ଲକ୍‌ଡାଉନ୍‌କୁ ନେଇ ଗୁଜବ ପ୍ରଚାର କରି ଯୁବକ ଗିରଫ

ବାଲେଶ୍ୱର ଅଫିସ, ୩୧।୩-ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ବାଇକ୍‌ରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ଗାଡ଼ି ଜବତ କରିବା ପାଇଁ ବାଲେଶ୍ୱର ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏକ  ଗୁଜବ ସୋସିଆଲ ମିଡ଼ିଆରେ ପ୍ରଚାରିତ ହୋଇଥିଲା। ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏଥିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ରେମୁଣା ପୋଲିସ ଗିରଫ କରିଛି । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିପାରିବ ବୋଲି ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅନୁମତି ପ୍ରଦାନ କରିଛନ୍ତି। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ସୋସିଆଲ ମିଡିଆରେ ବାଲେଶ୍ୱର ଜିଲାପାଳଙ୍କ ଫଟୋ ଥାଇ ଏଭଳି ଏକ ଗୁଜବ ଲକ୍‌ଡାଉନ ସମୟରେ ଜନସାଧାରଣଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଥିବା ଅଭିଯୋଗରେ ରେମୁଣା ପୋଲିସ ଶିବଶଙ୍କର ପରିଡ଼ାଙ୍କୁ ଗିରଫ କରିଛିି ା ସମ୍ପୃକ୍ତ ଯୁବକଙ୍କ ଘର ରେମୁଣା ଥାନା ଖରିଦମୁଖୁରା ଗ୍ରାମରେ। ତାଙ୍କ ବିରୋଧରେ ରେମୁଣା ଥାନାରେ ଆଇପିସିର ୧୮୮/୧୮୨/୨୯୦/୨୭୧/୫୦୫ ଧାରା ଅନୁଯାୟୀ ମାମଲା (ନଂ. ୬୨/୨୦୨୦)ରୁଜୁ ହୋଇଛି। ଆଗକୁ ଏଭଳି ଗୁଜବ ପ୍ରଚାର କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।