Categories: ଖେଳ

ଶୁଭ୍ରାଂଶୁଙ୍କ ଶତକରେ ଜିତିଲା ଓଡ଼ିଶା

ଭଦୋଦରା,୭।୧୦: ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଶତକ ବଳରେ ଏଠାରେ ସୋମବାର ମହାରାଷ୍ଟ୍ର ବିପକ୍ଷରେ ଖେଳାଯାଇଥିବା ଚଳିତ ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହୋଇଛି। ଦିନିକିଆ ଟୁର୍ନାମେଣ୍ଟରେ ଏହା ଓଡ଼ିଶାର ଦ୍ୱିତୀୟ ବିଜୟ। ମ୍ୟାଚ୍‌ରୁ ୪ ପଏଣ୍ଟ ଅର୍ଜନ କରିଥିବା ଦଳ ଏବେ ମୋଟ ୧୪ ପଏଣ୍ଟ ସହ ଗ୍ରୁପ୍‌ ବି’ର ୫ମ ସ୍ଥାନରେ ରହିଛି।
୨୬୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଓଡ଼ିଶା ପାଇଁ ଅଧିନାୟକ ଶୁଭ୍ରାଂଶୁ ୧୧୯ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ୧୩୦ ବଲର ସମ୍ମୁଖୀନ ହୋଇ ସେ ୮ ଚୌକା ଓ ୨ ଛକା ଲଗାଇଥିଲେ। ତାଙ୍କୁ ସନ୍ଦୀପ ପଟ୍ଟନାୟକ (୨୭), ଅଭିଷେକ ଯାଦବ (୧୭), ଅଭିଷେକ ରାଉତ (୨୪), ସୁଜିତ ଲେଙ୍କା (୨୬), ଦୀପକ ବେହେରା (୧୮) ଉପଯୁକ୍ତ ସହାୟତା କରିଥିଲେ। ଫଳରେ ଓଡ଼ିଶା ୪୯.୧ ଓଭରରେ ୭ ଉଇକେଟ ହରାଇ ୨୬୦ ରନ୍‌ କରି ମ୍ୟାଚ୍‌ ଜିତିନେଇଛି। ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମହାରାଷ୍ଟ୍ର ଅଧିନାୟକ କେଦାର ଯାଦବ ଓ ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ ଇନିଂସ ବଳରେ ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୫୯ ରନ୍‌ କରିଥିଲା। ଦଳ ପାଇଁ ରାହୁଲ ସର୍ବାଧିକ ୬୯, ଅଧିନାୟକ କେଦାର ୬୨, ଋତୁରାଜ ଗାଏକ୍ୱାଡ ୩୯ ଓ ନୌଶାଦ ଶେଖ ୩୧ ରନ୍‌ କରିଥିଲେ। ଓଡ଼ିଶା ଲାଗି ବୋଲିଂରେ ସୂର୍ଯ୍ୟକାନ୍ତ ୯ ଓଭର ବୋଲିଂ କରି ୫୦ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ଅଭିଷେକ ରାଉତ ଓ ଗୋବିନ୍ଦ ପୋଦ୍ଦାର ୨ ଲେଖାଏ ଉଇକେଟ ଅକ୍ତିଆର କରିଥିବାବେଳେ ଦୀପକ ବେହେରା ଗୋଟିଏ ସଫଳତା ପାଇଥିଲେ।

Share