ଶ୍ରୀରାମ ଓ ଆମେ

ସୁଧିରାଜ ରାଉତ

ଜଣେ ବନ୍ଧୁଙ୍କ ପ୍ରଶ୍ନଟିଏ ମନେପଡୁଛି ”ପ୍ରକୃତରେ ଶ୍ରୀରାମ ଜନ୍ମ ହୋଇଥିଲେ କି? “ କହିଲି, ଏହାର ସପକ୍ଷରେ ଓ ବିପକ୍ଷରେ ଅନେକ ବିଦ୍ବାନ୍‌ ବହୁ ଉତ୍ତର ଦେଇଛନ୍ତି। ସ୍ବାମୀ ବିବେକାନନ୍ଦଙ୍କ ଉତ୍ତରଟି ଏଇଭଳି – ଆଲେକଜାଣ୍ଡର, ଚେଙ୍ଗିଜ ଖାଁ, ନେପୋଲିଅନ ମୋ ପାଇଁ ସତ୍ୟ ଅବା ଇତିହାସ ନୁହେଁ, ଯଦି ତାହା ମଣିଷକୁ ଜୀବନ ବଞ୍ଚିବାକୁ ଶକ୍ତି ଦେଉନାହିଁ, ବିଶ୍ୱାସ, ଭରସା ଦେଉନାହିଁ। ମୋ ପାଇଁ ତାହା ସତ୍ୟ ଏବଂ ତାହା ଇତିହାସ, ଯାହା କୋଟି କୋଟି ମଣିଷଙ୍କୁ ବଞ୍ଚିବା ପାଇଁ ଶକ୍ତିଦିଏ, ବିଶ୍ୱାସ ଦିଏ, ରାହା ଦିଏ, ରାସ୍ତା ଦେଖାଏ। ତେଣୁ ମୋ ପାଇଁ ଶ୍ରୀରାମ, ଶ୍ରୀକୃଷ୍ଣ ଇତିହାସ ଅଟନ୍ତି ଏବଂ ଲିଖିତ ଇତିହାସ ନାୟକଙ୍କଠାରୁ ଅଧିକ ମହାନାୟକ ଅଟନ୍ତି। ”ଆଜି କୋଟି କୋଟି ମଣିଷ ଶ୍ରଦ୍ଧାରେ ଶ୍ରୀରାମଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ମୋତେ ବିବେକାନନ୍ଦଙ୍କ ଉକ୍ତି ଅଧିକ ମନେ ପଡ଼ୁଥିଲା ଏବଂ ମନେପଡ଼ୁଥିଲା ଶ୍ରୀରାମ କହିଲେ, ଜଣେ ଭାରତୀୟ ପାଇଁ କ’ଣ ଏବଂ ତା’ର ଚେତନ ଅବଚେତନରେ ଏହାର ପ୍ରଭାବ କେତେ ଜୀବନ୍ତ ଏବଂ କେତେ ବ୍ୟାପ୍ତ। ଦୁଇ ବର୍ଷ ତଳେ ମୋ ଘରେ ଘଟିଥିବା ଏକ ଘଟଣା ଆଜି ମନେପଡୁଛି। ମୋ ପଢ଼ା ଲେଖା ଟେବୁଲ ସମ୍ମୁଖ କାନ୍ଥରେ ଶ୍ରୀଅରବିନ୍ଦଙ୍କ ଏକ ସୁନ୍ଦର ବୃହତ ଫଟୋଟିଏ ଟାଙ୍ଗିଥାଏ, ଫଟୋଟିକୁ ଗୋଲଡେନ ରେଶମ କନାରେ ସଜେଇଥାଏ। ହଠାତ ଦିନେ ସକାଳୁ ଦେଖିବା ବେଳକୁ କନାଟି ଚିରି ଚାରିଖଣ୍ଡ ହୋଇପଡ଼ିଛି। ମନେ ମନେ ଖୁବ୍‌ ବିରକ୍ତ ହେଲି, କାରଣ ଶ୍ରୀଅରବିନ୍ଦ ମୋ ପାଇଁ ଶ୍ରେଷ୍ଠ ପୂର୍ଣ୍ଣାଙ୍ଗ ଋଷିି, ନବ ଚେତନାର ନୂଆ ପୃଥିବୀର ଭଗୀରଥ ।
ନିଜକୁ ନିଜେ କହିଲି ଆଜି ନିଶ୍ଚେ ବିଷ ଆଣି ମୂଷାଙ୍କୁ ମାରିବି। ଫଟୋଟିକୁ ଟିକେ ଟେକିଲି, ଗୋଟିଏ ଗୁଣ୍ଡୁଚିମୂଷା ଘରଟିଏ କରି ମୋତେ ଚାହିଁଛି , ହଠାତ ମୋ ଭିତରୁ ମୋ ସମସ୍ତ ବିରକ୍ତିଭାବ ତତ୍କାଳ ଅନ୍ତର୍ଦ୍ଧାନ ହୋଇଗଲା ଏବଂ ମୁଁ ହସି ପତ୍ନୀକୁ କହିଲି, ”ଦେଖ ଏ ଦୁଷ୍ଟକୁ କେଉଁଠି ଜାଗା ମିଳିଲା ନାହିଁ ଏଇଠି ଘର କରିଛି।“ ମୂଲ୍ୟବାନ କପଡ଼ା ଖଣ୍ଡ ଖଣ୍ଡ ପଡ଼ିଥିବା ସତ୍ତ୍ୱେ ଗୁଣ୍ଡୁଚିମୂଷା ନଁା ଶୁଣି ପତ୍ନୀ ମୁହଁ ଅଧିକ ହସ ହସ ଦିଶିଲା, ଏହାର ସର୍ବମୋଟ କାରଣ ଆମର ଅବଚେତନରେ ଗୁଣ୍ଡୁଚିମୂଷା ପ୍ରତି ରହିଛି ଅସରନ୍ତି ଭଲ ପାଇବା ଆଉ ଏ ଭଲ ପାଇବାର ଆଧାର ହେଉଛନ୍ତି ଶ୍ରୀରାମ। ଶ୍ରୀରାମଙ୍କୁ ଇଏ ସାହାଯ୍ୟ କରିଥିଲା। ଶ୍ରୀରାମ ଏହାର ପିଠି ଆଉଁସି ଦେଇଥିଲେ। ବାସ୍‌ ଏତିକି ତ କଥା। ଗୁଣ୍ଡୁଚି ପ୍ରତି ଏ ଭଲ ପାଇବା ଏହା ପ୍ରମାଣ କରୁଛି ଆମ ଅଜାଣତରେ ଆମ ରକ୍ତ ରକ୍ତରେ, ଆମ ଚେତନ ଅଚେତନରେ କିଭଳି ଶ୍ରୀରାମଙ୍କ ପ୍ରତି ରହିଛି ଗଭୀର ଶ୍ରଦ୍ଧା ଆସ୍ଥା ଭଲପାଇବା। ଏଇ ଅଳ୍ପଦିନ ତଳର କଥା ଘର ଆଗ ପ୍ରଧାନ ରାସ୍ତାରେ ଗହଳି ଦେଖିଲି। ନିକଟକୁ ଯାଇ ଜାଣିଲି ଏକ ମୋଟରସାଇକେଲରେ ଗୁଣ୍ଡୁଚିମୂଷାଟିଏ ବାଡ଼େଇ ହୋଇ ଅସୁସ୍ଥ ହୋଇ ପଡ଼ିଛି। ଦେଖୁ ଦେଖୁ ତିରିଶ, ଚାଳିଶ ଲୋକଙ୍କ ଭିଡ଼। ସମସ୍ତଙ୍କ ମୁହଁରେ ଦୁଃଖ ଏବଂ ପାଟିରେ ଆହା ଶବ୍ଦ, ସମସ୍ତେ ତା’ର ଆରୋଗ୍ୟ କାମନା କରୁଥାନ୍ତି, ମୁଁ ଦୁଃଖ ଅନୁଭବ କଲି। ହସିଲି ମନେ ମନେ ଆମେ ସମସ୍ତେ ଆମ ଅଜାଣତରେ ରାମମୟ। ଏଇ କଥା ଲେଖି ଗଲାବେଳେ କିଛିବର୍ଷ ତଳେ ନୂଆବର୍ଷ ପିକ୍‌ନିକ୍‌ କଥା ମନେପଡୁଛି, ପିକ୍‌ନିକ୍‌ ସ୍ଥାନଟି ବିଶାଳ ବିଶାଳ ପଥର , ଝରଣା, ବୃକ୍ଷ ସବୁଜିମାରେ ଅତୀବ ମନୋହର। ୧୦, ୧୨ରୁ ଅଧିକ ଦଳ ଭୋଜି କରୁଥାନ୍ତି ସେଠି। ହଠାତ ଛୋଟିଆ ପ୍ରପାତରୂପୀ ଝରଣା ଉପରେ ଏକ ବଡ଼ ପକ୍ଷୀଟିଏ ଉଡ଼ିବା ଦିଶିଲା, କି ପକ୍ଷୀ କି ପକ୍ଷୀ କଥା ହେଉଥାନ୍ତି ଲୋକମାନେ। କେହିଜଣେ ଚିହ୍ନିଥିବା ଭଳି କହିଲା ଏଇଟା ଜଟାୟୁ ପକ୍ଷୀ। ତା’ ପରର ଦୃଶ୍ୟପଟ ଥିଲା ଅବର୍ଣ୍ଣନୀୟ। ସବୁ ଦଳରୁ ଅଧିକାଂଶ ଲୋକ ହାତଯୋଡ଼ି ଉକ୍ତ ପକ୍ଷୀକୁ ନମସ୍କାର କରୁଥାନ୍ତି ।
ଜଣେ ବୁଢ଼ୀ ତ ଦିଅଁ ଆଗରେ ଦଣ୍ଡବତ ହେବାଭଳି ସେ ପଥର ଚଟାଣରେ ପକ୍ଷୀ ଆଡ଼େ ସାଷ୍ଟାଙ୍ଗ ପ୍ରଣିପାତ କରି କହିଲା- ଆଖି ଧନ୍ୟ ହୋଇଗଲା ଆଜି। ମୁଁ ନୀରବଦ୍ରଷ୍ଟା ହୋଇ ଏ ଦୃଶ୍ୟ ଦେଖି ଭାବୁଥାଏ ୧୫୦୦ ରୁ ଅଧିକ ବର୍ଷ ଗୋଟିଏ ଜାତି ଗୋଟିଏ ଦେଶ ପରାଧୀନ ହୋଇ ବି ଅତ୍ୟାଚାରୀ ଧର୍ମାନ୍ଧଙ୍କ ଦ୍ୱାରା ଶାସିତ ହୋଇବି ଏଠି ୮୫ % ଲୋକ ଆଜି ବି ହିନ୍ଦୁ ଅଟନ୍ତି କାହିଁକି? କାରଣ ହିନ୍ଦୁ ଏକ ଧର୍ମ ନୁହେଁ, ଏକ ଦର୍ଶନ ନୁହେଁ ଏକ ଜୀବନ, ଯାହାର ପ୍ରତିଟି ଜୀବକୋଷ ରାମ, କୃଷ୍ଣ କୋଷାଣୁରେ ସୃଷ୍ଟ।
ହେ ମୋର ବନ୍ଧୁ! ଆତ୍ମୀୟ ! ଏସବୁ ସତ୍ତ୍ୱେ ଆଜି ଶ୍ରୀରାମଙ୍କ ବିଷୟରେ କିଛି ଆଲୋଚନା କରିବାକୁ ଇଚ୍ଛା ହେଉଛି। ମୁଁ ଜାଣେ ଏ ଦେଶରେ ତାଙ୍କୁ ନେଇ ଆଲୋଚନା ଗ୍ରନ୍ଥର ଅଭାବ ନାହିଁ , ମୁଁ ଏହାବି ଜାଣେ ମୁଁ ତାଙ୍କୁ ଆଲୋଚନା କରିବାକୁ କେତେ ଅସମର୍ଥ,ତଥାପି ଇଚ୍ଛା ହେଉଛି ଦୁଇପଦ ଲେଖିବାକୁ। ଆଜି ଭାବୁଛି ମୋ ପତ୍ନୀ ଯଦି କୋଳି ଚାଖିଚାଖି ଖଣ୍ଡିଆ କରି ମୋତେ ଦେବ ମୁଁ କେତେ ସହଜରେ ତାହା ଖାଇ ପାରିବି! କୁବୁଜୀ ବୁଢ଼ୀ, ମୁହଁ ସାରା ଭାତୁଡ଼ି, ପଚପଚ ନାଳବୁହା ପାଟିରେ ଚାଖି, ଖଣ୍ଡିଆ କରି ବଢ଼େଇ ଦେଉଛି ଅଇଁଠା କୋଳି ଆନନ୍ଦରେ, ଆହ୍ଲାଦରେ ତଲ୍ଲିନ ହୋଇ ଖାଇନେଇଛି ଯିଏ ସେ ମୋ ଠାରୁ କେତେ ସହସ୍ର ଯୋଜନ ଦୂର। ଏହି ଦୂରତା ହିଁ ପ୍ରମାଣ କରୁଛି ଆମେ ତାଙ୍କୁ ଭଲ ପାଇବା ସତ୍ତ୍ୱେ ତାଙ୍କଠାରୁ, ତାଙ୍କ ଭଳି ହୋଇ ଉଠିବାଠାରୁ ବହୁ ବହୁ କୋଷ ଦୂର। ରାମରାଜ୍ୟ ଆସିବ କିଭଳି? ଆସିବ – ଆମ ମଧ୍ୟରେ ରାମର ପରିପ୍ରକାଶ ଘଟିଲେ, ଆମ ଆଉ ରାମ ମଧ୍ୟରେ ଏଇ ଯୋଜନ ଯୋଜନ ଦୂରତା କମିଗଲେ। ଯିଏ ଅସୀମ ଶକ୍ତିଶାଳୀ ଥିଲେ ନିଜ ଶକ୍ତିକୁ ମୁହୂର୍ତ୍ତେ ଅପବ୍ୟବହାର କରି ନ ଥିଲେ, ଯିଏ ଜ୍ଞାନର ଶତ ସୂର୍ଯ୍ୟ ଥିଲେ ଋଷି ମୁନି ଯାହାଙ୍କ ପଦିଏ ଶବ୍ଦକୁ ଚାହିଁ ରହୁଥିଲେ ସେ ସମଗ୍ର ଜୀବନ ତମାମ ପଦଟିଏ ଅଧିକ ଶବ୍ଦକହି ନାହାନ୍ତି, ପଦଟିଏ କାହାକୁ ଉପଦେଶ ଦେଇନାହାନ୍ତି ବରଂ ଛୋଟ ଭାଇ ଲକ୍ଷ୍ମଣକୁ ଶତ୍ରୁ ରାବଣ ପାଖକୁ ଉପଦେଶ ପାଇଁ ପଠାଇଛନ୍ତି। ସେହି ଶ୍ରୀରାମ ଥିଲେ ଅନନ୍ତଶକ୍ତିର ଅଧିକାରୀ, ତା’ଠାରୁ ଅଧିକ ନମ୍ର ଥିଲେ, ତାଠାରୁ ଅଧିକ ଅହଂଶୂନ୍ୟ ଥିଲେ, ତା’ଠାରୁ ଅଧିକ ନିଜକୁ ଡେଇଁ ସଭିଙ୍କ ପାଇଁ ବଞ୍ଚିପାରୁଥିଲେ। ସେଥିଲେ ବେଦ ପୁରାଣ ଦର୍ଶନର ଜୀବନ୍ତ ଉଦାହରଣ। ସେ ଚାଲୁଥିଲେ ତ ତାଙ୍କ ସହ ସର୍ଗ ଚାଲୁଥିଲା , ତାଙ୍କ କାର୍ଯ୍ୟରେ ବେଦ, ଦର୍ଶନ ପ୍ରକାଶିତ ହେଉଥିଲା ତାଙ୍କର ଏଇ ଶୁଭ ଜନ୍ମ ଦିନରେ ତାଙ୍କୁ ପ୍ରଚଣ୍ଡ ଭଲ ପାଉଥିବା ତାଙ୍କ ଦାୟାଦମାନଙ୍କଠାରୁ ଆଜି ସମୟ ଚାହୁଁଛି ତାଙ୍କୁ ଭଲ ପାଇବା ସହ ତାଙ୍କ ଭଳି ହୋଇ ଉଠିବାକୁ। ଏହା ଆଜି ଜୀବନର ଦାବି, ଭାରତବର୍ଷର ଦାବି, ଏହା ଆଜି ବିଶ୍ୱର ଦାବି। ଆସ ଆମେ ତାଙ୍କର ଯଥାର୍ଥ ଦାୟାଦ ହୋଇଉଠିବା। ଦେଖ ଆମ ସଭିଙ୍କୁ ସେ ଆଶୀର୍ବାଦ କରୁଛନ୍ତି, କରୁଣାର ନୟନରେ ଚାହିଁ ରହିଛନ୍ତି।
ଇନ୍ଦ୍ରାବତୀ, ନବରଙ୍ଗପୁର
ମୋ – ୯୪୩୭୬୪୧୪୧୩


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri