ସରକାରୀ ସ୍କୁଲ ଛାତ୍ରୀନିବାସରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ବିଧାନସଭାରେ ହଟ୍ଟଗୋଳ, ଗୃହରେ ବିବୃତି ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏକ ସରକାରୀ ସ୍କୁଲ ଛାତ୍ରୀନିବାସରେ ଚାରି ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଘଟଣାକୁ ଚପାଇ ଦେବା ଲାଗି ସମସ୍ତ ଉଦ୍ୟମ କରାଯାଇଛି। ରାଜ୍ୟ ସରକାର ମା’କୁ ସମ୍ମାନ ଦେବା କଥା କହୁଛନ୍ତି। ମାତ୍ର ଏଠି ନାବାଳିକା ଝିଅମାନେ ସୁରକ୍ଷିତ ନାହାନ୍ତି। ରାଜ୍ୟ ସରକାର ତୁରନ୍ତ ଏହାର ତଦନ୍ତ କରନ୍ତୁ। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯାଉ। ଏହି ଦାବି କରି କଂଗ୍ରେସ ଓ ଭାଜପାର ସଦସ୍ୟମାନେ ମଙ୍ଗଳବାର ବିଧାନସଭାକୁ ହୁଲସ୍ତୂଲ କରିଥିଲେ। ଏହି ଘଟଣାରେ ତଦନ୍ତ କରିବା ନେଇ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ। ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଘଟଣାର ତଦନ୍ତ କରିବା ସହ ଗୃହରେ ଏକ ବିବୃତି ଦେବାକୁ ଏସ୍‌/ଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।