Categories: ଖେଳ

ଶୀଘ୍ର ଅଲିମ୍ପିକ୍ସ ଚାହୁଁଥିଲା ଟ୍ରାଇଥଲନ ପରିଷଦ

ଓ୍ବାଶିଂଟନ, ୩୧।୩(ଏପି)-
ଗ୍ରୀଷ୍ମକାଳୀନ ଉତ୍ତାପକୁ ଏଡ଼ାଇବା ପାଇଁ ଆସନ୍ତା ବର୍ଷ ଅଲିମ୍ପିକ୍ସ ଶୀଘ୍ର ହେଉ ବୋଲି ଟ୍ରାଇଥଲନ ପରିଚାଳନା ପରିଷଦ ଚାହୁଁଥିଲା। ମାତ୍ର ଘୋଷିତ ନୂଆ ତାରିଖକୁ ପରିଷଦ ଗ୍ରହଣ କରିଛି। ”ଉତ୍ତାପ କମ୍‌ ଥିବା ସମୟରେ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ କରାଯାଉ ବୋଲି ଆମେ ଚାହୁଁଥିଲୁ। ମାତ୍ର ବିଭିନ୍ନ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇ ଯେଉଁ ସମୟ ଧାର୍ଯ୍ୟ କରାଯାଇଛି ସେଥିରେ ଆମେ ରାଜି“ ବୋଲି ଓ୍ବାଲର୍‌ଡ ଟ୍ରାଇଥଲନ ସଭାପତି ମାରିସୋଲ କାସାଡୋ ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ପାଇଁ ଘୋଷିତ ନୂଆ ତାରିଖ ପ୍ରକ୍ରିୟାରେ ସମସ୍ତ ସ୍ପୋଟର୍‌ସ ଫେଡେରେଶନ ସାମିଲ ହୋଇଥିଲେ। ଆମ ସମସ୍ତଙ୍କ ସହଯୋଗରେ ଆସନ୍ତା ବର୍ଷ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ସଫଳ ରହିବା ନେଇ ମୁଁ ଦୃଢ଼ ଆଶାୟୀ ବୋଲି କାସାଡୋ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ ୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮କୁ ଅଲିମ୍ପିକ୍ସର ନୂଆ ତାରିଖ ଧାର୍ଯ୍ୟ କରାଯାଇଛି।
ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ପକ୍ଷରୁ ମାରାଥନ ଏବଂ ରେସ୍‌ ଓ୍ବାକିଂ ପ୍ରତିଯୋଗିତାକୁ ଜାପାନର ନର୍ଦନ ସିଟି ସାପୋରୋକୁ ସ୍ଥାନାନ୍ତର କରାଯାଇଥିଲା। ଉତ୍ତାପ ଏଡ଼ାଇବା ପାଇଁ ଅଧିକାଂଶ ପ୍ରତିଯୋଗିତା ଭୋର ସମୟରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଟ୍ରାଇଥଲନରେ ରନିଂ ଥିଲେ ହେଁ ଏହା ଟୋକିଓରେ ଅନୁଷ୍ଠିତ ହେବ। ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖକୁ ଆମେ ସମର୍ଥନ କରୁଛୁ ବୋଲି ଟ୍ରାକ୍‌ ଆଣ୍ଡ ଫିଲ୍ଡ ପରିଚାଳନା ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି। ଏଥିସହ ବିଶ୍ୱ ଚାମ୍ପିୟନଶିପ୍‌କୁ ୨୦୨୨କୁ ଘୁଞ୍ଚାଇବା କ୍ଷେତ୍ରରେ ଇଉଜେନି, ଓରେଗନ ଆୟୋଜକଙ୍କ ସହ କାମକରିବୁ ବୋଲି କୁହାଯାଇଛି। ସବୁକିଛି ନମନୀୟ ଏବଂ ସାଲିସ ଭିତ୍ତିରେ ହୋଇଛି ବୋଲି ଓ୍ବାଲର୍‌ଡ ଆଥଲେଟିକ୍ସ ପ୍ରକାଶ କରିଛି। ୨୦୨୧ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଅଗଷ୍ଟ ୬ରୁ ୧୫ ପର୍ଯ୍ୟନ୍ତ ହେବାର ଥିଲା। ଏ ସମ୍ପର୍କରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୟୁରୋପିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜକଙ୍କ ସହିତ ପରାମର୍ଶ ନିଆଯିବ। ଏହି ଦୁଇଟି ବଡ଼ ଟ୍ରାକ୍‌ ଇଭେଣ୍ଟ ୨୦୨୨ରେ ହେବାର କାର୍ଯ୍ୟସୂଚୀ ରହିଛି।

Share