Categories: ଖେଳ

ଲେଭଲ୨ କୋଚିଂ ପ୍ରଶିକ୍ଷଣ ନେଉଛନ୍ତି ମିସ୍‌ବା, ଆଜମଲ

ଲାହୋର,୨୭।୫- ଭବିଷ୍ୟତରେ କୋଚ୍‌ ହେବା ଲାଗି ପୂର୍ବତନ ପାକିସ୍ତାନ ଅଧିନାୟକ ମିସ୍‌ବା ଉଲ ହକ୍‌ଙ୍କ ସମେତ ପାକିସ୍ତାନର ୧୩ ଜଣ ପୂର୍ବତନ କ୍ରିକେଟର ଜାତୀୟ କ୍ରିକେଟ ଏକାଡେମୀଠାରେ ଲେଭଲ ୨ କୋଚ୍‌ ଶିକ୍ଷା ଗ୍ରହଣ କରୁଛନ୍ତି। ଏଥିରେ ସଇଦ ଆଜ୍‌ମଲ, ସଲମାନ ବଟ, ଉମର ଗୁଲ ଓ ଜୁଲ୍‌ଫିକର ବାବରଙ୍କ ଭଳି ଲୋକପ୍ରିୟ ପ୍ରାକ୍ତନ ଖେଳାଳି ରହିଛନ୍ତି। ଅବସର ନେଇ ନ ଥିବା ଖେଳାଳିଙ୍କ ମଧ୍ୟରେ ଅହମ୍ମଦ ଶେହଜାଦ ରହିଛନ୍ତି। ଗତବର୍ଷ ସ୍କଟ୍‌ଲାଣ୍ଡ ବିପକ୍ଷରେ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଶେହଜାଦଙ୍କୁ କେନ୍ଦ୍ରୀୟ ଚୁକ୍ତି ଖେଳାଳିଙ୍କ ତାଲିକାରେ ସାମିଲ କରାଯାଇନାହିଁ। ଏହି କୋଚିଂ କୋର୍ସରେ ଭିଡିଓ ଆନାଲିସିସ୍‌, କୋଚିଂ ପ୍ରଣାଳୀ, ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ବାୟୋମେଟ୍ରିକ୍ସ ଉପକରଣର ବ୍ୟବହାର ସମ୍ପର୍କରେ ଭାଗ ନେଇଥିବା ଖେଳାଳିଙ୍କୁ ଶିକ୍ଷା ଦିଆଯିବ। ଏହା ପାକିସ୍ତାନ କ୍ରିକେଟ ପାଇଁ ଭଲ ଖବର। ବହୁ ଅନ୍ତର୍ଜାତୀୟ ଖେଳାଳି ଭବିଷ୍ୟତରେ କୋଚ୍‌ ହୋଇ ଦେଶ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଏବେ କୋଚିଂ ଶିକ୍ଷାର ଗୁରୁତ୍ୱ ବୁଝିପାରିଛନ୍ତି। ଏଣୁ ମୁଁ ବହୁତ ଖୁସି। ଆଶା କରୁଛି, ଏଥିରେ ଅଂଶଗ୍ରହଣ କରିଥିବା କ୍ରିକେଟରମାନେ ଆଗକୁ ବଢ଼ି ୩ୟ ଓ ୪ର୍ଥ ଲେଭଲ କୋର୍ସ କରିବେ ବୋଲି ଏକାଡେମୀ ନିର୍ଦ୍ଦେଶକ ମୁଦାସର ନଜର କହିଛନ୍ତି।

Share