ସରକାରୀ ଦାନ ଓ ବିକାଶର ଅଧିକାର

ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ
ଭାରତରେ ୨୦୧୯ ସାଧାରଣ ନିର୍ବାଚନର ଏକ ବିଶେଷତା ହେଉଛି ଯେ ରାଜନୈତିକ ଦଳଗୁଡ଼ିକ ସିଧାସଳଖ ସରକାରୀ ଆର୍ଥିକ ସାହାଯ୍ୟ ଦେବାର ସମ୍ଭାବନା ଉପରେ ଜୋର ଦେଇଥିଲେ। ନିର୍ବାଚନରେ ସଫଳତା ଆଣି ଦେବାରେ ଏହା ସହାୟକ ହୋଇଛି ବୋଲି କୁହାଯାଉଛି। ସମାଜର ତଳ ସ୍ତରରେ ଆୟ ବଢ଼ାଇବା ଉପାୟର ପର୍ଯ୍ୟାଲୋଚନା ନିର୍ବାଚନ ମାଧ୍ୟମରେ ହୋଇଛି। ଦର କଷାକଷି କରି ଜନସାଧାରଣ ନିଜର ନ୍ୟାଯ୍ୟ ଦାବି ହାସଲ କରିବା ନିର୍ବାଚନ ପ୍ରକ୍ରିୟାର ଏକ ଅଙ୍ଗ। ପ୍ରତ୍ୟେକ ରାଜନୈତିକ ଦଳ ଏହା ବୁଝି ପାରିଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ନାଗରିକଙ୍କୁ ଆଗକୁ ବଢ଼ାଇ ନେବାର ପ୍ରଚେଷ୍ଟା କିଛି ନୂଆ କଥା ନୁହେଁ। ଏହାର ସମାଧାନ ପାଇଁ ବିଭିନ୍ନ ସମୟରେ ଯୋଜନା ହୋଇ ଆସିଛି। ଜନମଙ୍ଗଳ କାର୍ଯ୍ୟରେ ପ୍ରଚୁର ଅର୍ଥ ମଧ୍ୟ ବିନିଯୋଗ ହୋଇଛି। କିନ୍ତୁ ଏବେ ବି ପ୍ରତି ତିନିଜଣରୁ ଜଣେ ନାଗରିକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ସେମାନଙ୍କ ଭିତରୁ ଅଧିକାଂଶ ବେରୋଜଗାରୀ ଅଥବା କମ୍‌ ରୋଜଗାର କରୁଛନ୍ତି। ସଫା ପାଣି ଟିକିଏ ପିଇବାକୁ ପାଉ ନାହାନ୍ତି। ଶିକ୍ଷା ବ୍ୟବସ୍ଥା ଦୟନୀୟ। ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ମହିଳାମାନଙ୍କୁ ନିରାପତ୍ତା ମିଳୁନାହିଁ। ଶସ୍ତାରେ ଖାଦ୍ୟ ଯୋଗାଇଲେ ବି ୧୮% ପୁଷ୍ଟିହୀନତା ରୋଗରେ ପଡୁଛନ୍ତି। ଅନ୍ୟ ପକ୍ଷରେ ଦେଶର ଉପର ୧% ନାଗରିକଙ୍କ ପାଖରେ ଦେଶର ୫୨% ସମ୍ପତ୍ତି ରହିଛି। ତଳୁ ୬୦%ଙ୍କ ପାଖରେ ମାତ୍ର ୪.୭% ସମ୍ପତ୍ତି ଅଛି। ଆମର ଆର୍ଥିକ ନୀତି ଓ ରାଜନୈତିକ ଦୂରଦୃଷ୍ଟିରେ ନିଶ୍ଚୟ କିଛି କମି ରହିଯାଇଛି। ହିତାଧିକାରୀଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚତ୍ ପାରିନାହିଁ। ୧୯୯୦ ଦଶକରୁ ଆମ ଦେଶ ଉଦାରବାଦ ଅର୍ଥନୀତିକୁ ଆପଣେଇଲା। ଆମେ ଜିଡିପି ବଢାଇବା ଦୌଡ଼ରେ ଲାଗିଗଲୁ। ଆମକୁ ବିଶ୍ୱାସ ଦିଆଗଲା ଯେ ସମଗ୍ର ଦେଶର ପ୍ରାଚୁର୍ଯ୍ୟ ବଢିଲେ, ସେଥିରୁ କିଛି କିଛି ତଳସ୍ତର ପର୍ଯ୍ୟନ୍ତ ଝରି ଆସିବ। ଜନ ମଙ୍ଗଳ କାର୍ଯ୍ୟ ସରକାରୀ ବିଭାଗରୁ କମାଇ ବେସରକାରୀ ସଂସ୍ଥାଗୁଡ଼ିକୁ ଦିଆଗଲା। ପରିସଂଖ୍ୟାନ ତଥ୍ୟ ଅନୁସାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନସଂଖ୍ୟା କିଛି ପ୍ରତିଶତ କମିଛି। କିନ୍ତୁ ଅସମାନତା ବଢି ଚାଲିଛି।
ପ୍ରାକୃତିକ ସମ୍ପଦ ଉପରେ ସମସ୍ତଙ୍କର ସମାନ ଅଧିକାର। ସ୍ଥାବର ସମ୍ପତ୍ତି କିଛି ଲୋକଙ୍କ ହାତରେ ରହିଥିବାରୁ ଅନ୍ୟମାନଙ୍କୁ କିଛି ଆୟ ସିଧା ହସ୍ତାନ୍ତର କରିବା ରାଷ୍ଟ୍ରର ଦାୟିତ୍ୱ। ଏ ଅର୍ଥ ସମାଜର ମାନବପୁଞ୍ଜିକୁ ସୁଦୃଢ଼ କରିବାରେ ସହାୟକ ହେବ। ସ୍କାଣ୍ଡିନେଭିଆର ଦେଶସମୂହ, କାନାଡ଼ା, ଆମେରିକା ଭଳି ଦେଶରେ ଏ ପଦ୍ଧତି ବହୁ ଦିନ ହେଲା ଚଳିଆସିଛି। ଏବେ ବି କାଲିଫର୍ନିଆରେ ପ୍ରତି ତିନିଜଣରେ ଜଣେ ସରକାରଙ୍କଠାରୁ ଆର୍ଥିକ ସାହାଯ୍ୟ ପାଆନ୍ତି। ବିଶ୍ୱର ଦକ୍ଷିଣରେ ଥିବା ପ୍ରାୟ ଚାଳିଶଟି ଦେଶରେ ସିଧାସଳଖ ଆୟ ଦେବାର ନୀତି ପରୀକ୍ଷାମୂଳକ ଭାବେ ଚାଲିଛି। ବ୍ରାଜିଲରେ ଦେଖାଯାଇଛି ଯେ ଏ ନୀତିର ପ୍ରଥମ ଦଶବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୯.୭%ରୁ ୪.୩%କୁ ଖସି ଆସିଲା। ଭାରତରେ ଲୋକଙ୍କୁ ସିଧାସଳଖ ଆୟ ଦେବା ନୀତିଗତ ଭାବରେ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, କେବଳ କୃଷକମାନଙ୍କୁ ସାହାଯ୍ୟ ଦେବା ଏବେ ଆରମ୍ଭ ହୋଇଛି। ତେବେ ଆମର ରାଷ୍ଟ୍ରୀୟ ଓ ରାଜ୍ୟ ସ୍ତରରେ ଶହ ଶହ ଯୋଜନା ଓ ଅର୍ଥ ନିୟୋଜନ ଦ୍ୱାରା ଜନସାଧାରଣ ଉପକୃତ ହେଉଛନ୍ତି। କିନ୍ତୁ ଏହାର ଅଧିକାଂଶ ଭାଗ ବାଟମାରଣା ହେଉଛି ଓ ହିତାଧିକାରୀଙ୍କ ପାଖରେ ପହଞ୍ଚୁ ନାହିଁ। ବୋଧହୁଏ ଏ ସବୁ କାରଣରୁ ଓ ସରକାରୀ କଳକୁ ସେବା ଯୋଗାଇବାର ଚାପରୁ ମୁକ୍ତ କରିବା ପାଇଁ ସିଧା ଆୟ ଦେବାର ପରୀକ୍ଷା ଆରମ୍ଭ ହେଉଛି।
କଥାରେ ଅଛି, କୌଣସି ବ୍ୟକ୍ତିକୁ ଗୋଟିଏ ମାଛ ଦିଅ, ସେ ଦିନକର ଖାଇବା ପାଇବ। ତାକୁ ଜାଲ ଦେଇ ମାଛ ଧରିବା ଶିଖାଇ ଦିଅ, ସେ ଜୀବନ ସାରା ଖାଦ୍ୟ ପାଇବ। ଉନ୍ନୟନ ଚିନ୍ତାଧାରାରେ ଏହି ଦୁଇଟି ରାସ୍ତା ବିଷୟରେ ଅନେକ ବିତର୍କ ଅଛି। ଅଭାବରେ ଥିବା କିଛି ବ୍ୟକ୍ତିଙ୍କୁ ନଗଦ ଅର୍ଥ ଦେବାରେ ଆପତ୍ତି ହୁଏ ନାହିଁ। ଯେପରି କି ବୃଦ୍ଧ, ଅନାଥ,ଦିବ୍ୟାଙ୍ଗ, ଏକାକୀ ଥିବା ମା’ଆଦି। କିନ୍ତୁ ସ୍ବାସ୍ଥ୍ୟବାନ୍‌ କାର୍ଯ୍ୟକ୍ଷମ ଲୋକଙ୍କୁ ଟଙ୍କା ବାଣ୍ଟି ଶସ୍ତା ଲୋକପ୍ରିୟତା ହାସଲ କରିବା ଠିକ୍‌ ନୁହେଁ। ସରକାରଙ୍କ କର୍ତ୍ତବ୍ୟ ଜନସାଧାରଣଙ୍କୁ ସେବା ଦେବା, ଟଙ୍କା ବାଣ୍ଟିବା ନୁହେଁ। ସବୁ ଦିନ ସରକାରଙ୍କ ଉପରେ ନିର୍ଭରଶୀଳ ରହିଲେ ବ୍ୟକ୍ତିବିଶେଷଙ୍କ ମର୍ଯ୍ୟାଦା କ୍ଷୁଣ୍ଣହୁଏ। ଦଳଗୁଡ଼ିକ ନିଜର ଇସ୍ତାହାରକୁ ନୀତିରେ ପରିବର୍ତ୍ତନ କରିବା ପୂର୍ବରୁ କେତେକ ବିଷୟରେ ସଚେତନ ହେବାକୁ ପଡିବ। ପ୍ରଥମ- ନଗଦ ଅର୍ଥ ଦେବାର ଉଦ୍ଦେଶ୍ୟ ପୂରଣ ହେଉଛି କି? ପିଲାଙ୍କୁ ସ୍କୁଲ ପଠାଇବା, ପରିବାରକୁ ସ୍ବାସ୍ଥ୍ୟବାନ୍‌ ରଖିବା ଓ ପିଲାଙ୍କୁ ପୁଷ୍ଟିକର ଆହାର ଦେବାରେ ଏହା ବ୍ୟବହାର ହେବା କଥା। ଦ୍ୱିତୀୟ- ହିତାଧିକାରୀଙ୍କୁ କିପରି ବଛାଯିବ? ପରିବାରର ଜମିର ପରିମାଣ କିମ୍ବା ରୋଜଗାର ପନ୍ଥାକୁ ମାଧ୍ୟମ କରିବା ଅତି ଆକର୍ଷଣୀୟ, କିନ୍ତୁ ସହଜ ନୁହେଁ। କୌଣସି ପରିବାରର ଅବସ୍ଥା ସବୁଦିନ ସମାନ ନ ଥାଏ। ଦିନ ମଜୁରିଆଙ୍କର ଆୟ କେତେ ଜାଣିବା କଷ୍ଟ। ତୃତୀୟ- ବଣ୍ଟନ ରାଜନୀତିରେ ହିତାଧିକାରୀଙ୍କୁ ଆମେ ଉପଭୋକ୍ତା ଭାବେ ଦେଖୁଛେ, ଉତ୍ପାଦନକାରୀ ଭାବରେ ନୁହେଁ। ସେତିକି ଅର୍ଥରେ ଆମେ ଅଧିକ ଶିକ୍ଷକ, ନର୍ସ, ଆଶାକର୍ମୀ ବା ଉଦ୍ୟୋଗୀ ପାଇ ପାରିଥାନ୍ତେ। ମାଗଣା ଉପଭୋକ୍ତା ଯେତେ ବଢିବେ, ବେରୋଜଗାରି ସେତେ ବଢ଼ିବ। ଏପରି କି କାହାର ଋଣ ଛାଡ କରିବା ସାମୟିକ ସାହାଯ୍ୟ ହୋଇପାରେ, ସମସ୍ୟାର ସମାଧାନ ନୁହେଁ। ଚତୁର୍ଥ- ଏ ଭଳି ପ୍ରକଳ୍ପ ପାଇଁ ଅର୍ଥ କେଉଁଠୁ ଆସିବ? କେବଳ ତିନୋଟି ଉପାୟ ଅଛି। ଖର୍ଚ୍ଚ କାଟ୍‌ କରିବେ, ଟିକସ ବଢ଼ାଇବେ ବା ଋଣ କରିବେ। ଖର୍ଚ୍ଚ କାଟ୍‌ କଲେ ସମାଜର ବିକାଶ ପାଇଁ ଥିବା ଯୋଜନାରୁ ଭାଗ କମିବ। ଟିକସ ବଢ଼ାଇଲେ ଶିଳ୍ପ ଓ ବ୍ୟବସାୟରୁ ପୁଞ୍ଜି ବିନିଯୋଗ କମିବ, ବେରୋଜଗାରି ବଢିବ। ‘ଋଣଂ କୃତ୍ୱା ଘୃତଂ ପିବେତ୍‌’ ଆଦୌ ବାଞ୍ଛନୀୟ ନୁହେଁ। ଅଧିକ ଋଣ କଲେ ଦେଶର ଅବସ୍ଥା କ’ଣ ହେବ ଜଣାନାହିଁ।
ଜନସାଧାରଣଙ୍କ ଭ୍ରମଧାରଣା ଯେ, ସରକାର କୁବେରଙ୍କ ପରି ଅଜସ୍ର ସମ୍ପତ୍ତିର ମାଲିକ। ସରକାରଙ୍କ ପକେଟ ଯେ ସବୁବେଳେ ଖାଲି, ସେ କଥା କେହି ଭାବନ୍ତି ନାହିଁ। ସେ ବାମ ହାତରେ କିଛି ଲୋକଙ୍କଠାରୁ ଅର୍ଥ ନେଇ, ଡାହାଣ ହାତରେ ତାକୁ ଅନ୍ୟ କିଛି ଲୋକଙ୍କୁ ବଢ଼ାଇ ଦିଅନ୍ତି। ନିର୍ବାଚିତ ସରକାର କେବଳ ନିର୍ଣ୍ଣୟ କରନ୍ତି, କାହାଠାରୁ କେତେ ନେବେ ଓ କାହାକୁ କେତେ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri