ଲଙ୍କାଗଡରେ ମାଓବାଦୀ ପୋଷ୍ଟର: ପୋଲିସ ଇନ୍‌ଫର୍ମରଙ୍କୁ ଚେତାବନୀ

ବାଲିଗୁଡା,୧୭ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଲଙ୍କାଗଡ଼ ପଞ୍ଚାୟତର ବିଭିନ୍ନ ଗଁାରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। କେକେବିଏନ ମାଓବାଦୀ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର ଲଗାାଯାଇଥିବା ଉଲ୍ଲେଖ ରହିଛି। ଏନେଇ ଅଞ୍ଚଳରେ ଏବେ କୋକୁଆ ଭୟ। ପୋଷ୍ଟର ମାଧ୍ୟମରେ ପୋଲିସ ଇନ୍‌ଫର୍ମରମାନଙ୍କୁ ଚେତାବନୀ ଦିଆଯାଇଛି। ୨୦୧୫ରୁ ଅନିଲ ମାଝୀ ଗଁାଗଁାରେ ସୋଲାର ପ୍ଲେଟ ବାଣ୍ଟିବା ନାମରେ ପୋଲିସ ସହ ସମ୍ପର୍କ ରଖି ମାଓବାଦୀଙ୍କ ଗତିବିଧି ବିଷୟରେ ସୂଚନା ଦେଇ ଆସୁଥିଲେ। ଅନିଲ ଧନେଶ୍ୱର ଓ ଅଜିତ୍‌କୁ ଏହି କାମରେ ସାମିଲ କରିଥିଲେ। ଏହି ୩ ଜଣଙ୍କୁ ଗାଇଡ କରିବାପାଇଁ ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚାୟତ ବରଙ୍ଗିଲି ଗ୍ରାମର ଜୟଚନ୍ଦ୍ର ପାତ୍ର, ବସନ୍ତ ପାତ୍ର ଓ ହେମନ୍ତ ପାତ୍ର ଦାୟିତ୍ୱ ନେଇଥିଲେ। ଅନିଲ, ଧନେଶ୍ୱର ଓ ଅଜିତ ବିଭିନ୍ନ କାମ ବାହାନାରେ ଜଙ୍ଗଲରେ ବୁଲି ଖବର ସଂଗ୍ରହ କରୁଥିଲେ। ୨୦୦୮ ଜୁଲାଇ ୮ରେ ଖବରପାଇ ଆମ ବିଷୟରେ ଅନିଲ ଓ ଧନେଶ୍ୱର ତୁମୁଡିବନ୍ଧ ପୋଲିସକୁ ଦେଇଥିଲେ। ପୋଲିସ ଗୁମୁଡୁମାହା ରାସ୍ତାରେ ଆମ୍ବୁସ ଲଗାଇ ଜଗିଥିଲା। ହେଲେ ବାଲିଗୁଡାରୁ ଏନ୍‌ଆର୍‌ଇଜିଏସ ଟଙ୍କା ଉଠାଇ ଫେରୁଥିବା ୫ଜଣ ନିରିହ ଲୋକଙ୍କୁ ମାଓବାଦୀ ଭାବି ହତ୍ୟା କରାଯାଇଥିଲା। ଘଟଣା ଜାଣିବାପରେ ଆମେ ଧନେଶ୍ବରକୁ ପଚାରିବାରୁ ସେ ସବୁ ବିଷୟ କହିଥିଲା। ଏହାପରେ ଜାନୁଆରୀ ୨୮ରେ ଅନିଲକୁ ଘରୁ ଉଠାଇଆଣି ପଚାରିବାରୁ ସେ ସବୁ ମାନିଥିଲା। ପରେ ପିଏଲଜିଏ ଅନିଲକୁ ମୃତ୍ୟୁଦଣ୍ଡ ଦେଇଥିଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ମାଓବାଦୀ ସଙ୍ଗଠନ ବିରୁଦ୍ଧରେ ଯାଆନ୍ତୁ ନାହିଁ, ଅନିଲ ମାଝୀ ନେଟୱର୍କରେ ଥିବା ସମସ୍ତେ ଆମ ପାଖରେ ଆତ୍ମସମର୍ପଣ କଲେ ଛାଡି ଦିଆଯିବ ନଚେତ୍‌ କଠୋର ଦଣ୍ଡମିଳିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଶେଷରେ ବିପ୍ଲବୀ ଅଭିନନ୍ଦନ ସହ ରାହୁଲ ଏରିଆ କମିଟି, ସିପିଆଇ ମାଓବାଦୀ, କେକେବିଏନ ଡିଭିଜନ ପୋଷ୍ଟରରେ ଲେଖାଥିବା ଦେଖିବାକୁ ମିଳିଛି।