ଲାଗିଲା ପୋଷ୍ଟର: କରୋନା ସଂକ୍ରମଣର ବାହକ ନ ହେବାକୁ ମାଓବାଦୀଙ୍କୁ ଆହ୍ବାନ

କୋକସରା, ୩୧।୩,(ଡି.ଏନ.ଏ.): କଳାହାଣ୍ଡି ଓ ନବରଙ୍ଗପୁର ଜଲା ସୀମାନ୍ତ ଆମପାଣି ଘାଟି ବିରିମୁହାଣ ଛକ ସମେତ ଆନ୍ଦିଝରନ, ଝୁଲେନବର, କୁଟ୍ରୁଠାରେ ମାଓବାଦୀଙ୍କ ଉଦ୍ଦେଶ୍ୟରେ ଫୋଷ୍ଟର ଲାଗିଛି। ପୋଷ୍ଟରେ ସଚେତନ ନାଗରିକ ମଞ୍ଚ ଓ ବିଶ୍ୱ ଆରୋଗ୍ୟ ଚେତନା ସମିତି ଉଲ୍ଲେଖ ରହିଛି। ଏଥିରେ ମାଓବାଦୀ ମାନଙ୍କୁ ଗାଁଗାଁ ବୁଲି ସଂକ୍ରମଣର ବାହକ ନ ହୋଇ ପୋଲିସ ପ୍ରଶାସନ ପାଖରେ ଆତ୍ମସମର୍ପଣ କରି ନିଜ ଜୀବନକୁ ସଂକ୍ରମଣରୁ ବଞ୍ଚାନ୍ତୁ ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ସଚେତନ ନାଗରିକ ମଞ୍ଚ ଓ ବିଶ୍ୱ ଆରୋଗ୍ୟ ଚେତନା ସମିତି ଉଲ୍ଲେଖ ଥିବା ପୋଷ୍ଟରରେ ଲେଖାଯାଇଛି ଯେ, ଜଙ୍ଗଲରେ ବୁଲୁଥିବା ମାଓବାଦୀମାନେ ଅନ୍ୟ ରାଜ୍ୟରୁ ଆସିଛନ୍ତି। ତେଣୁ ସେମାନଙ୍କ ଦ୍ୱାରା କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ଅଛି। ତେଣୁ ଜଙ୍ଗଲ ତଳି ଗଁାଲୋକେ ମାଓବାଦୀଙ୍କ ସଂସ୍ପର୍ଶ୍ୱରେ ଆସନ୍ତୁ ନାହି। ମାଓବାଦୀଙ୍କ ଦ୍ୱାରା ଆହୂତ ସଭା ସମିତିରେ ଯୋଗ ଦିଅନ୍ତୁ ନାହିଁ। ଏନେଇ ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗିଙ୍କୁ ପଚାରିବାରୁ ପୋଷ୍ଟର ମାରିଥିବା ଘଟଣା ସତ। ତେବେ ଏହାକୁ କିଏ ଲଗାଇଛି ଓ ଏହାର ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।