ଲୋକଙ୍କ ଉପରେ ପ୍ରଥମ କରୋନା ଭାଇରସ୍‌ ଟିକା ପ୍ରୟୋଗ କରିବ ଆମେରିକା

ଓ୍ବାଶିଂଟନ୍‌,୧୬।୩: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇ ଚାଲିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପ୍ରକାରର ଉଦ୍ୟମ ଚଳାଇଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏହାକୁ ମାହାମାରୀ ବୋଲି ଘୋଷଣା କରିସାରିଥିବା ବେଳେ ବିଭିନ୍ନ ଦେଶର ବୈଜ୍ଞାନିକ ଏହାର ଚିକିତ୍ସା ପାଇଁ ଟିକା ତିଆରି କରିବାରେ ଲାଗିପଡ଼ିଛନ୍ତି। କାରଣ ଟିକା ହିଁ କରୋନାର ଶେଷ ଚିକିତ୍ସା ବୋଲି କୁହାଯାଉଛି। ବିଭିନ୍ନ ଦେଶରେ କରୋନାରେ ସଂକ୍ରମିତ ହୋଇ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆମେରିକାରେ କରୋନା ଭାଇରସ୍‌ରେ ୨୭୯୪ ଲୋକ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୫୬ଜଣଙ୍କର ମୃତ୍ୟୁ ହୋଇସାରିଛି। ତେବେ ଏହାର ମୁକାବିଲା ପାଇଁ ଆମେରିକା ଆଉ ଗୋଟିଏ ପାଦ ଆଗେଇଛି। ଆମେରିକାର ବୈଜ୍ଞାନିକମାନେ ମାର୍ଚ୍ଚ ୧୬ ସୋମବାର କରୋନା ଟିକା ମଣିଷ ଉପରେ ପରୀକ୍ଷା କରିବାକୁ ଯାଉଛନ୍ତି। ଏନେଇ ଆମେରିକା ସରକାର ନିଜେ ଘୋଷଣା କରିଛନ୍ତି। ଏବେ ଏହି ଟିକାକୁ ପରୀକ୍ଷାମୂଳକ ଭାବେ ପରୀକ୍ଷଣ କରାଯିବ। ଯଦି ଏଥିରୁ ସଫଳତା ମିଳେ ତେବେ ଏହାକୁ ସାରା ବିଶ୍ୱରେ ବଣ୍ଟନ କରାଯିବ। ଆମେରିକାର ଦ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହେଲଥ୍‌ ଏହି ପରୀକ୍ଷାକୁ ଫଣ୍ଡିଂ କରୁଥିବା ବେଳେ ଏନ୍‌ଆଇଏଚ୍‌ ଓ ମର୍ଡେନା ଇଙ୍କ୍‌ ଏହାକୁ ମିଳିତ ଭାବେ ତିଆରି କରିଥିବା ଜଣାପଡ଼ିଛି। ତେବେ ଏହି ଟିକାକୁ ପ୍ରୟୋଗ କରିବା ପାଇଁ ୪୫ଜଣ ଯୁବକଙ୍କୁ ଚିହ୍ନଟ କରାଯାଇଛି। ଏମାନେ ସ୍ବେଚ୍ଛାକୃତ ଭାବେ ଏଥିପାଇଁ ରାଜି ହୋଇଛନ୍ତି। ସିଏଟଲ୍‌ରେ ଥିବା କାଇଜର୍‌ ପରମାନେଣ୍ଟ ଓ୍ବାଶିଂଟନ୍‌ ହେଲଥ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ଉକ୍ତ ୪୫ଜଣଙ୍କୁ ଭିନ୍ନ ମାତ୍ରାରେ ଟିକା ଦିଆଯିବ। ଏହାପରେ ଉକ୍ତ ଟିକା ସେମାନଙ୍କ ଉପରେ କିଭଳି କାର୍ଯ୍ୟ କରୁଛି କିଛି କୁପ୍ରଭାବ ପକାଉଛି କି ନାହିଁ ସେନେଇ ଯାଞ୍ଚ କରାଯିବ। ତେବେ ଏହି ଟିକା ଦ୍ୱାରା କେହି ସଂକ୍ରମିତ ହେବାର ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Share