ଶୁକ୍ରବାରରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ: ୨ ଦିନ ଛୁଟି ପରେ ୧୫ରେ ଚାଲିବ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଗୋଟିଏ ଦିନ ପରେ ୧୩ ଓ ୧୪ ତାରିଖ ମାସର ଦ୍ୱିତୀୟ ଶନିବାର ଏବଂ ରବିବାର ପାଇଁ ଛୁଟି ରହିବ। ୧୫ ତାରିଖଠାରୁ ଅଧିବେଶନ ନିୟମିତ ଚାଲିବ। ଅଧିବେଶନ କାଳରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ବିଭିନ୍ନ ରିପୋର୍ଟ ଏବଂ ୨୦୧୯-୨୦ ପାଇଁ ଆପତ୍‌କାଳୀନ ପାଣ୍ଠିରେ ଥିବା ଖର୍ଚ୍ଚ ଦାବି ଉପସ୍ଥାପନ କରାଯିବ। ଜୁଲାଇ ୧୫ରୁ ଅଗଷ୍ଟ ୧ ତାରିଖ ଯାଏ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଆଗତ ହୋଇଥିବା ବଜେଟର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଜୁଲାଇ ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍‌ ବିଧାନସଭାରେ ଅନୁମୋଦନ ଲାଭ କରିବ। ଏହି ସମୟରେ ଓଡ଼ିଶା ମ୍ୟୁନିସିପାଲ ଆକ୍ଟ ସଂଶୋଧର ପାଇଁ ମଧ୍ୟ ପ୍ରସ୍ତାବ ଆସିବାର କାର୍ଯ୍ୟକ୍ରମ ରହିଛି।
ବିଜେଡି ସରକାରର ପଞ୍ଚମ ପାଳିର ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଜୁନ୍‌ ୨୫ରୁ ଆରମ୍ଭ ହୋଇଥିଲା। ଜୁଲାଇ ୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିଲା। ଏହି ସମୟରେ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ଆଗତ କରାଯାଇଥିଲା। ଏଥିସହିତ ଉପବାଚସ୍ପତି ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା।