Categories: ଖେଳ

ସାଧାରଣ ପରିଷଦ ବୈଠକ ନେଇ ସିଓଏର ନୋଟିସ୍‌

ନୂଆଦିଲ୍ଲୀ, ୩।୧୦(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ସାଧାରଣ ପରିଷଦ ବୈଠକ ନେଇ ପ୍ରଶାସକ କମିଟି (ସିଓଏ) ବୁଧବାର ନୋଟିସ ଜାରି କରିଛି। ଆସନ୍ତା ୨୩ ତାରିଖରେ ଏହି ବୈଠକ ବସିବ ବୋଲି ସିଓଏ ତରଫରୁ ଘୋଷଣା କରାଯାଇଛି। ତେବେ ଏହି ବୈଠକରେ କେବଳ ଅନୁଗତ ସଦସ୍ୟ ଯୋଗ ଦେଇପାରିବେ ବୋଲି ସିଓଏ ସ୍ପଷ୍ଟ କରିଛି। ପୂର୍ବରୁ ୨୧ ଦିନ ପୂର୍ବରୁ ସିଓଏ ସବୁ ସଦସ୍ୟଙ୍କୁ ନୋଟିସ୍‌ ପଠାଇଛି। ବିସିସିଆଇ ନିର୍ବାଚନ ତାରିଖ ମଧ୍ୟ ପୂର୍ବରୁ ଘୋଷଣା କରାଯାଇଛି। ୨୦୧୯ ସେପ୍ଟେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପାଳନ କରିଥିବା ବୋର୍ଡର ସଦସ୍ୟମାନେ ଏହି ବୈଠକରେ ଯୋଗ ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି। ଏ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ର ପ୍ରତିନିଧି ଏହି ବୈଠକରେ ଯୋଗ ନ ଦେବା ଭଳି ପରିସ୍ଥିତି ଉପୁଜିଛି। କାରଣ କିଛିଦିନ ତଳେ ଟିଏନ୍‌ସିଏ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ବିସିସିଆଇ ପ୍ରଣୟନ କରିଥିବା ନୂଆ ସମ୍ବିଧାନ ଅନୁଯାୟୀ ଏହି ନିର୍ବାଚନ ଅନୁଷ୍ଠିତ ହୋଇ ନ ଥିଲା।

Share