Categories: ଖେଳ

ଷ୍ଟାର୍କଙ୍କ ବୀମା ରାଶି ବିବାଦର ସମାଧାନ

ମେଲବୋର୍ନ, ୧୧ା୮ (ପି.ଟି.)-ଅଷ୍ଟ୍ରେଲିଆର ଷ୍ଟାର୍‌ ପେସ୍‌ ବୋଲର ମିଚେଲ ଷ୍ଟାର୍କଙ୍କ ବୀମା ରାଶିକୁ ନେଇ ହୋଇଥିବା ବିବାଦର ସମାଧାନ ହୋଇଛି। ୨୦୧୮ରେ ଏକ ଇଞ୍ଜୁରି ପାଇଁ ସେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ସହିତ ଆଇପିଏଲ୍‌ ଚୁକ୍ତି ହରାଇଥିଲେ। ଏଥିପାଇଁ ସେ ବୀମା କମ୍ପାନୀଠାରୁ ୧.୫୩ ନିୟୁତ ଆମେରିକୀୟ ଡଲାର ପ୍ରାପ୍ୟ ଦାବି କରିଥିଲେ। ଭିକ୍ଟୋରିଆନ କାଉଣ୍ଟି କୋର୍ଟରେ ଶୁଣାଣି ଆଉ ଦୁଇ ଦିନ ବାକି ରହିଥିବା ବେଳେ ମାମଲାର ଆପୋସ ସମାଧାନ ହୋଇଛି। କେଉଁ ସର୍ତ୍ତରେ ଏହି ବୁଝାମଣା ହୋଇଛି ତାହା ସ୍ପଷ୍ଟ କରାଯାଇ ନାହିଁ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୧୮ ପାଇଁ ଷ୍ଟାର୍କ କେକେଆର ସହିତ ୧.୮ ନିୟୁତ ଆମେରିକୀୟ ଡଲାର (୯.୪ କୋଟି ଟଙ୍କା)ର ଚୁକ୍ତି କରିଥିଲେ। ମାତ୍ର ଡାହାଣ ଗୋଡ଼ରେ ଇଞ୍ଜୁରୀ ପାଇଁ ସେ ଗୋଟିଏ ହେଲେ ମ୍ୟାଚ ଖେଳି ପାରି ନ ଥିଲେ। ବାମହାତୀ ଏହି ପେସ୍‌ ବୋଲର ୨୦୧୮ ମାର୍ଚ୍ଚ ୧୦ରେ ଦାବି ଉପସ୍ଥାପନ କରି କହିଥିଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବୋଲିଂ ବେଳେ ସେ ତାଙ୍କ ଡାହାଣ ପେଣ୍ଡାରେ ପ୍ରଥମେ ଯନ୍ତ୍ରଣା ଅନୁଭବ କରିଥିଲେ। ତୃତୀୟ ଟେଷ୍ଟ ବେଳକୁ ଏହି ଯନ୍ତ୍ରଣା କ୍ରମେ ବୃଦ୍ଧି ପାଇଥିଲା। ଏକ୍ସ-ରେ ପରେ ଜଣାପଡ଼ିଥିଲା ଯେ ତାଙ୍କ ଡାହାଣ ଟିବିଆଲ୍‌ ହାଡ଼ ଭାଙ୍ଗିଯାଇଛି। ଇଞ୍ଜୁରି ଆକସ୍ମିକ ଥିଲା ବୋଲି କିନ୍ତୁ ଷ୍ଟାର୍କଙ୍କୁ କିନ୍ତୁ ପ୍ରମାଣ କରିବାକୁ ଥିଲା। ପୋର୍ଟ ଏଲିଜାବେଥ୍‌ଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ମ୍ୟାଚ୍‌ର ଯେଉଁ ସମୟରେ ସେ ଆହତ ହୋଇଥିଲେ ତାହା ବିବାଦୀୟ ଥିଲା। ଷ୍ଟାର୍କଙ୍କ ମ୍ୟାନେଜର ଆଣ୍ଡ୍ର୍ୟୁ ଫ୍ରେଜର ମେ’ରେ ମାମଲାର ମଧ୍ୟସ୍ଥି କରିବାକୁ ଚେଷ୍ଟା କରିଥିଲେ। ମ୍ୟାଚର ଯେଉଁ ସମୟରେ ଷ୍ଟାର୍କ ଆହତ ହୋଇଥିଲେ ତାହାର ଏକ ଭିଡିଓ ଫୁଟେଜ ମଧ୍ୟ ସେ ଦେଖାଇଥିଲେ। ମାତ୍ର କଥାବାର୍ତ୍ତା ବିଫଳ ହୋଇଥିଲା। କୋର୍ଟରେ ଉଭୟ ପକ୍ଷର ମେଡିକାଲ ରିପୋର୍ଟ ମେଳ ଖାଇ ନ ଥିଲା।

Share