ସମସ୍ତ କ୍ରିକେଟର ଦୁର୍ନୀତିମୁକ୍ତ

ଲଣ୍ଡନ, ୨୫ା୫(ପି.ଟି.)- ଆଗାମୀ ଆଇସିସି ବିଶ୍ୱକପ୍‌ ଖେଳିବା ଲାଗି ମନୋନୀତ କୌଣସି ଅନ୍ତର୍ଜାତୀୟ କ୍ରିକେଟର ଦୁର୍ନୀତି ପରିସରଭୁକ୍ତ ନୁହନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଦୁର୍ନୀତି ନିରୋଧୀ ୟୁନିଟ୍‌ (ଏସିୟୁ)ର ଜଣେ ବରିଷ୍ଠ ପଦାଧିକାରୀ ଆଲେକ୍ସ ମାର୍ଶାଲ ଏହି ସୂଚନା ଦେଇଛନ୍ତି। ଇଭେଣ୍ଟର ଇତିହାସରେ ଏହା ସବୁଠାରୁ ‘ସୁରକ୍ଷିତ’ ଟୁର୍ନାମେଣ୍ଟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପରବର୍ତ୍ତୀ ୬ ସପ୍ତାହ ଧରି ଇଂଲଣ୍ଡ ଓ ଓ୍ବେଲ୍ସରେ ହେବାକୁଥିବା ଟୁର୍ନାମେଣ୍ଟରେ ୧୦ଟି ଦଳ ଅଂଶଗ୍ରହଣ କରିବେ। ପ୍ରଥମ ଥର ସେମାନଙ୍କ ଦଳ ସହ ଦୁର୍ନୀତି ନିରୋଧୀ ମ୍ୟାନେଜର ଗସ୍ତ କରିଛନ୍ତି। ଗତ ୧୮ ମାସ ମଧ୍ୟରେ ୧୪ କିମ୍ବା ୧୫ଜଣଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। କିନ୍ତୁ ଏମାନଙ୍କ ମଧ୍ୟରେ ଜଣେହେଲେ ବର୍ତ୍ତମାନର ଖେଳାଳି ନାହାନ୍ତି। ଯେଉଁମାନଙ୍କ ବିରୋଧରେ ଅଭିଯୋଗ ହୋଇଛି, ସେମାନଙ୍କ ମଧ୍ୟରେ ପ୍ରଶାସକ, ସିନିୟର ପ୍ରଶାସକ, ବୋର୍ଡ ସଦସ୍ୟ, କୋଚ୍‌, ପୂର୍ବତନ ଖେଳାଳି ଏବଂ ଆନାଲିଷ୍ଟ ପ୍ରମୁଖ ଅଛନ୍ତି। ବର୍ତ୍ତମାନ ଖେଳାଳି ଗ୍ରୁପ୍‌ରୁ ଜଣେ ହେଲେ କେହି ଏମାନଙ୍କ ମଧ୍ୟରେ ନାହାନ୍ତି ବୋଲି ଆଇସିସି ଜେନେରାଲ ମ୍ୟାନେଜର (ଏସିୟୁ) ମାର୍ଶାଲ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

Share