ସମାଧାନ ନିଷେଧରେ ନାହିଁ

ସମ୍ପାଦକୀୟ/ତଥାଗତ ସତପଥୀ
ଶ୍ରୀଲଙ୍କାରେ ୨୧ ଏପ୍ରିଲ ୨୦୧୯ରେ ଘଟିଥିବା ବିସ୍ଫୋରଣରେ ପାଖାପାଖି ୩୨୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୩୯ ବିଦେଶୀ ପର୍ଯ୍ୟଟକ ଥିଲେ। ବିସ୍ଫୋରଣ ପରେ ସେଠାରେ ପର୍ଯ୍ୟଟନ ଶିଳ୍ପ ଘୋର ବିପଦର ସମ୍ମୁଖୀନ ହୋଇଛି। ଆଇଏସ୍‌ ଆତଙ୍କବାଦୀ ତଥା ଶ୍ରୀଲଙ୍କାର କୋଟିପତି ବ୍ୟବସାୟୀ ଇନ୍‌ସାଫ ଅହମ୍ମଦ ଇବ୍ରାହିମ୍‌ଙ୍କ ସ୍ତ୍ରୀ ଫାତିମା ଇବ୍ରାହିମ୍‌ ବିସ୍ଫୋରଣରେ ସମ୍ପୃକ୍ତ ଥିବା ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ଶ୍ରୀଲଙ୍କା ସରକାର ମୁସଲମାନ ମହିଳାଙ୍କ ବୁର୍ଖା ପିନ୍ଧିବା ଉପରେ ରୋକ ଲଗାଇଛନ୍ତି। ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଆକ୍ରମଣର ସପ୍ତାହକ ପରେ ୨୯ ଏପ୍ରିଲରେ ଘୋଷଣା କରିଛନ୍ତି ଯେ, ତାଙ୍କ ଦେଶରେ କୌଣସି ମୁସଲମାନ ମହିଳା ସର୍ବସାଧାରଣ ସ୍ଥାନରେ ମୁହଁରେ ପରଦା ପକାଇପାରିବେ ନାହିଁ। ଏହା କୌଣସି ସମ୍ପ୍ରଦାୟକୁ ଅସୁବିଧାରେ ପକାଇବା ପାଇଁ ନୁହେଁ, ବରଂ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ପରିପ୍ରେକ୍ଷୀରେ ୟୁରୋପୀୟ ରାଷ୍ଟ୍ର ଫ୍ରାନ୍ସର ଉଦାହରଣ ନିଆଯାଉ। ସେଠାରେ ୧୪ ସେପ୍ଟେମ୍ବର ୨୦୧୦ରେ ସର୍ବସାଧାରଣ ସ୍ଥାନରେ ଲୋକେ ମୁହଁ ଘୋଡ଼ାଇ ଯାଇପାରିବେ ନାହିଁ ବୋଲି ଏକ ଆଇନ ପାର୍ଲାମେଣ୍ଟରେ ଅଣାଯାଇଥିଲା। ବିଶେଷକରି ମୁସଲମାନ ମହିଳା ହିଜାବ୍‌ ଓ ବୁର୍ଖା ଭଳି ମୁହଁ ଓ ଦେହକୁ ଘୋଡ଼ାଇବା ପରି ବସ୍ତ୍ର ପିନ୍ଧିି ଘର ବାହାରକୁ ଯିବା ନିଷେଧ କରାଗଲା। ଫ୍ରାନ୍ସରେ କଡ଼ା ଆଇନ ଲାଗୁ ହେବା ପରେ ଏହାର ସପକ୍ଷ ଓ ବିପକ୍ଷରେ ପ୍ରବଳ ମତ ପ୍ରକାଶ ପାଇଲା। ତେବେ ସେହି ଆଇନ ପ୍ରଣୟନକୁ ଦେଖିଲେ ଫ୍ରାନ୍ସର ଆଭ୍ୟନ୍ତରୀଣ ପରିସ୍ଥିତିରେ ସୁଧାର ଆସିଥିବା ଭଳି ସଙ୍କେତ ମିଳୁ ନାହିଁ। ଚାର୍ଲି ହେବ୍‌ଡୋ କାର୍ଯ୍ୟାଳୟ ଉପରେ ୨୦୧୫ରେ ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ପ୍ରାଣହାନି ଓ ସେହିବର୍ଷ ପ୍ୟାରିସ୍‌ରେ କ୍ରମାଗତ ଆକ୍ରମଣରେ ୧୩୭ ଜଣଙ୍କୁ ହତ୍ୟା ଏବଂ ୨୦୧୬ରେ ନିସ୍‌ରେ ଟ୍ରକ୍‌ ମଡ଼ାଇ ୮୬ ଲୋକଙ୍କୁ ମାରି ଦିଆଯିବା ଘଟଣା ଘଟିବାରେ ଲାଗିଛି, ଯାହା ଇସ୍‌ଲାମୀୟ ଉଗ୍ରବାଦକୁ ସିଧାସଳଖ ଦର୍ଶାଉଛି। ଯଦି ଫ୍ରାନ୍ସ ଉଦାହରଣକୁ ଦେଖାଯାଏ, ତେବେ ଶ୍ରୀଲଙ୍କା ଯେଉଁ ପଦକ୍ଷେପ ନେଉଛି, ତାହାର ପରବର୍ତ୍ତୀ ପରିସ୍ଥିତି କେଉଁଆଡ଼େ ମୋଡ଼ ନେବ କହିବା ଏବେ କଷ୍ଟକର।
ଶ୍ରୀଲଙ୍କାରେ ସମୁଦାୟ ଜନସଂଖ୍ୟାର ମାତ୍ର ୧୦ ପ୍ରତିଶତ ମୁସଲମାନ। ନିକଟ ଅତୀତରେ ସେଠାରେ ମୁସଲମାନ ଓ ଖ୍ରୀଷ୍ଟିଆନ୍‌ଙ୍କ ମଧ୍ୟରେ ସେଭଳି ଶତ୍ରୁତା ନ ଥିଲା। ହେଲେ ମଧ୍ୟପ୍ରାଚ୍ୟରେ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଦୁର୍ବଳ ହୋଇଯାଇଥିବାରୁ ଏହା ବିଶ୍ୱର ଅନ୍ୟ କେଉଁଠାରେ ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଥିବା ଶ୍ରୀଲଙ୍କା ବିସ୍ଫୋରଣରୁ ଖିଅ ଟାଣି କୁହାଯାଉଛି। ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀଲଙ୍କାର ଜଣେ ମନ୍ତ୍ରୀ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚସ୍ଥିତ ମସ୍‌ଜିଦ୍‌ରେ ୨୦୧୯ ମାର୍ଚ୍ଚ ୧୫ରେ ହୋଇଥିବା ଘଟଣା ସହ ଏହାକୁ ଯୋଡ଼ିଥିଲେ। ଯେହେତୁ ଶ୍ରୀଲଙ୍କା ବିସ୍ଫୋରଣରେ ମୁସଲମାନ ମହିଳାଙ୍କ ସମ୍ପୃକ୍ତି ନେଇ ଅନେକ ତଥ୍ୟ ମିଳିପାରିଛି, ସେହି ଦୃଷ୍ଟିରୁ ଦେଖିଲେ ସେଠାକାର ସରକାରଙ୍କ ଏଭଳି ନିଷ୍ପତ୍ତି ଏକ ସ୍ବାଭାବିକ ପ୍ରତିକ୍ରିୟା। କିନ୍ତୁ ଏହା ଏକ ଅସ୍ବାଭାବିକ ପଦକ୍ଷେପ। ଏଭଳି ପରିସ୍ଥିତିରେ ବୁର୍ଖା ନିଷେଧ ଭଳି ନିଷ୍ପତ୍ତି ଏକ ଚିନ୍ତାଶୀଳ ସରକାରର ପ୍ରତିକ୍ରିୟା ଭାବେ ମନେହୁଏ ନାହିଁ। ଆମେରିକା ଉପରେ ୯/୧୧ ଆକ୍ରମଣର ପ୍ରତିକ୍ରିୟାରେ ସେଭଳି ଶକ୍ତିଶାଳୀ ଦେଶ ଅନ୍ତର୍ଜାତୀୟ ଯୁଦ୍ଧ ଲଗାଇ ଭାବିଥିଲା ଯେ ଆତଙ୍କବାଦୀଙ୍କୁ ଶେଷ କରିପାରିବ। ଆଫଗାନିସ୍ତାନ, ଇରାକ୍‌ ଏବଂ ମଧ୍ୟପ୍ରାଚ୍ୟକୁ ସମ୍ପୂର୍ଣ୍ଣ ଭାବରେ ଅସ୍ଥିର କରିଦେବା ପରେ ମଧ୍ୟ ଆମେରିକା ତା’ର ଲକ୍ଷ୍ୟ ହାସଲ କରିବା ପୂର୍ବରୁ ସେନା ଫେରାଇ ନେବା ପାଇଁ ବାଧ୍ୟ ହୋଇଛି। ଅବଶ୍ୟ କହିହେବ ଯେ, ନିଜ ଦେଶ ଭିତରେ ଅତି ଶକ୍ତିଶାଳୀ ଗୋଇନ୍ଦା ନଜର ରଖି ପରବର୍ତ୍ତୀ ଆତଙ୍କବାଦୀ ଆକ୍ରମଣ ଘଟାଇଦେଇ ନାହିଁ। ଏଥିପାଇଁ ଆମେରିକାର ଭୌଗୋଳିକ ପରିସ୍ଥିତି ତାକୁ ସହାୟକ ହୋଇଛି। କିନ୍ତୁ ରୁଷିଆ ଭଳି ଦେଶ ମଧ୍ୟ ଇସ୍‌ଲାମୀୟ ଆତଙ୍କବାଦରୁ ରକ୍ଷା ପାଇପାରି ନାହିଁ। ମୁସ୍‌ଲିମ୍‌ ଚେଚେନ୍‌ ବିଦ୍ରୋହୀମାନେ ସ୍କୁଲ ଭିତରେ ପଶି ପିଲାମାନଙ୍କୁ ହତ୍ୟା କରିଥିବା ଘଟଣା ସମଗ୍ର ପୃଥିବୀକୁ ଦୁଃଖିତ କରିଥିଲା। ଅନ୍ୟ ଏକ ଦିଗରୁ ଦେଖିଲେ ପାକିସ୍ତାନ ଭଳି ସମ୍ଭବତଃ ପୃଥିବୀରେ ଆତଙ୍କବାଦୀଙ୍କୁ ଖୋଲାଖୋଲି ସମର୍ଥନ କରୁଥିବା ଅନ୍ୟ କୌଣସି ଦେଶ ନାହିଁ। ତଥାପି ପାକିସ୍ତାନ ଉଗ୍ରବାଦୀ ଆକ୍ରମଣରୁ ବର୍ତ୍ତିପାରୁ ନାହିଁ। ଏଥିରୁ ବୁଝିବାକୁ ହେବ, ଅତ୍ୟଧିକ ମିତ୍ରତା କିମ୍ବା ଫ୍ରାନ୍ସ ଓ ଶ୍ରୀଲଙ୍କା ଭଳି ଶତ୍ରୁତା ମାଧ୍ୟମରେ ଇସ୍‌ଲାମୀୟ ଉଗ୍ରବାଦକୁ ପୃଥିବୀବ୍ୟାପୀ ବନ୍ଦ କରିପାରିନାହାନ୍ତି। କେବଳ ଆମେରିକା, ଚାଇନା ଏବଂ ରୁଷିଆ ତିନୋଟିଯାକ ଦେଶ ଆତଙ୍କବାଦୀଙ୍କ ଗୁରୁତର ଶିକାର ହେବା ପରେ ଏବେ ସେଥିରୁ ଆପାତତଃ ବଞ୍ଚିକରି ରହିପାରିଛନ୍ତି। ଆମେରିକା ଓ ରୁଷିଆରେ ଆତଙ୍କବାଦୀ ଆକ୍ରମଣ ସାଧାରଣରେ ଜଣାପଡ଼ିଥିଲା ବେଳେ ଚାଇନାର କୌଣସି ଘଟଣା ପଦାକୁ ଆସୁନାହିଁ। ସେହି ଦେଶର ୟୁଘୁର ମୁସଲମାନମାନଙ୍କୁ ନିପାତ କରିବା ପାଇଁ ଚାଇନା ରଣ କରିଛି।
ଶେଷରେ କହିହେବ, ଯେଉଁ ଦେଶରେ ଗୋଇନ୍ଦା ବ୍ୟବସ୍ଥାକୁ କଡ଼ାକଡ଼ି କରାଇ ସମାଜକୁ ସତର୍କ ରଖି ହେଉଛି, ସେହି ଦେଶରେ ଆତଙ୍କବାଦୀ ଆକ୍ରମଣର ମାତ୍ରାକୁ ହ୍ରାସ କରିହେଉଛି। ଏଥିସହିତ ପୂର୍ବଭଳି ଶାରୀରିକ ଗୋଇନ୍ଦା କାର୍ଯ୍ୟକଳାପ ଏବେ ପ୍ରାଚୀନ ଚିନ୍ତାଧାରାର ପରିଚୟ ପାଲଟିଗଲାଣି। ଏବେକା ଯୁଗରେ ଆତଙ୍କବାଦୀମାନେ ସୋସିଆଲ ମିଡିଆ ଏବଂ ଡିଜିଟାଲ ଅନ୍‌ଲାଇନ୍‌କୁ ମାଧ୍ୟମ କରି ନିଜର ଲକ୍ଷ୍ୟ ସାଧନ କରିପାରୁଛନ୍ତି। ଯେଉଁ ସରକାର ସେହି ଡିଜିଟାଲ ପୃଥିବୀକୁ ଅନିଷା କରି ସତର୍କ ରହିପାରୁଛି, ସେହି ଦେଶ ସୁରକ୍ଷିତ ରହିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri