Categories: ଖେଳ

ସାହାଣୀ କପ୍‌ ଫୁଟବଲ ଉଦ୍‌ଘାଟିତ

କଟକ ଅଫିସ,୪ା୧୨- ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ବରଗଡ଼ ଓ ଢ଼େଙ୍କାନାଳରେ ମଙ୍ଗଳବାରଠାରୁ ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ ସାହାଣୀ କପ୍‌-୨୦୧୯ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ୪ଟି ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ପୁରୀ, ଅନୁଗୋଳ, ଦେବଗଡ଼, ବାଲେଶ୍ୱର ବିଜୟୀ ହୋଇଛନ୍ତି।
ବରଗଡ଼ର ସୋହେଲା ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ଅନୁଗୋଳ ୨-୦ ଗୋଲରେ ଯାଜପୁରକୁ ପରାସ୍ତ କରିଥିଲା। ଅନୁଗୋଳ ପକ୍ଷରୁ ଅନ୍ତର୍ଯ୍ୟାମୀ ନାୟକ ୭୯ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ଯାଜପୁରର ରଞ୍ଜନ ଦେହୁରୀ ୮୮ତମ ମିନିଟରେ ଏକ ଆତ୍ମଘାତୀ ଗୋଲ ସ୍କୋର କରିଥିଲେ। ଉକ୍ତ ମ୍ୟାଚରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ର ଭେଡେନ ଗ୍ରାଉଣ୍ଡରେ ଝାରସୁଗୁଡ଼ା-ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ଡ୍ର ରହିଥିଲା। ପରେ ପେନାଲ୍ଟି ସୁଟଆଉଟ ଜରିଆରେ ଦେବଗଡ଼ ୯-୮ ଗୋଲରେ ଜିତିଥିଲା। ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଉକ୍ତ ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ର କଦଲିପାଲି ଗ୍ରାଉଣ୍ଡରେ ହେବାକୁ ଥିବା ମ୍ୟାଚରେ ମାଲକାନଗିରି ଅନୁପସ୍ଥିତ ରହିବା ଯୋଗୁଁ ପୁରୀ ଦଳକୁ ବିଜୟୀ ଘୋଷଣା କରାଯାଇଥିଲା। ଉକ୍ତ ମ୍ୟାଚ୍‌ରେ ବିଧାୟକ ଦେବାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଢ଼େଙ୍କାନାଳରେ ଅନୁଷ୍ଠିତ ମ୍ୟାଚ୍‌ରେ ବାଲେଶ୍ୱର ପେନାଲ୍ଟି ସୁଟଆଉଟ୍‌ରେ ଭଦ୍ରକକୁ ହରାଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ ଦେବା ପରେ ପେନାଲ୍ଟିର ସହାୟତା ନିଆଯାଇଥିଲା। ଏମପି ମହେଶ ସାହୁ ଉକ୍ତ ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇଥିଲେ।

Share