ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ହୋଇ ରହିନାହିଁ। ମୋଦିଙ୍କ ଏଭଳି ମନ୍ତବ୍ୟକୁ ଏପ୍ରିଲ ୨୨ରେ ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ସମାଲୋଚନା କରିଛନ୍ତି। ମୋଦିଙ୍କୁ ଜବାବ ଦେବାକୁ ଯାଇ ସେ କହିଛନ୍ତି, ଯଦି ଭାରତ ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତି ରଖିନାହିଁ, ସେହିଭଳି ଏହା ସ୍ପଷ୍ଟ ଯେ ପାକିସ୍ତାନ ତା’ ପରମାଣୁ ବୋମା ଇଦ୍‌ ସକାଶେ ମହଜୁଦ ରଖି ନାହିଁ। ଉଭୟ ନେତାଙ୍କ ମନ୍ତବ୍ୟ ନୂଆ ଏକ ବିବାଦକୁ ଜନ୍ମ ଦେଇଛି। ଏଠାରେ ମୋଦିଙ୍କୁ ଯେଉଁଭଳି ଭାବେ ସମାଲୋଚନା କରାଯିବାର ଆବଶ୍ୟକତା ରହିଛି, ସେହିଭଳି ପାକିସ୍ତାନର ପ୍ରବକ୍ତା ସାଜୁଥିବା ମେହବୁବାଙ୍କୁ ମଧ୍ୟ କଠୋର ଭାଷାରେ ସମାଲୋଚନା କରାଯିବା ଉଚିତ। ଦେଶ ଭିତରେ ରହି ପ୍ରତ୍ୟେକ ପ୍ରସଙ୍ଗରେ ପାକିସ୍ତାନପଟିଆ ହେବା ଜମ୍ମୁ ଓ କଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କୁ ମେହବୁବା ନୈତିକ ସମର୍ଥନ ଦେଉଛନ୍ତି ବୋଲି ବୁଝିବାକୁ ହେବ।
ଭାରତରେ ସାଧାରଣ ନିର୍ବାଚନ ଚାଲିିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ମୋଦି ପଡ଼ୋଶୀ ଦେଶକୁ ଇଙ୍ଗିତ କରି ଦେଇଥିବା ମନ୍ତବ୍ୟ ନୀଚ ସ୍ତରର ବୋଲି କୁହାଯାଉଛି। ଭୋଟ ପାଇବା ପାଇଁ ବାଲାକୋଟ ଆକ୍ରମଣ, ଭାରତୀୟ ସେନାକୁ ମୋଦିଙ୍କ ସେନା କହିବା ହେଉ ବା ପରମାଣୁୁ ଅସ୍ତ୍ର ନେଇ ବିବାଦୀୟ ମନ୍ତବ୍ୟ ଦିଆଯିବା ଦ୍ୱାରା ଦେଶର ମର୍ଯ୍ୟାଦା କ୍ଷୁଣ୍ଣ ହେବା ସ୍ବାଭାବିକ। ନିର୍ବାଚନରେ କେଉଁ ରାଜନୈତିକ ଦଳ ବା ବ୍ୟକ୍ତି ଭୋଟ ପାଇ ସରକାର ଗଠନ କରିବେ ତାହା ଭୋଟରଙ୍କ ପସନ୍ଦ ଉପରେ ନିର୍ଭର କରେ। ସେଥିପାଇଁ ପ୍ରଚାର ବେଳେ ଜନସାଧାରଣଙ୍କୁ ଆକୃଷ୍ଟ କରିବା ଲାଗି ସଭା, ଶୋଭାଯାତ୍ରା ଆଦି ଆୟୋଜନ କରାଯାଇଥାଏ। ନିର୍ବାଚନ ଜିତିଲେ କିଏ କ’ଣ କରିପାରିବେ ତାହା ସେହିଠାରେ ନେତାମାନେ ବଖାଣିଥାଆନ୍ତି। ଅବଶ୍ୟ ଭାରତରେ ଭୋଟର ଏହିଭଳି ଅନେକ ବାଦବିବାଦ ଏବଂ ପ୍ରତିଶ୍ରୁତି ଦୀର୍ଘବର୍ଷ ଧରି ଶୁଣି ଆସୁଛନ୍ତି। ନିର୍ବାଚନ ସମୟର ପ୍ରତିଜ୍ଞା ପାଣିର ଗାର ବୋଲି ସମସ୍ତେ ବୁଝିସାରିଲେଣି। କାରଣ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅନେକ ନେତା ଓ ବିଭିନ୍ନ ଦଳ କ୍ଷମତାକୁ ଆସିବେ ଓ ଯିବେ। ରାଜନୈତିକ ଦଳଗୁଡ଼ିକର କ୍ଷମତାରେ ଜୀବନକାଳ ଅତି ସୀମିତ। ଏହାବ୍ୟତୀତ ଭାରତୀୟ ବ୍ୟବସ୍ଥାରେ ରାଜନେତାମାନଙ୍କର ସରକାର ଉପରେ ବାସ୍ତବ ପ୍ରଭାବ ଅତ୍ୟନ୍ତ ଗୌଣ। ଉଦାହରଣ ସ୍ବରୂପ ଆଜି ଭାରତୀୟ ସେନାର ଯୁଦ୍ଧ କରିବାର କ୍ଷମତା ସୀମିତ।
ଏଭଳିସ୍ଥଳେ କୌଣସି ଅପ୍ରୀତିକର ମତ ପ୍ରକାଶ ପାଇବା ଦ୍ୱାରା ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ ନଷ୍ଟ, ଆଭ୍ୟନ୍ତରୀଣ କିମ୍ବା ବାହ୍ୟ ନିରାପତ୍ତା ବିପନ୍ନ ହେବା ଭଳି ସ୍ଥିତି ଉତ୍ପନ୍ନ ହେଲେ, ତାହା ଦେଶବାସୀଙ୍କୁ ଅଡ଼ୁଆରେ ପକାଇବା ଥୟ। ସେଥିପାଇଁ ଭାରତୀୟଙ୍କୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇବା ସହଜ ହୋଇଥାଇପାରେ, କିନ୍ତୁ ତାହା ଦେଶର ବ୍ୟବସ୍ଥା ଉପରେ କୌଣସି ସକାରାତ୍ମକ ପ୍ରଭାବ ପକାଉନାହିଁ। ଏଥିରୁ ବୁଝିବାକୁ ହେବ ଯେ, ଉଭୟ ସାମରିକ ଓ ବେସାମରିକ ସରକାରୀ ବ୍ୟବସ୍ଥାରେ ନେତାମାନଙ୍କ ପ୍ରଭାବ ଆଦୌ ନାହିଁ ବୋଲି କହିହେବ। ଆଜି ଭାରତ ପାଖରେ ପରମାଣୁ ଅସ୍ତ୍ର ଥିଲେ ମଧ୍ୟ ତାହାକୁ ବ୍ୟବହାର କରିବା ପାଇଁ ଯେଉଁ ସମ୍ବଳ ଓ ଶକ୍ତିର ଆବଶ୍ୟକତା ରହିଛି, ତାହା ଏହି ଦେଶ ପାଖରେ ନାହିଁ। ଖାଲି କହିଦେଲେ ପରିସ୍ଥିତିକୁ ଜଟିଳ କରିଦିଆଯାଇପାରେ, କିନ୍ତୁ ତାହାର ପ୍ରତିକାର କରିବା ଅସମ୍ଭବ ହୋଇପଡ଼ିବ। ନେତା ବଦଳିଯାଇପାରନ୍ତି, ମାତ୍ର ଦେଶ ପଡ଼ିଯାଇଥିବା ଖାପ୍‌ଚରୁ ଉଠିବା କଷ୍ଟକର ହୋଇପଡ଼ିବ।
ବାଲାକୋଟ ଆକ୍ରମଣ ପରେ କେତେକ ଭାରତୀୟ ସୋସିଆଲ ମିଡିଆରେ ପାକିସ୍ତାନ ବିରୋଧୀ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛିି। କାହାକୁ ଭୋଟ ଦେବେ ବୋଲି କେତେ ଜଣଙ୍କୁ ପଚରାଯିବା ପରେ ଉତ୍ତର ଶୁଣିବାକୁ ମିଳୁଛି, ‘ଆମର ଗୋଟେ ଭୋଟ ଯଦି ବାଲାକୋଟ ଭଳି ଆକ୍ରମଣ କରିପାରିବ, ତାହା ହେଲେ ଆମେ ସେଭଳି ଦଳ ପ୍ରତି ମତଦାନ କରିବୁ’। ଏଥିରୁ ବୁଝିବାକୁ ହେବ ଯେ, ଭାରତୀୟମାନେ ବାସ୍ତବ ଯୁଦ୍ଧ ଦେଖିନାହାନ୍ତି। ସେଥିପାଇଁ ଭାବୁଛନ୍ତି ଯେ ଯୁଦ୍ଧ କେବଳ ସୀମାରେ ଓ ସେନା ଦ୍ୱାରା ଲଢ଼ାଯାଇଥାଏ। ସେହି ଯୁଦ୍ଧ ପରିସ୍ଥିତି ଘରଦ୍ୱାର ମୁହଁରେ ଆସି ପହଞ୍ଚିଯିବ, ଯେମିତି ଅନ୍ୟ ଦେଶଗୁଡ଼ିକ ଦେଖିଛନ୍ତି, ସେତେବେଳେ କେତେ ଜଣ ଭାରତୀୟ ଯୁଦ୍ଧ ସପକ୍ଷରେ ମତ ଦେବେ ତାହା ଦେଖିବାକୁ ବାକି ଅଛି। ଏହା ବ୍ୟତୀତ ପରମାଣୁ ଯୁଦ୍ଧର ଧମକ ଦେଲେ, ତାହା କେବଳ ପାକିସ୍ତାନରେ ଆବଦ୍ଧ ହୋଇ ରହିଯିବ ନାହିଁ। ସେଭଳି ବିରାଟକାୟ ଯୁଦ୍ଧ ଘଟିଲେ ଚାଇନା ସମେତ ଅନ୍ୟସବୁ ବଡ଼ ରାଷ୍ଟ୍ର ଟାଣି ହୋଇଯିବେ। ସେଥିପାଇଁ ଦାୟିତ୍ୱସମ୍ପନ୍ନ ନେତାମାନେ ନିଜର ତୁଣ୍ଡକୁ ସଂଯତ ରଖିବା ଅତ୍ୟନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri