Categories: ଖେଳ

ରୋନାଲ୍‌ଡୋଙ୍କ ୯୯ତମ ଅନ୍ତର୍ଜାତୀୟ ଗୋଲ୍‌

ଲକ୍ସେମବର୍ଗ,୧୮ା୧୧(ଏଏଫପି)-ଲକ୍ସେମବର୍ଗ ବିପକ୍ଷରେ ୨-୦ଗୋଲରେ ବିଜୟ ହାସଲ କରି ପର୍ତ୍ତୁଗାଲ ୟୁରୋ ଫୁଟ୍‌ବଲ ଚାମ୍ପିୟନଶିପ୍‌ ୨୦୨୦ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ବ୍ରୁନୋ ଫର୍ନାଣ୍ଡିଜ ୩୯ତମ ମିନିଟ୍‌ରେ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଖେଳ ଶେଷ ହେବାକୁ ଆଉ ୪ ମିନିଟ ସମୟ ବାକିଥିବାବେଳେ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ ଦଳ ପକ୍ଷରୁ ଦ୍ୱିତୀୟାର୍ଦ୍ଧ ଖେଳ ଶେଷ ଭାଗରେ ଅନ୍ୟ ଗୋଲଟିକୁ ସ୍କୋର କରିଥିଲେ। ଏହାଥିଲା ତାଙ୍କର ୯୯ତମ ଅନ୍ତର୍ଜାତୀୟ ଗୋଲ୍‌। ଆସନ୍ତାବର୍ଷ ହେବାକୁଥିବା ୟୁରୋ ୨୦୨୦ ପାଇଁ ପର୍ତ୍ତୁଗାଲ ୧୭ତମ ଦେଶ ଭାବେ ଯୋଗ୍ୟତା ଅର୍ଗନ କରିଛି। ଯୋଗ୍ୟତା ଅର୍ଜନ କରିଥିବା ପ୍ରମୁଖ ଦଳଗୁଡ଼ିକରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ, ସ୍ପେନ, ଇଟାଲି ଓ ଇଂଲଣ୍ଡ ରହିଛନ୍ତି। ରବିବାର ଏହି ବିଜୟ ଦ୍ୱାରା ପର୍ତ୍ତୁଗାଲ ଗ୍ରୁପ୍‌ ବି’ରେ ୟୁକ୍ରେନ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ୟୁକ୍ରେନ ସର୍ବିୟା ସହିତ ଏହାର ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ରଖିଛି। ସୂଚନାଯୋଗ୍ୟ, ୧୯୯୩ରୁ ୨୦୦୬ ମଧ୍ୟରେ ୧୦୯ ଅନ୍ତର୍ଜାତୀୟ ଗୋଲ ସ୍କୋର କରି ଇରାନ ଷ୍ଟ୍ରାଇକର ଅଲି ଦାଇ ବିଶ୍ୱ ରେକର୍ଡ କରିଛନ୍ତି।

Share