ଲୋକ ସଭା ଫଳାଫଳ:କାମ ଦେଲା ନବୀନଙ୍କ ମହିଳା କାର୍ଡ

ଭୁବନେଶ୍ୱର, ୨୪-୫9 (ବ୍ୟୁରୋ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକ ସଭା ଆସନରେ ପ୍ରାର୍ଥୀ କରିଥିଲେ। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ ଆସନରୁ ପ୍ରାର୍ଥୀ ହୋଇଥିବା ସୁନୀତା ବିଶ୍ୱାଳ ଓ କୋରାପୁଟରୁ କୌଶଲ୍ୟା ହିକ୍କକା ପରାସ୍ତ ହୋଇଛନ୍ତି। ସୁମିତ୍ରା ଏବଂ କୌଶଲ୍ୟା ଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେମାନେ ହେଉଛନ୍ତି-ଆସିକାରୁ ପ୍ରମିଳା ବିଶୋୟୀ, ଯାଜପୁରରୁ ଶର୍ମିଷ୍ଠା ସେଠୀ, କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁ, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ ଏବଂ ଜଗତସିଂହପୁରରୁ ରାଜଶ୍ରୀ ମଲିକ ବିଜୟୀ ହୋଇଛନ୍ତି। ସେହିପରା ଭାଜପାରୁ ଭୁବନେଶ୍ୱର ଲୋକ ସଭାରେ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡଙ୍ଗୀ ମଧ୍ୟ ପୂର୍ବତନ ବମ୍ବେ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ହରାଇ ବିଜୟୀ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ଏକାଧିକ ଲୋକ ସଭା ଆସନରେ ମହିଳା ପ୍ରାର୍ଥୀ ଦିଆଯାଇଥିଲେ ବି କୌଣସି ପ୍ରାର୍ଥୀ ଜିତି ନାହାନ୍ତି।
ଆସିକାର ବିଜେଡି ପ୍ରାର୍ଥିନୀ ପ୍ରମିଳାଙ୍କୁ ନେଇ ସାରା ଓଡ଼ିଶାବାସୀଙ୍କ ମନରେ ଉତ୍କଣ୍ଠା ରହିଥିଲା। ପ୍ରଥମ ରାଉଣ୍ଡରୁ ଶେଷ ଯାଏ ପ୍ରମିଳା ନିକଟତମ ପ୍ରତିଦ୍ୱଦ୍ୱୀଙ୍କଠାରୁ ଅଧିକ ଭୋଟ ପାଇ ଆଗେଇ ଥିଲେ। ଶେଷ ଖବର ସୁଦ୍ଧା ପ୍ରମିଳା ବିଶୋଇ ୫,୪୨,୧୫୬ ଖଣ୍ଡ ଭୋଟ ପାଇଥିବା ବେଳେ, ତାଙ୍କ ନିକଟତମ ପ୍ରତିଦ୍ୱଦ୍ୱୀ ଭାଜପା ନେତ୍ରୀ ଅନିତା ଶୁଭଦର୍ଶିନୀ ୩,୪୦,୧୯୮ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଓଏଏସ୍‌ ଚାକିରୀ ଛାଡି ରାଜନୀତିରେ ଯୋଗଦେଇ ଯାଜପୁରୁ ବିଜେଡି ପ୍ରାର୍ଥୀ ହୋଇଥିବା ଶର୍ମିଷ୍ଠା ୫,୪୦,୮୨୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଶର୍ମିଷ୍ଠାଙ୍କ ନିକଟମ ପ୍ରତିଦ୍ୱଦ୍ୱୀ ଭାଜପାର ଅମିୟ ମଲିକ ୪,୩୬, ୯୮୭ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ନବାଗତା ଚନ୍ଦ୍ରାଣୀ କେନ୍ଦୁଝର ଆସନରୁ ବିଜେଡି ଟିକେଟ୍‌ରେ ଲଢି ୫,୨୧, ୫୯୧ ଖଣ୍ଡ ଭୋଟ ପାଇଁ ବରିଷ୍ଠ ଭାଜପା ନେତା ଅନନ୍ତ ନାୟକଙ୍କୁ ପରାସ୍ତ କରିଛନ୍ତି। ସେହିପରି ପ୍ରଶାସିକାରୁ ରାଜନେତ୍ରୀ ପାଲଟିଥିବା ଅପରାଜିତା ଭାଜପାର ଏକମାତ୍ର ମହିଳା ପ୍ରାର୍ଥିନୀ ଭାବେ ବିଜୟୀ ହୋଇଛନ୍ତି।