ଶେଷକଥା

ଅଞ୍ଜନ ଚାନ୍ଦ

ଆପଣମାନେ ଖୁସିରେ ଅସମ୍ଭାଳ ହୋଇ ସହରକୁ ଦୁଲୁକାଇଲେ। କେଉଁଠି କର୍ଫ୍ୟୁ, କେଉଁଠି ୧୪୪ଧାରା, ସେସବୁକୁ ଖାତିର କଲେ ନାହିଁ। ପାର୍ଟି, ଫଙ୍କ୍‌ସନ, ପିକ୍‌ନିକରେ ମୋତେ ବିଦାୟ ଦେଲେ। ମୁଁ ଗଲି ଅନେକ ଅପବାଦ ମୁଣ୍ଡରେ ମୁଣ୍ଡାଇ, ନିନ୍ଦା ଅପମାନ ସହି। ମୋର ୩୬୬ଦିନର କାର୍ଯ୍ୟକାଳ ପରେ ଅତି ଦୁଃଖରେ ମୁଁ ଚାଲିଗଲିି। ମୋ ମନର କଥାକୁ କେବଳ ସହୃଦୟ ଓ ବିଚାରଶୀଳ ଲୋକମାନେ ର୍ହିଁ ବୁଝିବେ। ଏଇ ସମୟଖଣ୍ଡରେ ଯାହା ସବୁ ଘଟିଲା ସେଥିପାଇଁ ଦାୟୀ କିଏ? ଯାହା ବି ଘଟିଛି ସେଥିରେ କ’ଣ କେବଳ ଖରାପ ହିଁ ରହିଛି? ଭଲ ବୋଲି କିଛି ନାହିଁ?
ଯେଉଁ ଦିନ ମୁଁ ଧରାକୁ ଆସିଲି ସେଦିନ ଥିଲା ବୁଧବାର। ତୁମ ଭାଷାରେ ବାରି। ମଉଜ ମଜଲିସର ଦିନ। ତୁମ ମଉଜ ପାଇଁ ହଜାର ହଜାର ପ୍ରାଣୀ ବଳିପଡ଼ିଲେ। ସେମାନଙ୍କ ମୃତ୍ୟୁକାଳୀନ ଆର୍ତ୍ତଚିତ୍କାର ଚଉଦିଗକୁ ବ୍ୟାପିଗଲା। ରକ୍ତରେ ରଞ୍ଜିତ ହେଲା ପୃଥିବୀ। ଅଥଚ ତୁମ ଆନନ୍ଦ ଓ ଉତ୍ତେଜନାର କୋଳାହଳ ଭିତରେ ତାହା ଅତି ନଗଣ୍ୟ ଭାବରେ ଲୁଚିଗଲା ଏବଂ ତୁମେ ଭାବିନେଲ ଯେ ବର୍ଷଟି ତୁମପାଇଁ ଶୁଭଙ୍କର ହେବ। ଯାହାକୁ ଦେଖିଲ ଖୁସିରେ କହିଲ, ହାପି ନିଉ ଇୟର।
ଗତବର୍ଷର ଶେଷରୁ ପଡ଼ୋଶୀ ଦେଶରେ ମହାମାରୀ ବ୍ୟାପିବା ଆରମ୍ଭ ହେଲା। ତୁମେ ଆଲୋଚନାରେ ବ୍ୟସ୍ତ ରହିଲ। କେଉଁ ଦେଶକୁ ଭୂତାଣୁ ଗଲା l କେତେ ଆକ୍ରାନ୍ତ ହେଲେ। କେତେ ମଲେ। ମୃତଲୋକଙ୍କ ଶବକୁ କିଏ ଦରିଆରେ ଭସେଇଲା। କିଛି ସତ, ବେଶି ଗୁଜବ। ଅଥଚ ସତର୍କ ହେବାକୁ ତୁମ ମନ ବଳିଲାନାହିଁ। ଯେତେବେଳେ ହେଲ ସେତେବେଳକୁ କୁମ୍ଭୀର ନେଇଯାଇଛି ମଝି ନଈକୁ। ଆଶ୍ଚର୍ଯ୍ୟ କଥା ଯେ, ନଈ ମଝିରେ ଥାଇ ବି କେତେଜଣ କହିଲେ, ଏଇଟା ଜଳ ନୁହେଁ। ଜଳ ପରି ଦିଶୁଛି। ଯିଏ ତାଙ୍କୁ ଉଦ୍ଧାର କରିବାକୁ ଗଲେ ସେମାନଙ୍କୁ ମାରି ଗୋଡ଼ାଇଲେ। ପୃଥିବୀ ଯେ ଏକବିଂଶ ଶତକର ବିଂଶତିବର୍ଷରେ ଚାଲିଛି ଏହା ବିଶ୍ୱାସ ହେଲାନାହିଁ।
ବହୁ ବାଦ ବିସମ୍ବାଦ ଭିତରେ ଚାଲିଲା ଲକ୍‌ଡାଉନ। ଶଟ୍‌ଡାଉନ। ଲୋକମାନଙ୍କୁ ଗୃହବନ୍ଦୀ କରି ରଖିବାକୁ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଲା। କିଛିଦିନ ପରେ ସେମାନେ ଧୀରେ ଧୀରେ କଥାଟିକୁ ବୁଝିଲେ। ଶରୀରକୁ ଘର ଭିତରେ ରଖି ଭାବନାକୁ ବିକଶିତ କଲେ l ଜାଣିଲେ ଘର ହେଉଛି ସବୁଠାରୁ ନିରାପଦ ଆଶ୍ରୟ। ଅନ୍ୟଆଡ଼େ ଖୋଜି ହେଉଥିବା ସୁଖ ଶାନ୍ତି ନିଜ ପରିବାରରେ ହିଁ ରହିଛି। ପରିବାର ପରେ ଯଦି କିଏ ନିଜର ଥାଆନ୍ତି ସେ ହେଉଛନ୍ତି ପଡ଼ୋଶୀ। ସୁଖ ଦୁଃଖର ସହଭାଗୀ। ରାତି ଅଧରେ ବିପଦ ପଡ଼ିଲେ ସେମାନେ ପ୍ରଥମେ ସାହାଯ୍ୟର ହାତ ବଢ଼ାଇବେ।
ଠାକୁର ମନ୍ଦିରରେ ଅଛନ୍ତି। ଫୁଲ ଫଳ ଧୂପ ଦୀପ ଷୋଡ଼ଶ ଉପଚାର ସହିତ ପୂଜକ ରହିଲେ ତାଙ୍କୁ ପାଇହୁଏ। ମନରେ ଘର କରିଥିବା ଏହି ପାରମ୍ପରିକ ଭାବନା କ୍ଷଣକେ ଦୂର ହୋଇଗଲା। ଦେବତା କାଠ ପଥର କିମ୍ବା ମାଟିର ମୂର୍ତ୍ତିରେ ନାହାନ୍ତି। ଅଛନ୍ତି କେବଳ ଭାବରେ। ଜୀବନଯାକ ଅଭାବ ପଛରେ ଧାଇଁଥିବା ମଣିଷ ଘରେ ବସି ଭାବନାରେ ବୁଡ଼ିଗଲା। ବେଗରୁ ଓହରି ଆସିବାପରେ ତା’ ଭିତରେ ସୃଷ୍ଟି ହେଲା ଆବେଗ। ସେ ବୁଝିଲା ଲାଭପ୍ରବଣତା ନୁହେଁ ଭାବପ୍ରବଣତା ହିଁ ପ୍ରକୃତ ମଣିଷ ପଣିଆ।
କେଜାଣି କେତେଯୁଗ ପରେ ନୂତନ ସତ୍ୟଟିଏ ଜଣାପଡ଼ିଲା। ପରିବେଶର ସୁରକ୍ଷାପାଇଁ ମଣିଷ କିଛି କରିବା ଦରକାର ନାହିଁ। ସେମାନେ ନିଷ୍କ୍ରିୟ ରହିଲେ ହିଁ ପର୍ଯ୍ୟାବରଣ ପବିତ୍ର ହୋଇଯିବ। ଧୂଳି ଧୂଆଁରୁ ନିସ୍ତାର ପାଇ ପବନ ଖୁସିରେ ଖେଳିବୁଲିବ। ଆବର୍ଜନାରୁ ମୁକ୍ତି ପାଇ ଜଳ ନାଚିବ ନଈରେ। ମାଟି କହିବ ଆଜି ମୋ ଦେହରେ କ୍ଷତ ନାହିଁ। ବିଷ ବୁଣୁନାହିଁ କେହି ମୋ ଉପରେ। ପରିବେଶର ଶୁଦ୍ଧତାରେ ଜୀବଜଗତରେ ନୂତନଜୀବନ ଭରିଯିବ। ଏତେ ପରେ ବି ତୁମେମାନେ ମୋତେ ନିନ୍ଦିବ। କହିବ ମୃତ୍ୟୁର ଆତଙ୍କରେ ଆତଙ୍କିତ ହୋଇ କିଛି କରି ହେଲାନାହିଁ। ଅଥଚ ସତ୍ୟ ହେଉଛି ଏହା ତ ମର୍ତ୍ତ୍ୟପୁର। ଏଠାରେ ଯିଏ ଜନ୍ମ ହୁଏ ଦେବତା ହେଲେ ବି ମୃତ୍ୟୁମୁଖରେ ପଡ଼େ। ଅର୍ଥାତ୍‌ ସଂସାରରେ ଯିଏ ଜନ୍ମିଛି ତା’ର ସବୁ ସମୟରେ ମୃତ୍ୟୁର ଆଶଙ୍କା ରହିଛି। ଆଜି ତୁମେ ଭୂତାଣୁଜନିତ ମୃତ୍ୟୁକୁ ଗଣୁଛ। ହିସାବ ରଖିଛ କି ଦୁର୍ଘଟଣାଜନିତ ମୃତ୍ୟୁ କେତେ କମିଛି। ମହାମାରୀର ସତର୍କତା କାରଣରୁ ଅନ୍ୟ ରୋଗଗୁଡ଼ିକ କେତେ ପରିମାଣରେ ଦୂରେଇ ଯାଇଛି। ଆଜି ତୁମେ ମୁହଁରେ ମାସ୍କ ପିନ୍ଧିବା ଶିଖି ଯାଇଛ। ସାନିଟାଇଜର ବ୍ୟବହାର କରୁଛ। ବାହାରୁ ଘରକୁ ଫେରିଲେ ଗୋଡ଼ ହାତ ଧୋଉଛ। ପିନ୍ଧା ଲୁଗା ସଫା କରୁଛ। ବାହାର ଖାଦ୍ୟ ପାନୀୟ ପ୍ରତି ସତର୍କ ରହୁଛ। ଘରେ ବି ସମସ୍ତେ ପରିଷ୍କାର ପରିଚ୍ଛନ୍ନତା ପାଇଁ ଯତ୍ନବାନ ହେଉଛନ୍ତି । ଏମିତି ଆହୁରି ଅନେକ ସତର୍କତା ତୁମକୁ ନିରାମୟ କରିଛି। ଗୁରୁଜନଙ୍କ ଉପଦେଶ, ସାଧୁଙ୍କ ପ୍ରବଚନ, ସରକାରଙ୍କ ବିଜ୍ଞାପନ, ସର୍ବୋପରି ଶାସ୍ତ୍ରର ନୀତିକଥା ଯାହା କରିପାରି ନ ଥିଲା ଏଇ କେତୋଟି ମାସର ସାମୟିକ ପ୍ରଭାବ ହିଁ ତୁମ ଭିତରେ ବିପୁଳ ପରିବର୍ତ୍ତନ ଆଣିଦେଲା। ଅଥଚ ତୁମେ ଆଜି ସେଇ ସମୟକୁ ନିନ୍ଦା କରୁଛ। ଅପବାଦ ଦେଉଛ। ତା’ ପାଖରୁ ନିସ୍ତାର ପାଇଲ ବୋଲି ଖୁସିରେ ମସ୍‌ଗୁଲ ହେଉଛ।
ମୁଁ ସେଇ ସମୟଖଣ୍ତ। ବହୁ ନିନ୍ଦା ଅପମାନ ସହି ଦୁଃଖରେ ଚାଲିଗଲି ,ହେଲେ ଶେଷକଥା କହିରଖୁଛି। ଶୁଭ କି ଅଶୁଭ ସମୟରେ ନ ଥାଏ। ଥାଏ ମଣିଷର କର୍ମରେ । କର୍ମ ଭଲ ଥିଲେ ଫଳ ଶୁଭ ହୁଏ। ମନ୍ଦ କର୍ମର କୁଫଳ କର୍ମୀକୁ ହିଁ ଭୋଗିବାକୁ ପଡ଼େ । ସମୟ କେବଳ ସେଗୁଡ଼ିକୁ ନିଜ ଦେହରେ ଲେଖି ରଖେ। ମୋ ଶରୀରରେ ସେମିତି ଅନେକ ଆଲେଖ୍ୟ। ତୁମେ ତାହାକୁ ପଢ଼। ଶିଖ। ଭଲ ମନ୍ଦ ବିଶ୍ଳେଷଣ କର। ନିଜକୁ ସୁଧାର। ଆଗକୁ ଆସୁଥିବା ବିପଦ ପ୍ରତି ସତର୍କ ରୁହ। ତେବେ ଯାଇ ତୁମେ ଚାହୁଁଥିବା ଶୁଭ ସମୟଟି ପାଖେଇ ଆସିବ। ତାହା ନ ହୋଇ ଯଦି ପୂର୍ବ ପରି ଶୃଙ୍ଖଳାବିହୀନ ତାମସିକତା ଆଡ଼କୁ ତୁମର ଯାତ୍ରା ଜାରି ରହେ ଯେଉଁ ଶୁଭ ସମୟର ଆଗମନ ପାଇଁ ତୁମେ ଆନନ୍ଦରେ ଅଧୀର ହୋଇପଡ଼ୁଛ ତାହା ମଧ୍ୟ ତୁମ ଭାଷାରେ ତୁମ ପାଇଁ ଅଧିକ ଅଶୁଭଙ୍କର ସାବ୍ୟସ୍ତ ହେବ।
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ: ୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri