ଲୋକେ ପିଉଛନ୍ତି ଗୋଳିଆ ପାଣି

ଗଣିଆ, ୧୧।୮(ଡି.ଏନ.ଏ.)-ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାରଙ୍କ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି। ପ୍ରକଳ୍ପ ନିର୍ମାଣ,ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ରାଜକୋଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯିବା ସହ ରକ୍ଷଣାବେକ୍ଷଣ ଓ ମରାମତି ଅଭାବ ଯୋଗୁ କେଉଁଠି ପାନୀୟ ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିରହିଛି ତ ଆଉ କେଉଁଠି ପାଇପ୍‌ରେ ଗୋଳିଆ ପାଣି ଆସୁଥିବା ଦେଖିବାକୁ ମିଳୁଛି ।

ବ୍ୟତିକ୍ରମ ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ଈଶ୍ୱରପୁର,ମସ୍କାଝୋଲା ଓ ବେଣ୍ଟପଡା ଗ୍ରାମରେ ଦେଖିବାକୁ ମିଳିଛି । ଏହି ୩ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଈଶ୍ୱରପୁର ଗ୍ରାମର ମହାନଦୀ କୂଳରେ ଏକ ଇନଟେକ୍‌ ୱେଲ ନିର୍ମାଣ କରାଯାଇଛି । ଗତ ୮ ବର୍ଷ ତଳେ ଇନଟେକ୍‌ ୱେଲ ନିକଟରେ ଜଳ ବିଶୋଧନ ପାଇଁ ଷ୍ଟେନର ପକାଯାଇଥିବା କାର୍ଯ୍ୟ ନିମ୍ନମାନର ହୋଇଛି। ଏଥିଯୋଗୁ ଷ୍ଟେନର ଠିକ୍‌ ଭାବେ କାର୍ଯ୍ୟକରୁ ନ ଥିବା ଦେଖାଯାଇଛି । ଫଳରେ ଗତ ୩ ବର୍ଷ ଧରି ବର୍ଷାଋତୁରେ ମହାନଦୀରେ ବନ୍ୟାଜଳ ଆସିଲେ ଲୋକଙ୍କୁ ସେହି ଗୋଳିଆ ପାଣି ହିଁ ଯୋଗାଣ କରାଯାଉଛି । ଏହି ପାଣି ପିଇବା ଦ୍ୱାରା ଲୋକମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଗୋଳିପାଣିକୁ ବିଶୁଦ୍ଧ ଓ ସଫା କରିବା ପାଇଁ ବ୍ଲିଚିଂ ଓ ଆଲମ ପକାଇବାର ବ୍ୟବସ୍ଥା ଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀ କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ କେହି ଧ୍ୟାନ ଦେଉ ନ ଥିବା କୁହନ୍ତି ବେଣ୍ଟପଡା ଗ୍ରାମର ଭାଗୀରଥି ବେହେରା । ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଶୁଭ୍ରାଶୁଂ ରଣାଙ୍କୁ ପଚାରିବାରୁ ବର୍ଷାଋତୁରେ ମରାମତି କରିବା ସମ୍ଭବପର ନୁହେଁ । ଇନଟେକ୍‌ ୱେଲ୍‌ରେ ବ୍ଲିଚିଂ ଓ ଆଲମ ପକାଇବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରାଯିବ ବୋଲି କହିଥିଲେ ।