ଲୁଣାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ: ୨ ଯୁବକ ମୃତ, ୨ ଆହତ

ନିଶ୍ଚିନ୍ତକୋଇଲି,୯।୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ତରତ୍‌ ହନୁମାନ ଗଡ଼ା ନିକଟରେ ଥିବା ଲୁଣାନଦୀରେ ବୁଡ଼ି ମଙ୍ଗଳବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଧୋଇବାକୁ ଯାଇଥିବା ବେଳେ ଉଭୟ ବୁଡ଼ି ଯାଇଥିବା ସୂଚନା ମିଳିଛି। ମୃତକଦ୍ୱୟ ହେଲେ ଲିଟୁ ସାମଲା(୨୧) ଏବଂ ଜିତେନ୍ଦ୍ର ପାଲ(୨୧)। ତେବେ ଘଟଣାରେ ୨ଜଣ ଆହତ ମଧ୍ୟ ହୋଇଛନ୍ତି। ଆହତଦ୍ୱୟ ହେଲେ ହୃଷିକେଶ ନାୟକ ଓ ଚନ୍ଦ୍ରକାନ୍ତ ବିଶ୍ୱାଳ। ସେମାନଙ୍କୁ ଚିକିତ୍ସା ପାଇଁ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ମାହାଙ୍ଗା ଥାନା ଦୁଲାରପୁର ଗ୍ରାମର ୪ଜଣ ଯୁବକ ସାଙ୍ଗ ହୋଇ ନଦୀରେ ଗାଧୋଉଥିଲେ। ଏହି ସମୟରେ ୨ଜଣ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଅନ୍ୟ ୨ଜଣଙ୍କ ଚିକିତ୍ସା ଜାରି ରହିଛି। ନିଶ୍ଚିନ୍ତକୋଇଲି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି। ଏଥିସହ ଘଟଣାରେ ଅପମୃତ୍ୟୁ ମାମଲା(୨/୨୦) ରୁଜୁ କରିଛି।