ଶୀତ ଅଧିବେଶନ ଆଗୁଆ ସରିବା ପ୍ରସଙ୍ଗ: ଏହାକୁ ଅଗଣତାନ୍ତ୍ରିକ, ରାଜ୍ୟ ବିରୋଧୀ କହିଲା ଭାଜପା

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆଗୁଆ ଶେଷ ହୋଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଷ୍ଣୁ କହିଛନ୍ତି, ଏହା ଅଗଣତାନ୍ତ୍ରିକ ଓ ରାଜ୍ୟ ବିରୋଧୀ। ଏହାଛଡ଼ା ନିର୍ଦ୍ଧାରିତ କାର୍ଯ୍ୟ ଦିବସ ପୂର୍ବରୁ ଶୀତକାଳୀନ ଅଧିବେଶନ ବନ୍ଦ ରହିବା ସମ୍ପୂର୍ଣ୍ଣ ଭାବେ ମନମାନି ଓ ସ୍ବେଚ୍ଛାଚାରିତା। ନିର୍ଦ୍ଧିଷ୍ଟ ଦଳର ଚାପରେ ବାଚସ୍ପତି ଗୃହକୁ ବନ୍ଦ ରଖିଲେ। ସମ୍ପୂର୍ଣ୍ଣ ସମ୍ବେଦନହୀନ ଭାବେ ଓଡ଼ିଶା ସରକାର ଚାଲିଛି। ସ୍ମିତାରାଣୀ ଓ ଟୋକନ ଅବ୍ୟବସ୍ଥା ପ୍ରସଙ୍ଗ ସତ୍ତ୍ୱେ ସରକାର ଆଲୋଚନା କଲେ ନାହିଁ ବୋଲି ସେ କହିଛନ୍ତି। ସେହିଭଳି ରାଜ୍ୟ ସରକାର ହକିକୁ ଗୁରୁତ୍ୱ ଦେଉଥିବା ବେଳେ ପିଆଜକୁ ଦେଉ ନ ଥିବା ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ନଭେମ୍ବର ୧୩ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଡିସେମ୍ବର ୧୯ ଯାଏ ଚାଲିବାକୁ ଧାର୍ଯ୍ୟ କରାଯାଇଥିଲା। ଏଥିରେ ମୋଟ ୩୦ଟି କାର୍ଯ୍ୟଦିବସ ଥିଲା। ସେଥିରୁ ୨୫ଟି ସରକାରୀ ଓ ୫ଟି ବେସରକାରୀ କାର୍ଯ୍ୟ ଦିବସ ରହିଥିଲା। ତେବେ ୧୭ଦିନ ଆଗରୁ ଏହି ଅଧିବେଶନକୁ ବନ୍ଦ କରାଯାଇଛି। ଏହି ଅଧିବେଶନରେ ମୋଟ ୧୩ଟି କାର୍ଯ୍ୟଦିବସରେ ସୀମିତ ରହିଛି। ସେଥିରୁ ୧୨ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ଅନୁଷ୍ଠିତ ହୋଇଛି। ତେବେ ପ୍ରଥମ ଦିବସରେ ବିଧାନସଭାରେ ଅନୁମୋଦନ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରାଯାଇଥିଲା।