Categories: ଖେଳ

ରୋମାଞ୍ଚକ ମୋଡ଼ରେ ସେଞ୍ଚୁରିଆନ ଟେଷ୍ଟ

ସେଞ୍ଚୁରିଆନ, ୨୮।୧୨- ଏଠାରେ ଚାଲିଥିବା ଇଂଲଣ୍ଡ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୮୪.୪ ଓଭରରେ ୨୮୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ୫୩.୨ ଓଭରରେ ୧୮୧ ରନ କରି ଅଲଆଉଟ ହୋଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ୧୦୩ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ତେବେ ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇ ୨୦ ଓଭରରେ ୪ ଉଇକେଟ ହରାଇ ୭୨ ରନ ସଂଗ୍ରହ କରିଛି। ଫଳରେ ୬ ଉଇକେଟ ହାତରେ ରଖି ଦକ୍ଷିଣ ଆଫ୍ରିକା ମୋଟ ୧୭୫ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରାସି ଭାନ ଡେର ଡୁସେନ ୧୭ ଓ ଅନରିଚ୍‌ ନୋର୍ଜ ୪ ରନକରି ଅପରାଜିତ ରହିଛନ୍ତି। ଡିନ ଏଲଗାର ୨୨ ଓ ଅଧିନାୟକ ଫାଫ୍‌ ଡୁପ୍ଲେସି ୨୦, ଏଡେନ ମାରାକ୍ରାମ ୨ ଓ ଜୁବେର ହମ୍‌ଜା ୪ ରନ କରି ଆଉଟ ହୋଇଛନ୍ତି। ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ୨, ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଇଂଲଣ୍ଡ ତରଫରୁ ପ୍ରଥମ ଇନିଂସରେ ଜୋ ଡେନଲି ସର୍ବାଧିକ ୮୦, ବେନ୍‌ ଷ୍ଟୋକ୍ସ ୩୫, ଅଧିନାୟକ ଜୋ ରୁଟ ୨୯, ସାମ କୁରାନ ୨୦, ଜୋସ ବଟଲର ୧୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକାର ଭର୍ନନ ଫିଲାଣ୍ଡର ସର୍ବାଧିକ ୪, କାଗିସୋ ରାବାଡ଼ା ୩, ଅନରିଚ ନୋର୍ଜ ୨, ଡ୍ବେନ ପ୍ରିଟୋରିୟସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୭୭/୯ରୁ ଖେଳ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଶୁକ୍ରବାର ଅଲଆଉଟ ହୋଇଥିଲା। ବୋଲିଂରେ ଇଂଲଣ୍ଡ ତରଫରୁ ପ୍ରଥମ ଇନିଂସରେ ବ୍ରଡ ଓ କୁରାନ ୪ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Share