ସହରୀ ବସ୍ତିକୁ ବଡ଼ ବିପଦ

ନ୍ୟୁୟର୍କ,୨୯ା୪: ମହାମାରୀ କରୋନା ସ୍ଥାନକାଳ ବାଛ ବିଚାର କରୁନାହିଁ। ଯେଉଁଠି ଯେତେବେଳେ ପାରିଲା ମାଡ଼ିଯାଉଛି। ତେବେ ଅସ୍ବଚ୍ଛ ଓ ଅଶ୍ୱସ୍ତିକର ପରିବେଶରେ ଏହି ଘାତକ ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ। ସହରାଞ୍ଚଳର ବସ୍ତିଗୁଡ଼ିକରେ ରହୁଥିବା ଲୋକଙ୍କ ପାଇଁ କୋଭିଡ୍‌-୧୯ ବେଶି ବିପଜ୍ଜନକ ବୋଲି ଏକ ନୂଆ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ତେଣୁ ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇଥିବା ସହରର ବସ୍ତି ବାସିନ୍ଦାମାନଙ୍କୁ ସରକାର ସ୍ବଚ୍ଛଜଳ, ପରିମଳ ଓ ଆର୍ଥିକ ସହାୟତା ଯେଗାଇ ସେମାନଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବା ଉଚିତ ବୋଲି ଏହି ଗବେଷକମାନେ ପରାମର୍ଶ ଦେଇଛନ୍ତି।
ଅଧ୍ୟୟନ ଅନୁସାରେ ସରକାରଙ୍କ ପକ୍ଷରୁ ସୋସିଆଲ ଆଇସୋଲେଶନ କରାଗଲେ ବହୁସଂଖ୍ୟକ ଲୋକେ କୋଭିଡ୍‌-୧୯ ସଂକ୍ରମଣରୁ ମୁକ୍ତ ହୋଇପାରିବେ। କିନ୍ତୁ ଏହି ପଦକ୍ଷେପ ବିଶ୍ୱର ସହରାଞ୍ଚଳ ବସ୍ତିଗୁଡ଼ିକରେ ବସବାସ କରୁଥିବା ପ୍ରାୟ ୧୦୦ କୋଟି ଲୋକଙ୍କ ଜୀବିକା ଉଜାଡ଼ିପାରେ, ଯେଉଁଠି ସ୍ଥାନାଭାବ ଏକ ବଡ଼ ସମସ୍ୟା ଓ ମଜୁରି ଉପରେ ଅନେକେ ନିର୍ଭରଶୀଳ। ଜର୍ନାଲ ଅଫ୍‌ ଅର୍ବାନ ହେଲ୍‌ଥରେ ପ୍ରକାଶିତ ରିପୋର୍ଟରେ ଦାରିଦ୍ର୍ୟ ଭିତରେ ରହୁଥିବା ଲୋକଙ୍କ ଉପରେ କରୋନାର ପ୍ରଭାବକୁ ହ୍ରାସ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ କେତେକ ସୁପାରିସ କରାଯାଇଛି। ଆମେରିକାର କାଲିଫର୍ନିଆ-ବର୍କେଲେ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, କରୋନା ଭାଇରସ୍‌ ସଂକ୍ରମଣ ପରିପ୍ରେକ୍ଷୀରେ ସୃଷ୍ଟି ହୋଇଥିବା ରାଜନୈତିକ ଓ ଅର୍ଥନୈତିକ ସଙ୍କଟ ଆଗକୁ ଆହୁରି ଜଟିଳ ସ୍ଥିତି ସୃଷ୍ଟି କରିବ। ଏହାର ପ୍ରଭାବରେ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟାଠାରୁ ଅଧିକ ଜୀବନ ନେବ। ଏଥିଲାଗି ଅଧିକ ଯୋଜନାବଦ୍ଧ ଓ ସଙ୍ଗଠିତ ଭାବେ ରଣନୀତି ଆପଣାଯିବା ଆବଶ୍ୟକ ବୋଲି ଗବେଷକ ଜାସୋନ୍‌ କୋର୍‌ବର୍ନ କହିଛନ୍ତି। ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ବସ୍ତିବାସିନ୍ଦାମାନେ ମୂଳରୁ ଅସୁବିଧାରେ ଥିବାବେଳେ ଏବେ ସଂକ୍ରମିତ ହେବା ଆଶଙ୍କା ରହିଛି। ଫଳରେ ଘରେ ରହିବା ଛଡ଼ା ସେମାନଙ୍କ ନିକଟରେ ଅନ୍ୟ ବିକଳ୍ପ ନାହିଁ। ଜୀବିକା ହରାଇଥିବା ଏହି ଗରିବଙ୍କ ପାଇଁ ସବୁ ରାଷ୍ଟ୍ରର ସରକାର ବ୍ୟବସ୍ଥା କରିବା ଉଚିତ ବୋଲି ଗବେଷକମାନେ ମତ ଦେଇଛନ୍ତି।

Share