ଶୁକ୍ରବାର ଯାଏ ଲାଗି ରହିବ ବର୍ଷା: ୫ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ, ୧୦ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ପକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷା ହେଉଥିବା ବେଳେ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ବ୍ରହ୍ମପୁର, ଗଜପତି, ଭୁବନେଶ୍ୱର,କଟକ ଆଦି ଅଞ୍ଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ତେବେ ରାଜ୍ୟରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କେତେକ ଜିଲାକୁ ରେଡ୍‌ ଏବଂ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

ଅତି ପ୍ରବଳ ବର୍ଷା ନେଇ ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା, ପୁରୀ ଆଦି ୫ଟି ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବ ବୋଲି କୁହାଯାଇଛି। ସେହିଭଳି ପ୍ରବଳ ବର୍ଷା ସମ୍ଭାବନା ନେଇ ୧୦ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, ଦେବଗଡ଼ ଏବଂ ଅନୁଗୋଳ ଜିଲାବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।