ସାଇକେଲରେ ବାରାଣସୀରୁ ଗଞ୍ଜାମ ଯାତ୍ରା: ରାସ୍ତାରେ ଅଟକାଇ କ୍ୱାରାଣ୍ଟାଇନ୍‌ରେ ରଖିଲା ବନହରପାଲି ଥାନା ପୋଲିସ

ଲଖନପୁର,୮।୫(ଡି.ଏନ୍‌.ଏ.)- ସାରା ବିଶ୍ୱରେ ମହାମାରୀ କରୋନା ଆଲୋଡନ ସୃଷ୍ଟି କରିଛି। ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବାପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଏଥିମଧ୍ୟରେ ଯାନବାହାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପ୍ରବାସୀ ଓଡିଆମାନେ ନିଜ ରାଜ୍ୟକୁ ଫେରିବାପାଇଁ ବ୍ୟାକୁଳ ହେଉଛନ୍ତି। ଏପରିକି କେତେକ ପ୍ରବାସୀ ଓଡିଆ ନଖାଇ ନପିଇ ଭୋକ ଉପବାସରେ ଶତାଧିକ କିଲୋମିଟର ସାଇକେଲ୍‌ ଓ ପାଦରେ ଚାଲିଚାଲି ଆସୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ୫ଜଣ ଶ୍ରମିକ ସାଇକେଲ୍‌ ଯୋଗେ ଉତ୍ତରପ୍ରଦେଶ ବାରାଣସୀରୁ ବାହାରି ଗଞ୍ଜାମ ଜିଲାକୁ ଯାଉଥିଲେ। ରାସ୍ତାରେ ବନହରପାଲି ଥାନା ପୋଲିସ୍‌ ଶୁକ୍ରବାର ସେମାନଙ୍କୁ ଅଟକାଇ ପଚରା ଉଚରା କରିବା ପରେ ନିକଟସ୍ଥ ତେଲେନପାଲି ପଞ୍ଚାୟତ ବନହରପାଲି ସ୍କୁଲ୍‌ କ୍ୱାରାଣ୍ଟାଇନ୍‌ ସେଣ୍ଟର୍‌ରେ ରଖିଛି। ସେଠାରେ ୧୪ଦିନ ରହିଲାପରେ ସେମାନଙ୍କୁ ଗଞ୍ଜାମ ଛଡାଯିବବୋଲି ପୋଲିସ୍‌ କହିଛ।

ଶ୍ରମିକମାନେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନୂଆଗାଁ ଥାନା ଅଞ୍ଚଳର ବୋଲି ଜଣାପଡିଛି। ଏହି ଶ୍ରମିକମାନେ ଉତ୍ତରପ୍ରଦେଶ ବାରାଣାସୀକୁ କାମ କରିବାପାଇଁ ଯାଇଥିଲେ। ସେଠାରେ ସେମାନେ ଗୃହନିର୍ମାଣ କାମରେ ନିୟୋଜିତ ହୋଇଥିଲେ। ଲକ୍‌ଡାଉନ୍‌ ପରେ କାମଦାମ ସବୁ ବନ୍ଦ ହୋଇଯାଇଥିଲା। ଯାହା ରୋଜଗାର କରିଥିଲେ ସେଥିରେ ମାସେ ଧରି ବସି ଖାଉଥିଲେ। ଆଗକୁ ପରିସ୍ଥିତି କଣହେବ ଆଶଙ୍କାକରି ସମ୍ପୁକ୍ତ ଶ୍ରମିକମାନେ ଗୋଟିଏ ଲେଖା ସାଇକେଲ୍‌ କିଣି ଘର ଅଭିମୁଖେ ବାହାରିଛନ୍ତି। ଗତ ମଙ୍ଗଳବାର ସକାଳ ୫ଟାରେ ସେମାନେ ବାରାଣାସୀର ସିରିପୁର ରୋଡ୍‌ରୁ ସାଇକେଲ୍‌ରେ ବାହାରିଛନ୍ତିା ଏଥିମଧ୍ୟରେ ସେମାନେ ୬ଶହ କିଲୋମିଟର ଅତିକ୍ରମକରି ଗତ ଗୁରୁବାର ଅପରାହ୍ନରେ ଛତିଶଗଡ ଓ ଓଡିଶା ସୀମାନ୍ତ କନକତୋରା ଫାଟକରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କର ନାମ ପଞ୍ଜୀକରଣ ଯାଞ୍ଚ କରିବା ପରେ ହାତରେ ଷ୍ଟାମ୍ପିଂ କରାଯାଇଥିଲା। ତାପରେ ସେମାନେ ଗନ୍ତବ୍ୟ ପଥରେ ବାହାରିଥିଲେ। ରାସ୍ତା ଯାଉଥିବାବେଳେ ବନହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେର ସେମାନଙ୍କୁ ଅଟକାଇ ନିକଟସ୍ଥ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାପାଇଁ ପରାମର୍ଶ ଦେଇଥିଲେ। ଏସମ୍ପର୍କରେ ପୋଲିସ୍‌ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତା’ପରେ ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବୃଷଭାନୁ ଭୋଇ, ପ୍ରୋଗ୍ରାମ ଅଫିସ୍‌ର ସୁରେନ୍ଦ୍ର ମେହେର ପ୍ରମୁଖ ଅଧିକାରୀ ଶ୍ରମିକମାନଙ୍କୁ ନେଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥଇଥାନ କରିଛନ୍ତି ା