ସଙ୍କଟାପନ୍ନ ଅବସ୍ଥାରେ ୪୮ କିଡ୍‌ନୀ ରୋଗୀ

କଟକ ଅଫିସ,୨୧ା୧୨: କଟକ ଏସ୍‌ସିବି ମେଡିକାଲରେ ୪୮ ଜଣ କିଡ୍‌ନୀ ରୋଗୀଙ୍କ ଡାୟାଲିସିସ କରାଯାଉଛି। ମାତ୍ର ଡାୟାଲିସିସ୍‌ ପାଇଁ ଆବଶ୍ୟକ ଫ୍ଲୁଇଡ୍‌ ଏବେ ଏସ୍‌ସିବି ମେଡିକାଲରେ ମାଗଣାରେ ମିଳୁନି। ଅନ୍ୟପକ୍ଷରେ ସରକାରଙ୍କ ସହିତ ସହବନ୍ଧିତ ହୋଇଥିବା ଔଷଧ ଦୋକାନ ଡାୟାଲିସିସ୍‌ ଫ୍ଲୁଇଡ୍‌ ଦେବାକୁ ରୋକ୍‌ଠୋକ୍‌ ମନା କରିଦେଉଛି। କାରଣ ସରକାରଙ୍କ ଉପରେ ଦୋକାନଗୁଡ଼ିକର ପ୍ରାୟ ୩୦ କୋଟି ଟଙ୍କା ବାକି ପଡ଼ିଛି। ସରକାର ଟଙ୍କା ଦେଉନାହାନ୍ତି, ଆମେ କେଉଁଠୁ ଆଣି ତୁମକୁ ଦେବୁ ବୋଲି ଦୋକାନ ମାଲିକମାନେ ରୋଗୀଙ୍କୁ ଉତ୍ତର ଦେଉଛନ୍ତି। ୬ ମାସ ହେବ ଏଭଳି ଅବସ୍ଥା ଲାଗି ରହିଛି। ଫ୍ଲୁଇଡ୍‌ର ଦାମ ୨୦ରୁ ୨୫ହଜାର ଟଙ୍କା। ପ୍ରତି ମାସରେ ଏତେ ଟଙ୍କା ଯୋଗାଡ଼ କରି ଫ୍ଲୁଇଡ୍‌ କିଣିବା ସମ୍ଭବ ହେଉନି ବୋଲି ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି। ଗୁରୁବାର ସନ୍ଧ୍ୟାରେ ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କ ଚାମ୍ବର ଆଗରେ ଭୁବନେଶ୍ୱରରୁ ଆସିଥିବା ଦୀପକ ମହାପାତ୍ର, ଜଗତ୍‌ସିଂହପୁରରୁ ଆସିଥିବା ଶୁଭସ୍ମିତା ନାୟକ, ବାଲୁଗଁା ଅଞ୍ଚଳରୁ ଆସିଥିବା ମଞ୍ଜୁଲତା ଜେନା, ବରଗଡ଼ରୁ ଆସିଥିବା ରାହୁଲ ଦାସ ଓ କେନ୍ଦ୍ରାପଡ଼ାରୁ ଆସିଥିବା ରାଜୀବ ଗିରିଙ୍କ ଭଳି ରୋଗୀ ଓ ରୋଗୀ ସମ୍ପର୍କୀୟମାନେ ଏହିଭଳି କଥା କହୁଥାନ୍ତି। ରୋଗୀମାନଙ୍କ ଦସ୍ତଖତ ସମ୍ବଳିତ ଏକ ଦରଖାସ୍ତ ଏମାନେ ଅଧୀକ୍ଷକଙ୍କୁ ଦେଇଥିଲେ। ଏମାନଙ୍କୁ ମିଶାଇ ୪୮ ଜଣ ରୋଗୀ ମେଡିକାଲର ନେଫ୍ରୋଲୋଜି ବିଭାଗରେ ଦୟନୀୟ ଅବସ୍ଥାରେ ପଡ଼ିଛନ୍ତି।
୮ ବର୍ଷର ପୁଅକୁ ନେଇ ଆସିଥିବା ବାଲୁଗଁ। ଅଞ୍ଚଳର ମଞ୍ଜୁଲତା ଜେନା କୁହନ୍ତି, ଦିନକୁ ୩ ଥର ଡାୟାଲିସିସ୍‌ କରିବାକୁ ପଡ଼ୁଛି। ଏବେ ଡାୟାଲିସିସ୍‌ ଫ୍ଲୁଇଡ୍‌ ମିଳୁ ନ ଥିବାରୁ ହାତରୁ କିଣି ଥରେ କରିବା ବି ମୋ ପକ୍ଷରେ ସମ୍ଭବ ହେଉନାହିଁ। ପୁଅର ଗୋଡ଼, ହାତ ଫୁଲି ଗଲାଣି। ଭଗବାନ ହିଁ ମୋତେ ଭରସା। ସମାନ କଥା କହିଥିଲେ ଜଗତ୍‌ସିଂହପୁର ଅଞ୍ଚଳରୁ ୫୮ ବର୍ଷର ବାପାଙ୍କୁ ନେଇ ଆସିଥିବା ଶୁଭସ୍ମିତା ନାୟକ। ୬ ମାସ ହେବ ସହବନ୍ଧିତ ଔଷଧ ଦୋକାନ ତାଙ୍କୁ ଫ୍ଲୁଇଡ୍‌ ନ ଦେଇ ଫେରାଇ ଦେଉଛି। ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ହେଲାଣି। ତଥାପି କେହି ଶୁଣୁନାହାନ୍ତି। ବରଗଡ଼ରୁ ଆସିଥିବା ରାହୁଲ ଦାସ କୁହନ୍ତି, ସରକାରଙ୍କ ମାଗଣା ଚିକିତ୍ସାର ବିକଳ ରୂପ ଏବେ ଆମେ ହିଁ ଭୋଗୁଛୁ।
ସୂଚନାଥାଉ କି, ଏହି ରୋଗୀମାନେ ପ୍ରତି ମାସରେ ଥରେ ମେଡିକାଲକୁ ଆସିଥାଆନ୍ତି। ୧ ମାସ ପାଇଁ ଫ୍ଲୁଇଡ୍‌ ଧରି ଘରକୁ ଯାଇଥାନ୍ତି। ଘରେ ଏମାନେ ଉକ୍ତ ଫ୍ଲୁଇଡ୍‌ ସାହାଯ୍ୟରେ ଡାୟାଲିସିସ୍‌ କରିଥାନ୍ତି। ଏହାକୁ ପେରିଟୋନିଆଲ ଡାୟାଲିସିସ୍‌ କୁହାଯାଏ। ମାତ୍ର ଏବେ ଫ୍ଲୁଇଡ ମିଳୁ ନ ଥିବାରୁ କିଏ ୬ ମାସ ହେବ ତ କିଏ ୪ ମାସ ହେବ ଏଭଳି ସଙ୍କଟାପନ୍ନ ସ୍ଥିତିରେ ପଡ଼ିଛନ୍ତି। ନେଫ୍ରୋଲୋଜି ବିଭାଗର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ରୋଗୀମାନଙ୍କ ଅବସ୍ଥା ବାସ୍ତବରେ ଖରାପ ଆଡକୁ ଗଲାଣି। ତୁରନ୍ତ ସେମାନଙ୍କୁ ଫ୍ଲୁଇଡ୍‌ ଯୋଗାଇ ଦିଆ ନ ଗଲେ ଅବସ୍ଥା ସଙ୍କଟାପନ୍ନ ହେବା ଆଶଙ୍କା ପ୍ରକାଶ ପାଇଛି। ଡାକ୍ତର ଏ କଥା କହୁଥିବା ବେଳେ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଏଭଳି ସ୍ଥିତି ଲାଗି ରହିଛି। ଏହି ୬ ମାସ ମଧ୍ୟରେ କେତେଜଣ ରୋଗୀ ଫ୍ଲୁଇଡ୍‌ ନ ପାଇ ମୃତ୍ୟୁବରଣ କରିଛନ୍ତି, ତା’ର କୌଣସି ଠିକ୍‌ ହିସାବ ମେଡିକାଲ ପକ୍ଷରୁ ଦିଆଯାଉନାହିଁ। କିନ୍ତୁ ନେଫ୍ରୋଲୋଜି ବିଭାଗରେ ପ୍ରତି ସପ୍ତାହରେ ୩ରୁ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟୁଥିବାବେଳେ ପ୍ରତି ମାସରେ ୧୦ରୁ ୧୨ ଜଣ ରୋଗୀ ଆଖି ବୁଜୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପେରିଟୋନିଆଲ ଡାୟାଲିସିସ୍‌ ରୋଗୀ ବୋଲି ଜଣାପଡ଼ିଛି। ଗୋଟିଏ ପଟେ ରାଜ୍ୟରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏସ୍‌ସିବି ନେଫ୍ରୋଲୋଜି ଆଉଟଡୋରକୁ ପ୍ରତି ସପ୍ତାହରେ ୮୦ ଜଣ ରୋଗୀ ଆସୁଥିବାବେଳେ ଦିନକୁ ୧୫ରୁ ୨୦ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଦୈନିକ ଏହି ବିଭାଗରେ ୭୦ରୁ ୮୦ ଜଣ ରୋଗୀଙ୍କ ଡାୟାଲିସିସ୍‌ କରାଯାଉଥିବା ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଚିତ୍ତରଞ୍ଜନ କର କହିଛନ୍ତି। ଡାକ୍ତର କରଙ୍କ କହିବା ଅନୁଯାୟୀ, ଫ୍ଲୁଇଡ୍‌ଜନିତ ଅସୁବିଧା ଉପୁଜିଛି। କିନ୍ତୁ ଫ୍ଲୁଇଡ୍‌ ଯୋଗୁ କୌଣସି ରୋଗୀଙ୍କ ମୃତ୍ୟୁ ଘଟିନାହିଁ। ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସରୋଜ କୁମାର ସାହୁ କୁହନ୍ତି, ଫ୍ଲୁଇଡ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଖୁବ୍‌ଶୀଘ୍ର ଏହି ରୋଗୀମାନେ ଫ୍ଲୁଇଡ ପାଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?