ସରିଲା ନିର୍ବାଚନ ପ୍ରଚାର: ଶେଷଦିନରେ କମ୍ପିଲା ଗାଁଠୁ ସହର

ଢେଙ୍କାନାଳ ଅଫିସ, ୨୨।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ଶେଷ ହୋଇଛି ପ୍ରଚାର। ଅନ୍ତିମ ଦିବସରେ ପ୍ରମୁଖ ରାଜନୈତିକ ଦଳ ମଇଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ମାରାଥନ ପ୍ରଚାର, ରୋଡ୍‌ ଶୋ, ପଥପ୍ରାନ୍ତ ସଭାରେ ଗ୍ରାମଠାରୁ ସହର ପ୍ରକମ୍ପିତ ହୋଇଉଠିଥିବାବେଳେ ଏଥିରେ ସାମିଲ ହୋଇଥିଲେ ଓଲିଉଡ୍‌ ଇଣ୍ଡଷ୍ଟ୍ରୀର ନାମୀଦାମୀ ଚିତ୍ରତାରକା।
ଢେଙ୍କାନାଳ ସହରରେ ଭାଜପା ପ୍ରଚାରରେ ସାମିଲ ହୋଇଥିଲେ ଦଳୀୟ ନେତ୍ରୀ ପିଙ୍କ ପ୍ରଧାନ। ଅପରାହ୍ନ ୩ଟାରେ କାଲଟାକ୍ସ ଛକଠାରୁ ବାହାରିଥିବା ବିଶାଳ ଶୋଭାଯାତ୍ରା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ପରେ କୁଞ୍ଜକାନ୍ତ ପର୍ଯ୍ୟନ୍ତ ଆସିଥିଲା। ଏଥିରେ ଲୋକ ସଭା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ହଜାର ହଜାର କର୍ମୀ ସାମିଲ ହୋଇଥିଲେ। ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ହଟାଇ ଭାଜପାକୁ ଥରେ ସୁଯୋଗ ଦେବାକୁ ପ୍ରାର୍ଥୀମାନେ ନିବେଦନ କରିଥିଲେ।


ସେହିପରି ପୂର୍ବାହ୍ନ ୯ଟାରେ ବିଜେଡି ପକ୍ଷରୁ ସହରରେ ବିଶାଳ ବାଇକ୍‌ ଶୋଭାଯାତ୍ରା କରାଯାଇଥିଲା। କଲେଜ ବାଇପାସ୍‌ଠାରୁ ଆରମ୍ଭ ହୋଇଥିବା ଏହି ରାଲି କୁଞ୍ଜକାନ୍ତ, ଗୁଡିଆନାଳୀ, ବସ୍‌ଷ୍ଟାଣ୍ଡ, ଅମଲାପଡା, ଦେଉଳସାହି, ବନମାଳୀପ୍ରସାଦ, ଗଜମରା ସମେତ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ବିଜେଡିର ଷ୍ଟାର ପ୍ରଚାରକ କୁନା ତ୍ରିପାଠୀ ଯୋଗଦେଇ ଦଳୀୟ ପ୍ରାର୍ଥୀ ସୁଧୀର କୁମାର ସାମଲଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ରାଜ୍ୟ ସମ୍ପାଦକ ବିଜୟ ନାୟକ, ଜିଲା ମହିଳା ବିଜେଡି ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଅବହେଳାକୁ ପ୍ରମୁଖ ଅସ୍ତ୍ର କରି ବିଜେଡି ନେତୃବୃନ୍ଦ ଭୋଟ ମାଗିଥିଲେ। ଶେଷ ଦିନରେ ଦୁଇ ପ୍ରମୁଖ ଦଳର ପ୍ରଚାର ଯୋଗୁ ନିର୍ବାଚନ ବାତାବରଣ ବେଶ ସରଗରମ ହୋଇଥିଲା।