ସମ୍ପାଦକୀୟ/୩୭୦ ଉଚ୍ଛେଦ ସ୍ବାଗତଯୋଗ୍ୟ

କୁହାଯାଉଛି ଭାରତୀୟ ଇତିହାସ ଫର୍ଦ୍ଦରେ ୫ ଅଗଷ୍ଟ ୨୦୧୯ ଯୋଡ଼ି ହୋଇଯାଇଛି। ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ଏହାର ସ୍ବତନ୍ତ୍ର ମର୍ଯ୍ୟାଦା ଅନୁଚ୍ଛେଦ ୩୭୦କୁ ଏହି ଦିନ ହଟାଇ ଦିଆଯାଇଛି। ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଣିକି ଜମ୍ମୁ ଓ କଶ୍ମୀର ଦୀର୍ଘବର୍ଷ ଧରି ପାଇ ଆସୁଥିବା ସୁବିଧାରୁ ବଞ୍ଚିତ ହେବ। କେବଳ ସେତିକି ନୁହେଁ, ଉକ୍ତ ରାଜ୍ୟକୁ ବିଭାଜନ କରାଯାଇ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ଲାଗି ରାଜ୍ୟ ସଭାରେ ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ୍‌ ଗୃହୀତ ହୋଇଛି। ଫଳରେ ଜମ୍ମୁ ଓ କଶ୍ମୀରରେ ଦିଲ୍ଲୀ ଓ ପୁଡୁଚେରୀ ଭଳି ବିଧାନସଭା ରହିବାକୁ ଥିବା ବେଳେ ଚଣ୍ଡିଗଡ଼ ପରି ଲଦାଖରେ ବିଧାନସଭା ରହିବ ନାହିଁ ବୋଲି ଉକ୍ତ ବିଲ୍‌ରେ ଦର୍ଶାଯାଇଛି।
ଗତ ସପ୍ତାହରେ ଉପତ୍ୟକାକୁ ଅଧିକ ୩୮ ହଜାର କେନ୍ଦ୍ରୀୟ ବଳ ପ୍ରେରଣ କରାଯିବା ଏବଂ ୪ ଅଗଷ୍ଟରେ ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ଓ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ରଖାଯିବା ପରେ କଶ୍ମୀରରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ୫ ଅଗଷ୍ଟରେ ତାହା ବାସ୍ତବରେ ପରିଣତ ହୋଇଥିବାରୁ ଦେଶବ୍ୟାପୀ ଏହା ଆଲୋଡ଼ନ ଖେଳାଇ ଦେଇଛି। ବିଶେଷକରି ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସୁନାମି ସୃଷ୍ଟି ହୋଇଛି। ସରକାରଙ୍କୁ ବିଜେଡି, ଏଏପି, ଏଆଇଏଡିଏମ୍‌କେ, ଓ୍ବାଇଏସ୍‌ଆର୍‌ କଂଗ୍ରେସ, ବିଏସ୍‌ପି, ଆଇଏନ୍‌ଏଲ୍‌ଡି, ଶିବସେନା ସମର୍ଥନ କରିଥିବା ବେଳେ କଂଗ୍ରେସ, ଟିଏମ୍‌ସି, ପିଡିପି, ଏନ୍‌ସି, ଏସ୍‌ପି ଆଦି ଦଳ ବିରୋଧ କରିଛନ୍ତି। ଏନ୍‌ଡିଏର ସହଯୋଗୀ ଜେଡିୟୁ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି। କୌତୂହଳର ବିଷୟ ହେଉଛ, ସମ୍ବିଧାନ ସମ୍ପର୍କରେ ଏଭଳି ଏକ ରାଜନୈତିକ ନିଷ୍ପତ୍ତିକୁ ବଡ଼ ସହଜରେ ଦୁଇଭାଗରେ ଦର୍ଶାଯାଉଛି। ସମର୍ଥନକାରୀ ହୋଇଗଲେ ଦେଶପ୍ରେମୀ ଏବଂ ବିରୋଧୀ ହେଲେ ଦେଶଦ୍ରୋହୀ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ବାଧୀନତା ପରେ ଭାରତର ଶିଳ୍ପ ଓ ଯୋଗାଣ ମନ୍ତ୍ରୀଭାବେ କାର୍ଯ୍ୟ କରି ଆସୁଥିବା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହିତ କଶ୍ମୀର ପ୍ରସଙ୍ଗରେ ମତଭେଦ ସୃଷ୍ଟି ହୋଇଥିଲା। ଅନୁଚ୍ଛେଦ ୩୭୦କୁ ବିରୋଧ କରୁଥିବା ମୁଖାର୍ଜୀ କଂଗ୍ରେସ ଦଳ ଓ ସରକାରରୁ ଇସ୍ତଫା ଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ସାହାଯ୍ୟରେ ଭାରତୀୟ ଜନସଂଘ ନାମରେ ରାଜନୈତିକ ଦଳ ଗଠନ କଲେ। ଜନ୍ମରୁ ୩୭୦କୁ ବିରୋଧ କରିଆସୁଥିବା ସେବକାର ଜନସଂଘ ଯାହା ଏବେ ଭାଜପାରେ ପରିଣତ ହୋଇଛି, ୫ ଅଗଷ୍ଟ ୨୦୧୯ରେ ତାହାର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ମୂଳ ସ୍ବପ୍ନକୁ ସାକାର କରିପାରିଛି। ଏହି ପଦକ୍ଷେପକୁ ସମର୍ଥନ କରିବା ବ୍ୟତୀତ ଅନ୍ୟ କୌଣସି ଚିନ୍ତା ପୋଷଣ କରିବା ଅନୁଚିତ ହେବ। କିନ୍ତୁ ଏହି ଅନୁଚ୍ଛେଦ ୩୭୦ ସହିତ ୩୭୧କୁ ମଧ୍ୟ ହଟାଯିବା ଦରକାର। ଉଲ୍ଲେଖଯୋଗ୍ୟ, ୩୭୧ରେ ବିଦର୍ଭଠାରୁ ଆରମ୍ଭକରି ସୌରାଷ୍ଟ୍ର ପର୍ଯ୍ୟନ୍ତ ମହାରାଷ୍ଟ୍ର ଓ ଗୁଜରାଟର ଅନେକ ଅଞ୍ଚଳକୁ ସାମ୍ବିଧାନିକ ସ୍ତରରେ ବିଭିନ୍ନ ସୁରକ୍ଷା ଦିଆଯାଇଛି। ସେହି ଦୁଇ ରାଜ୍ୟକୁ ବିଶେଷ ସୁବିଧା ଦିଆଯିବା କେତେଦୂର ଯୁକ୍ତିଯୁକ୍ତ ତାହା ଆଲୋଚ୍ୟ ବିଷୟ ହୋଇପାରେ। ବିଶେଷକରି ଓଡ଼ିଶାର ଉତ୍ତର, ପଶ୍ଚିମ ଓ ଦକ୍ଷିଣରେ ଅନେକ ଅନୁନ୍ନତ ଅଞ୍ଚଳ ରହିଥିବା ସତ୍ତ୍ୱେ ସେଗୁଡ଼ିକୁ ଗୁଜରାଟର ସୌରାଷ୍ଟ୍ର କିମ୍ବା କଚ୍‌ ଭଳି ସାମ୍ବିଧାନିକ ସ୍ତରରେ ସ୍ବତନ୍ତ୍ର ସ୍ଥାନ ଦିଆଯାଇ ନାହିଁ।
ଭାରତର ଅନ୍ୟ ପ୍ରାନ୍ତରୁ ଯାଇ ନାଗାଲାଣ୍ଡ, ମିଜୋରାମ, ସିକ୍କିମ, ଆସାମ ଭଳି ଉତ୍ତର ପୂର୍ବାଞ୍ଚଳର ଅନେକ ରାଜ୍ୟରେ ଭାରତୀୟମାନେ ନିଜ ନାମରେ ଜମି କିଣିପାରିବେ ନାହିଁ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି। ସେହିଭଳି ଉତ୍ତରାଖଣ୍ଡ ଓ ଗୁଜରାଟର କେତେକ ଅଞ୍ଚଳରେ ବାହାରୁ ଯାଇଥିବା ଲୋକ ଜାଗା ଓ ଘର କିଣିବା ଉପରେ ପ୍ରତିବନ୍ଧକ ରହିଛି। ଏହି ପ୍ରସଙ୍ଗ ସମ୍ପର୍କରେ ସାଧାରଣ ନାଗରିକ ସମ୍ପୂର୍ଣ୍ଣ ଭାବେ ଅଜ୍ଞ। ଏହା ବ୍ୟତୀତ ଗୋଟିଏ ରାଜ୍ୟକୁ ବିଭାଜନ କରିବା ପାଇଁ ହେଲେ ଯଥାକ୍ରମେ ସମ୍ପୃକ୍ତ ରାଜ୍ୟର ବିଧାନସଭାରେ ସେ ସଂକ୍ରାନ୍ତ ବିଲ୍‌ ତିନି ଚତୁର୍ଥାଂଶ ସଭ୍ୟଙ୍କ ଦ୍ୱାରା ଗୃହୀତ ହେବା ଆବଶ୍ୟକ। ତା’ପରେ ପାର୍ଲାମେଣ୍ଟର ଉଭୟ ଗୃହରେ ଏହି ନିଷ୍ପତ୍ତି ଗୃହୀତ ହେଲେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିପାରିବ। ଏହାପରେ ସେହି ରାଜ୍ୟର ବିଭାଜନ ସମ୍ଭବପର ହୋଇଥାଏ। କିନ୍ତୁ ଜମ୍ମୁ ଓ କଶ୍ମୀରରେ ଏବେ ରାଷ୍ଟ୍ରପତି ଶାସନ ଚାଲିଛି । କୌଣସି ନିର୍ବାଚିତ ପ୍ରତିନିଧିଙ୍କ ବିଧିବଦ୍ଧ ମତ ଲୋଡ଼ା ଯାଇନାହିଁ । ସେଭଳି ପରିସ୍ଥିତିରେ କେବଳ ରାଜ୍ୟପାଳଙ୍କ ମତକୁ ନେଇ ଏଭଳି ବିରାଟକାୟ ପଦକ୍ଷେପ ନିଆଯାଇଛି। ଅବଶ୍ୟ ସମଗ୍ର ଦେଶରେ ଜୁଆର ଭଳି ଉଠୁଥିବା ସମର୍ଥନ ଏବେ ଭାରତର ସମ୍ବିଧାନକୁ ଅକାମୀ କରିଦେଇଛି।
ଏହି ପଦକ୍ଷେପକୁ ସ୍ବାଗତ କରୁଥିବା ବେଳେ ଅନ୍ୟ କେତେକ ଚିନ୍ତା ମନକୁ ଆସୁଛି। ଉଦାହରଣ ସ୍ବରୂପ ଗତ ଶତାବ୍ଦୀର ନବେ ଦଶନ୍ଧିରେ ନିଜ ଜମି ଓ ଘରୁ ଉଚ୍ଛେଦ ହୋଇଥିବା କଶ୍ମୀର ପଣ୍ଡିତମାନେ ବାସସ୍ଥାନକୁ ଅକ୍ତିଆରରେ ଆଣିପାରିବେ କି ନାହିଁ, ତାହା ଦେଖିବାକୁ ଅଛି। ଯେଉଁ ପର୍ଯ୍ୟନ୍ତ କଶ୍ମୀର ହିନ୍ଦୁମାନେ ଦିଲ୍ଲୀ ଓ ଅନ୍ୟ ଅଞ୍ଚଳରୁ ନିଜ ବାସଗୃହକୁ ଫେରିନାହାନ୍ତି, ସେପର୍ଯ୍ୟନ୍ତ ଅନୁଚ୍ଛେଦ ୩୭୦ର ଉଚ୍ଛେଦ କୌଣସି ମାନେ ରଖୁନାହିଁ। ଶୁଣାଯାଉଛି ଯେ, ଅତିଶୀଘ୍ର ଶ୍ରୀନଗରରେ ଶିଳ୍ପପତିମାନଙ୍କର ଏକ ବିରାଟ ସମାଗମ ଆୟୋଜନ ହୋଇପାରେ। କଶ୍ମୀରରେ ଅର୍ଥ ବିନିଯୋଗ କରିବାକୁ ଇଚ୍ଛୁକ ଭାଜପା ସମର୍ଥକ ବ୍ୟବସାୟୀ ଓ ଶିଳ୍ପପତି କେଉଁଭଳି ବିପଦକୁ ସମ୍ମୁଖୀନ ହୋଇ ସେଠାରେ କାର୍ଯ୍ୟ କରିବେ, ତାହା ମଧ୍ୟ ଏକ ସଫଳତାର ମାପକାଠି ପାଲଟିବ। କାରଣ ସ୍ଥାନୀୟ ଯୁବତୀଯୁବକଙ୍କ ଅର୍ଥନୈତିକ ଦୁଃସ୍ଥିତି ଦୂର ନ ହେବା ପର୍ଯ୍ୟନ୍ତ ସବୁ ଅସ୍ଥିରତା ଲାଗି ରହିବାର ଆଶଙ୍କା ରହିଛି। କଶ୍ମୀରରେ ମୁସଲମାନ ସମ୍ପ୍ରଦାୟ ସଂଖ୍ୟାଗରିଷ୍ଠ ଥିବାରୁ, କେନ୍ଦ୍ର ସରକାର ଯେଉଁଭଳି ଭାବେ ସେଠାକାର ଜନସଂଖ୍ୟାରେ ମୁସଲମାନ-ହିନ୍ଦୁରେ ଭାରସାମ୍ୟ ଆଣିବେ, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚାଉଛି। ଯେତେ ଅଧିକ ପୋଲିସ ଓ କେନ୍ଦ୍ରୀୟ ବଳ କଶ୍ମୀରରେ ମୁତୟନ କରାଯିବ, ସେତେ ଅଧିକ ନକାରାତ୍ମକ ପ୍ରତିକ୍ରିୟା ସ୍ଥାନୀୟ ଯୁବପିଢ଼ିଠାରୁ ମିଳିପାରେ। ସେଥିପାଇଁ ସ୍ଥାନୀୟ ମୁସଲମାନଙ୍କ କ୍ରୋଧକୁ କେଉଁଭଳି ଥଣ୍ଡା କରାଯିବ, ତାହା ମଧ୍ୟ ଚିନ୍ତାର ବିଷୟ। ଅବଶ୍ୟ ଏଠି କୁହାଯାଇପାରେ ଯେ, ଧୈର୍ଯ୍ୟ ଏବଂ ଅପେକ୍ଷା କଲେ ଆଜିର ନେତୃତ୍ୱ ସଫଳତାର ସହିତ ସବୁ ସମସ୍ୟାର ସମାଧାନ କରିପାରିବେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପୁନର୍ବାର ସମର୍ଥନ ଜଣାଉଥିବା ସହିତ ଅନେକ ଚିନ୍ତା ଦେଶବାସୀଙ୍କୁ ଘାରିବା ଆବଶ୍ୟକ। କଶ୍ମୀରରେ ଠୁଳ ହୋଇ ରହିଥିବା ଭାରତୀୟ ସଶସ୍ତ୍ର ବାହିନୀର ଶକ୍ତି ଏହି ଦେଶର ଆର୍ଥିକ ରକ୍ତ ଶୋଷିନେଉଛି। ନିକଟରେ ୩୮ ହଜାର କେନ୍ଦ୍ରୀୟ ବଳ ମୁତୟନ ହେବା ଫଳରେ ଖର୍ଚ୍ଚ ଆହୁରି ବଢ଼ିିଚାଲିବ। ତତ୍‌ସହିତ ଟିକସ ବଢ଼ିବ, ବିଭିନ୍ନ ସେସ୍‌ ବସିବ ଏବଂ ସାଧାରଣ ଉନ୍ନତି ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସେଥିପାଇଁ ସରକାରଙ୍କୁ ଏଭଳି ଶକ୍ତିଶାଳୀ ନିଷ୍ପତ୍ତି ପାଇଁ ଶୁଭେଚ୍ଛା ଜଣାଇବା ସହିତ ଦେଶର ଦୁର୍ବଳ ଆର୍ଥିକ ସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri