Categories: ଖେଳ

ସାନିଆ, ଶ୍ରୀକାନ୍ତଙ୍କ ବିଦାୟ, କ୍ୱାର୍ଟରରେ ପ୍ରଣୀଥ

ବ୍ୟାଙ୍କକ୍‌,୧।୮(ପିଟି)- ଦେଶର ଅଗ୍ରଣୀ ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ପରାଜୟ ସହ ବିଦାୟ ନେଇଛନ୍ତି। କିନ୍ତୁ ବି. ସାଇ ପ୍ରଣୀଥ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇ ମାସ ପରେ କୋର୍ଟକୁ ଫେରିଥିବା ୭ମ ସିଡ୍‌ ସାଇନା ୨୧-୧୬, ୧୧-୨୧, ୧୪-୨୧ ଗେମ୍‌ରେ ଜାପାନର ସାୟାକା ତାକାହାସିଙ୍କଠାରୁ ପରାସ୍ତ ହୋଇଛନ୍ତି। ପି.ଭି. ସିନ୍ଧୁଙ୍କ ଅନୁପସ୍ଥିତିରେ ସାଇନାଙ୍କ ପରାଜୟ ସହ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି। ୫ମ ସିଡ୍‌ ଶ୍ରୀକାନ୍ତ ପ୍ରଥମ ଗେମ୍‌ ଜିତିବା ପରେ ମଧ୍ୟ ମ୍ୟାଚ୍‌ ହାତେଇବାରେ ବିଫଳ ହୋଇଥିଲେ। ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଭାରତୀୟ ଖେଳାଳି ୨୧-୧୧, ୧୬-୨୧, ୧୨-୨୧ ବ୍ୟବଧାନରେ ଥାଇଲାଣ୍ଡର ଖୋସିତ୍‌ ଫେତପ୍ରଦାବଙ୍କଠାରୁ ପରାଜୟ ବରଣ କରିଛନ୍ତି। ଅନ୍ୟ ଏକ ପୁରୁଷ ସିଙ୍ଗଲ୍ସ ମ୍ୟାଚ୍‌ରେ ପ୍ରଣୀଥ ୨୧-୧୮, ୨୧-୧୯ ଗେମ୍‌ରେ ସାଙ୍ଗ ଖେଳାଳି ଶୁଭଙ୍କର ଦେଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ସେ ପରବର୍ତ୍ତୀ ମ୍ୟାଚ୍‌ରେ ୭ମ ସିଡ୍‌ ଜାପାନର କେଣ୍ଟା ସୁନେୟାମାଙ୍କ ସହ ମୁକାବିଲା କରିବେ। ସେହିଭଳି ପୁରୁଷ ଡବଲ୍ସ ବର୍ଗରେ ଭାରତକୁ ଖୁସି ଖବର ମିଳିଛି। ସାତ୍ତ୍ୱିକସାଇରାଜ ରାନ୍‌କୀରେଡ୍ଡୀ ଓ ଚିରାଗ ଶେଟିଙ୍କ ଯୋଡ଼ି ୨୧-୧୭, ୨୧-୧୯ ଗେମ୍‌ରେ ଇଣ୍ଡୋନେସିଆର ଫାଜାର ଆଫିଆନ ଓ ମହମ୍ମଦ ରିଆନ ଆଡ୍ରିଆଣ୍ଟୋଙ୍କୁ ହରାଇ ଅନ୍ତିମ ୮ରେ ପ୍ରବେଶ କରିଛନ୍ତି। ଏହି ଭାରତୀୟ ଯୋଡ଼ି କୋରିଆର ଚୋଇ ସୋଲଗ୍ୟ ଓ ସେଓ ସୁଙ୍ଗ ଜେଙ୍କଙ୍କୁ ଭେଟିବେ।

Share