Categories: ଖେଳ

ଶୁଟିଂ ବିଶ୍ୱକପ୍‌: ମନୁ-ସୌରଭଙ୍କୁ ସ୍ବର୍ଣ୍ଣ, ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ରିଓ ଡି ଜେନିରୋ, ୩।୯ (ପି.ଟି.)- ଏଠାରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ୍‌ରେ ଭାରତର ଷ୍ଟାର୍‌ ଶୁଟର୍‌ ମନୁ ଭାକର ଓ ସୌରଭ ଚୌଧୁରୀ ଯୋଡ଼ି ମିକ୍ସଡ୍‌ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ଯୋଡ଼ିଦାର ଯଶସ୍ବିନୀ ଦେଶଓ୍ବାଲ ଓ ଅଭିଷେକ ବର୍ମାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫାଇନାଲରେ ମନୁ-ସୌରଭ ଯୋଡ଼ି ୧୭-୧୫ ସ୍କୋରରେ ଯଶସ୍ବିନୀ-ଅଭିଷେକ ଯୋଡ଼ିଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ଭାରତ ଏଥିସହ ଏହି ବିଶ୍ୱକପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏହାର ଅଭିଯାନ ଶେଷ କରିଛି। ପ୍ରତିଯୋଗିତାରେ ଭାରତ ୫ ସ୍ବର୍ଣ୍ଣ ଏବଂ ୨ଟି ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ସହ ମୋଟ୍‌ ୯ ପଦକ ଜିତି ଶୀର୍ଷ ସ୍ଥାନରେ ରହିଛି।
୧୦ ମିଟର ଏୟାର ରାଇଫଲ୍‌ରେ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଶୁଟର୍‌ ଅପୂର୍ବୀ ଚାଣ୍ଡେଲା ଓ ତାଙ୍କ ପାର୍ଟନର ଦୀପକ କୁମାର ଏଥିପୂର୍ବରୁ ସୋମବାର ମିକ୍ସଡ୍‌ ଏୟାର ରାଇଫଲ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରତିଯୋଗିତାରେ ଏହା ଭାରତ ପାଇଁ ୪ର୍ଥ ସ୍ବର୍ଣ୍ଣ ଥିଲା। ସେହିଭଳି ଅଞ୍ଜୁମ ମୌଦଗିଲ ଓ ଦିବ୍ୟାଶଂ ସିଂ ପନଓ୍ବର ମଧ୍ୟ ସେହି ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏଥିସହ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ୪ଟି ଯାଇ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଭାରତ ପଦକ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବାର ସୌଭାଗ୍ୟ ଲାଭ କରିଛି।

Share