Categories: ଖେଳ

ଶ୍ରୀନିବାସନଙ୍କ ଝିଅ ହୋଇପାରନ୍ତି ଟିଏନ୍‌ସିଏ ମୁଖ୍ୟ

ଚେନ୍ନାଇ,୨୧।୯: ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ରେ ନିର୍ବାଚନ ଲାଗି ସୁପ୍ରିମକୋର୍ଟ ପଥ ପରିଷ୍କାର କରିଛନ୍ତି। ହେଲେ ଏଥର ମଧ୍ୟ ଟିଏନ୍‌ସିଏ ଏନ୍‌. ଶ୍ରୀନିବାସନଙ୍କ ନିୟନ୍ତ୍ରଣରେ ରହିବା ଏକପ୍ରକାର ନିଶ୍ଚିତ। କ୍ଲବ ପ୍ରତିନିଧିମାନେ ଶ୍ରୀନିବାସଙ୍କ ଝିଅ ରୂପା ଗୁରୁନାଥଙ୍କ ସପକ୍ଷରେ ରହିଛନ୍ତି। ଯଦି ରୂପା ଟିଏନ୍‌ସିଏର ନୂଆ ସଭାପତି ହୁଅନ୍ତି, ତେବେ ସେ ବିସିସିଆଇର ପ୍ରଥମ ରାଜ୍ୟ ଶାଖାର ମହିଳା ସଭାପତି ହେବେ। ରୂପାଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ି ନ ପାରେ। କୌଣସି ପକ୍ଷରୁ ଅନ୍ୟ ନାମ ସୁପାରିସ ହୋଇନାହିଁ। ମିଳିଥିବା ସୂଚନା ମୁତାବକ, ଟିଏନ୍‌ସିଏ କର୍ମକର୍ତ୍ତା ଓ କ୍ଲବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରୂପାଙ୍କ ନାମକୁ ସଭାପତି ପାଇଁ ସୁପାରିସ କରି ଶ୍ରୀନିବାସଙ୍କ ରାଜୁତି ଜାରି ରଖିବା ଲାଗି ନିଷ୍ପତ୍ତି ହୋଇଛି। ତେବେ ରୂପା ଇଣ୍ଡିଆ ସିମେଣ୍ଟର ଡାଇରେକ୍ଟର ଭାବେ କାର୍ଯ୍ୟ କରିଛନ୍ତି। କ୍ରିକେଟ ପ୍ରଶାସନିକ କାର୍ଯ୍ୟରେ ସେ ସମ୍ପୂର୍ଣ୍ଣ ନୂଆ। ସୋମବାର ରୂପାଙ୍କ ନାମ ଘୋଷଣା ହୋଇପାରେ। ଯଦି ସବୁ କିଛି ଯୋଜନା ଅନୁଯାୟୀ ଘଟିଲା, ସେ ମଙ୍ଗଳବାର ନାମାଙ୍କନ ଦାଖଲ କରିବେ। ରୂପାଙ୍କ ସ୍ବାମୀ ତଥା ସିଏସ୍‌କେ ମାଲିକ ଗୁରୁନାଥ ମେୟାପ୍ପାନଙ୍କ ବିରୋଧରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗ ଆସିବା ପରଠାରୁ କ୍ରିକେଟ ପ୍ରଶାସନିକ କାର୍ଯ୍ୟରୁ ଦୂରେଇ ଯାଇଛନ୍ତି।

Share