Categories: ଖେଳ

ସର୍ବଭାରତୀୟ ଫିଡ଼େ ରେଟିଂ ଚେସ: ଧୀମନଙ୍କୁ ଟାଇଟଲ୍‌

କଟକ ଅଫିସ,୧୧ା୬- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସେଭେନ ପିଲାର ଅଫ ୱିଜଡମ ଠାରେ ଟ୍ରିପଲ ସି ଚେସ୍‌ କ୍ଲବ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଫିଡ଼େ ରେଟିଂ (୧୬୦୦ରୁ କମ୍‌) ଚେସ୍‌ ଚାମ୍ପିୟନଶିପ୍‌ ସୋମବାର ଉଦ୍‌ଯାପିତ ହୋଇଯାଇଛି । ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ପଶ୍ଚିମବଙ୍ଗର ଧୀମନ ମିତ୍ର ୮ ପଏଣ୍ଟ ହାସଲ କରି ଚାମ୍ପିୟନ ଟାଇଟଲ ବିଜୟୀ ହୋଇଛନ୍ତି । ସମାନ ପଏଣ୍ଟ ପାଇ ସୁଦ୍ଧା ଆନ୍ଧ୍ରପ୍ରଦେଶର ବିଶ୍ୱନାଥ କନମ, ତାମିଲନାଡୁର ଜି.କାର୍ତ୍ତିକେୟନ ଓ ଆନ୍ଧ୍ରପ୍ରଦେଶର ରାମ କୁମାର ଯଥାକ୍ରମେ ୨ୟରୁ ୪ର୍ଥ ସ୍ଥାନରେ ରହିଛନ୍ତି । ପ୍ରାରମ୍ଭରୁ ଭଲ ଖେଳିଥିବା ଧୀମନ ଅନ୍ତିମ ଦୁଇ ରାଉଣ୍ଡ ମ୍ୟାଚ୍‌ରେ ଡ୍ର ପଏଣ୍ଟ ପାଇ ମଧ୍ୟ ଚାମ୍ପିୟନ ହୋଇଥିଲେ । ଓଡ଼ିଶାର ମିରାକିଲ ପଣ୍ଡା ଓ ପି ସାଇରୂପା ୭.୫ ପଏଣ୍ଟ ଲେଖାଏ ହାସଲ କରି ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି । ଟୁର୍ନାମେଣ୍ଟର ଟପ୍‌ସିଡ଼ ଖେଳାଳି ସଞ୍ଜୀବ ମାଲି ୨୧ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ । ସଞ୍ଜୀବ ୬.୫ ପଏଣ୍ଟ ପାଇଛନ୍ତି । ରେଭେନ୍ଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଟ୍ରିପଲ ସି ଚେସ୍‌ କ୍ଲବ ସଭାପତି କମଳାକାନ୍ତ ବିଶୋୟୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏସ୍‌ଆର୍‌ ଚେସ୍‌ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ, ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଅଲ ଓଡ଼ିଶା ଚେସ୍‌ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟ୍ଟ, ଉପସଭାପତି ରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । କ୍ଲବ ଉପସଭାପତି ବିଶ୍ୱଜିତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Share