କୋଭିଡ ଯୋଦ୍ଧାଙ୍କୁ ସମ୍ମାନ: ସବୁ ଓଡ଼ିଆ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର,୩୦।୫(ବ୍ୟୁରୋ): କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ପାଇଁ ଓଡ଼ିଶା ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ଶନିବାର ଅପରାହ୍ନ ୫.୩୦ ମିନିଟରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ଯିଏ ଯେଉଁଠାରେ ଥିଲେ ସେ ସେହିଠାରେ ଛିଡ଼ା ହୋଇ ଏହି ସଂଗୀତ ଗାନ କରିଛନ୍ତି।

ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି। ସେହିଭଳି ବିଧାନସଭା ସମ୍ମୁଖରେ ବିଧାୟକଙ୍କ ସହ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଲୋକସେବା ଭବନରେ ସହକର୍ମୀଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ପୋଲିସ ସେବା ଭବନରେ ସହକର୍ମୀଙ୍କ ସହ କମିଶନର ସୁଧାଶୁଂ ଷଡ଼ଙ୍ଗୀ, କଂଗ୍ରେସ ଭବନରେ ସାଥୀ ନେତାଙ୍କ ସହ ସଭାପତି ନିରଞ୍ଜନ ପଟ୍ଟନାୟକ, ଭାଜପା କାର୍ଯ୍ୟାଳୟରେ ସହକର୍ମୀଙ୍କ ସହ ସଭାପତି ସମୀର ମହାନ୍ତି, କଟକ ପୋଲିସ ମୁଖ୍ୟାଳୟ, କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟ, ଶ୍ରୀମନ୍ଦିର ସମ୍ମୁଖରେ ସମସ୍ତେ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ କ୍ରିଡାବିତ୍‌ମାନେ ମଧ୍ୟ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି।

ପ୍ରକାଶ ଯେ, କରୋନା ସଂକ୍ରମଣକୁ ରୋକିବାକୁ ଦିନ ରାତି ଏକ କରି ସେବା ଯୋଗାଇ ଆସୁଛନ୍ତି କୋଭିଡ ଯୋଦ୍ଧାମାନେ। ସେମାନଙ୍କ ମହତ୍‌ କାର୍ଯ୍ୟକୁ ଉତ୍ସାହିତ କରିବା ଲାଗି ସଂନ୍ଧ୍ୟା ସାଢ଼େ ୫ଟା ସମୟରେ ଦେଶ ବିଦେଶର ସବୁ ଓଡ଼ିଆଭଉଣୀଭାଇଙ୍କୁ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ବିଶ୍ୱର ଯେ କୌଣସି କୋଣରେ ଓଡ଼ିଆ ଥିଲେ ମଧ୍ୟ ଠିଆ ହୋଇ ଏହାକୁ ଗାଇବାକୁ ସେ କହିଥିଲେ।