମଧ୍ୟରେ ନିର୍ବାଚନ କରିବା ନିମନ୍ତେ ପ୍ରସ୍ତୁତ ହେବା ଓସିଏ ପାଇଁ କଷ୍ଟକର ହେବ। ଅନ୍ୟପକ୍ଷରେ ଅକ୍ଟୋବର ପ୍ରଥମ ସପ୍ତାହରେ ଓସିଏ ନିର୍ବାଚନ କରିବାକୁ ଚେଷ୍ଟା କରିବ । ଏ ଦିଗରେ ଦୃଷ୍ଟି ଦେବାକୁ ସିଓଏକୁ ଓସିଏ ପକ୍ଷରୁ ଏକ ଚିଠି ଲେଖାଯାଇଥିବା ଜଣାପଡ଼ିଛି ।
ଶୁକ୍ରବାର ପ୍ରକାଶ ପାଇଥିବା ସିଓଏର ବିଜ୍ଞପ୍ତିରେ ଏହା ଉଲ୍ଲେଖ କରାଯାଇଛି ଯେ, ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ରାଜ୍ୟ ସଂଘ ଗୁଡ଼ିକ ନିର୍ବାଚନ ନେଇ ବଳକା କାର୍ଯ୍ୟ ଶେଷ କରିବା ଉଚିତ । ସମ୍ବିଧାନ ସଂଶୋଧନ ରିପୋର୍ଟ ଦାଖଲ, ନିର୍ବାଚନ ଅଧିକାରୀ ନିଯୁକ୍ତି ଓ ନିର୍ବାଚନ ନେଇ ଦିନ ଘୋଷଣା କରିବା ଆବଶ୍ୟକ । ଏହି ତାରିଖ ମଧ୍ୟରେ ଉପରୋକ୍ତ ୩ଟି କାର୍ଯ୍ୟ ନ ସରିଲେ ସେମାନେ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ କିମ୍ବା ସେମାନଙ୍କ ନିବେଦନ ଗ୍ରହଣ କରାଯିବ ନାହିଁ । ଉପରୋକ୍ତ ୩ଟି ଯାକ କାର୍ଯ୍ୟ ଓସିଏ ଶେଷ କରି ସାରିଛି। ଗତ ଜୁଲାଇ ମାସରେ ଓସିଏ ଚୂଡ଼ାନ୍ତ ସମ୍ବିଧାନ ସଂଶୋଧନ ରିପୋର୍ଟ ଦାଖଲ କରିଥିଲା। ଗତ ଅଗଷ୍ଟ ୨୬ ତାରିଖରେ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ ମାଖନଲାଲ ମଜୁମଦାର । ପରେ ଅଗଷ୍ଟ ୨୯ରେ ନିର୍ବାଚନ ନେଇ ଘୋଷଣା ମଧ୍ୟ ହୋଇଛି । ସିଓଏର ଏହି ଘୋଷଣା ପରେ ଓସିଏ ପରବର୍ତ୍ତୀ ଏବେ କଣ ନେବ ତାହାକୁ ଅପେକ୍ଷା ରହିଛି।

Share