Categories: ଖେଳ

ସଚିନଙ୍କ ସହ ଡିନର୍‌ କଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ, ୧୮।୪- ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣରେ ଗୁରୁବାର ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ଲାଗି ଉଭୟ ଦଳ ଜୋର୍‌ଦାର ପ୍ରସ୍ତୁତି କରିଛନ୍ତି। ତେବେ ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀର ଯୁବ ଓପନର୍‌ ପୃଥ୍ବୀ ଶ’ଙ୍କ ପାଇଁ ବୁଧବାର ରାତି ବେଶ୍‌ ସ୍ମରଣୀୟ ହୋଇରହିବ। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ମୁମ୍ବାଇ ପରାମର୍ଶଦାତା ରହିଥିବା ସଚିନ ତେନ୍ଦୁଲକରଙ୍କ ସହ ଶ’ ଏକାଠି ଡିନର କରିବାର ସୁଯୋଗ ପାଇଥିଲେ। ଟିମ୍‌ ହୋଟେଲରେ ବୁଧବାର ରାତିରେ ଉଭୟ ସଚିନ ଓ ଶ’ ଏକାଠି ବସି ରାତ୍ରିଭୋଜନ କରିଥିଲେ। ଏହାର ଏକ ଫଟୋ ପୃଥ୍ବୀ ନିଜ ଟୁଇଟର୍‌ ପେଜ୍‌ରେ ଶେୟାର କରିଛନ୍ତି। ‘ଏକ ସୁନ୍ଦର ଡିନର ଆୟୋଜନ କରିଥିବାରୁ ସଚିନ ସାର୍‌ଙ୍କୁ ଧନ୍ୟବାଦ। ଆପଣଙ୍କ ସହ ସାକ୍ଷାତ ସର୍ବଦା ଆନନ୍ଦ ଦେଇଛି’ ବୋଲି ଏହି ଯୁବ ଓପନର୍‌ ଫଟୋତଳେ କ୍ୟାପସନରେ ଉଲ୍ଲେଖ କରିଛନ୍ତି। ଜଣେ ଭାଗ୍ୟବାନ ଖେଳାଳିଭାବେ ୧୯ ବର୍ଷୀୟ ପୃଥ୍ବୀ ମେଣ୍ଟର ଭାବେ ବିଭିନ୍ନ ସମୟରେ ସଚିନ, ରାହୁଲ ଡ୍ରାଭିଡ୍‌ (୧୯ ବର୍ଷରୁ କମ୍‌ ଭାରତୀୟ ଦଳ ସହ) ଓ ସୌରଭ ଗାଙ୍ଗୁଲି (ଦିଲ୍ଲୀ କ୍ୟାପିଟାଲ୍ସ ସହ)ଙ୍କ ନିକଟରୁ ଟିପ୍ସ ପାଇଛନ୍ତି। ତେବେ ଚଳିତ ଆଇପିଏଲ୍‌ରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଆଶନୁରୂପ ହୋଇପାରିନାହିଁ। ଦିଲ୍ଲୀ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶ’ ବର୍ତ୍ତମାନ ସୁଦ୍ଧା ୮ ମ୍ୟାଚ୍‌ ଖେଳି ୨୩.୩୭ ଆଭରେଜରେ ୧୮୭ ରନ ସଂଗ୍ରହ କରିଛନ୍ତି। ଏଥିରେ ୯୯ ରନର ଏକ ଇନିଂସ ସାମିଲ ରହିଛି।

Share