ଶନିବାର ପାଟକୁରା ନିର୍ବାଚନ: ଭାଜପା ବୁଥ୍‌ ଦଖଲ କରିବା ଆଶଙ୍କାରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୯।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଶନିବାର ଭୋଟ ଗ୍ରହଣ କରାଯିବ। ଏଥିନିମନ୍ତେ ଗୁରୁବାର ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି। ସାରା ରାଜ୍ୟର ନଜର ଏବେ ଉକ୍ତ ଆସନ ଉପରେ ଥିବା ବେଳେ ବିଜେଡି ଏହାକୁ ହାତେଇବାକୁ ପୂରା ଦମ୍‌ରେ ଲାଗିପଡ଼ିଛି। ତେବେ ଶୁକ୍ରବାର ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି। ବିଜେଡିର ୮ଜଣ ମହିଳା ବିଧାୟକ ପାଟକୁରା ନିର୍ବାଚନ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ନେଇ ଫେରାଦ ହୋଇଛନ୍ତି। ଉକ୍ତ ନିର୍ବାଚନମଣ୍ଡଳୀର ୫୬ଟି ବୁଥ୍‌ ସମ୍ବେଦନଶୀଳ। ସେଠାରେ ଭାଜପା ବୁଥ୍‌ ଜବରଦଖଲ କରିବାର ଆଶଙ୍କା ରହିଛି। ଏଣୁ ଏସବୁ ବୁଥ୍‌ଗୁଡ଼ିକରେ ଅଧିକ ପୋଲିସ ଫୋର୍ସ ମୁତୟନ ସହ ସିସିଟିଭି ଲଗାଯିବାର ବ୍ୟବସ୍ଥା କରିବା ଲାଗି ସେମାନେ ସିଇଓଙ୍କୁ ଅନୁରୋଧ କରିଛନ୍ତି।

ପ୍ରକାଶଯୋଗ୍ୟ, ଉକ୍ତ ଆସନରେ ବିଜେଡିର ସାବିତ୍ରୀ ଅଗ୍ରଓ୍ବାଲ ଏବଂ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଉଭୟ ଦଳର ବିଧାୟକ, ମନ୍ତ୍ରୀ ତଥା ନେତାମାନେ ଜୋରଦାର ପ୍ରଚାର କରିଛନ୍ତି। ଭୋଟ ଗ୍ରହଣ ବ୍ୟବସ୍ଥାକୁ ସୁରୁଖୁରୁରେ ଚଳାଇବା ପାଇଁ ୬୩୨ଜଣ ପୋଲିଂ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସେହିଭଳି ସମ୍ବେଦନଶୀଳ ବୁଥ୍‌ରେ ଭିଡିଓଗ୍ରାଫି ସହ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି।